ନୂଆଦିଲ୍ଲୀ: ଇଂଲଣ୍ଡର ପୂର୍ବତନ ଅଧିନାୟକ ଜସ୍ ବଟଲର୍ ଗୁରୁବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ODI ମ୍ୟାଚ୍‌ରେ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ସେ ପ୍ରଥମ ଇଂଲଣ୍ଡ ବ୍ୟାଟର ଭାବରେ ଦିନିକିଆ ଏବଂ ଟି-୨୦ କ୍ରିକେଟରେ ମୋଟ ୧୦,୦୦୦ ରନ୍ ପୂରଣ କରିଛନ୍ତି। ୧୦ ହଜାର ରନ୍‌ ପୂରଣ କରିବା ଲାଗି ଏହି ମ୍ୟାଚରେ ମାତ୍ର ୭ ରନ୍‌ର ଆବଶ୍ୟକତା ଥିବା ବେଳେ, ସେ ୪୯ ଟି ବଲରୁ ୬୯ ରନ୍‌ର ଏକ ଆକ୍ରମଣାତ୍ମକ ଇନିଂସ ଖେଳି ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ଦିନିକିଆରେ ୫,୬୭୮ ରନ୍ ଏବଂ ଟି-୨୦ ଅନ୍ତର୍ଜାତୀୟରେ ୪,୩୮୪ ରନ୍ ସହ ମୋଟ ୧୦,୦୬୨ ରନ୍ ସଂଗ୍ରହ କରିଛନ୍ତି।   

୨୦୧୧ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପାଦ ଥାପିଥିବା ବଟଲର୍, ଇଂଲଣ୍ଡର ସୀମିତ ଓଭର କ୍ରିକେଟ୍‌ରେ ଜଣେ ପ୍ରମୁଖ ବ୍ୟାଟର ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୩୨୨ ରନ୍‌ର ବଡ଼ ଲକ୍ଷ୍ୟକୁ ପିଛା କରିବା ସମୟରେ ହାମଷ୍ଟ୍ରିଙ୍ଗ୍ ଆଘାତ ସତ୍ତ୍ୱେ ସେ ଦଳ ପାଇଁ ସଂଘର୍ଷ କରିଥିଲେ। ମ୍ୟାଚ୍‌ର ୩୮ତମ ଓଭରରେ ସେ ମୈଦାନରୁ ଓହରି ଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ୪୮ତମ ଓଭରରେ ପୁଣି ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ। ତେବେ ତାଙ୍କର ଏହି ଚିତ୍ତାକର୍ଷକ ଇନିଂସ ସତ୍ତ୍ୱେ ଇଂଲଣ୍ଡ ଦଳ ୩୦୫ ରନ୍‌ରେ ଅଲଆଉଟ୍ ହୋଇ ୧୬ ରନ୍‌ରେ ପରାଜିତ ହୋଇଥିଲା।

ଏହି ସଫଳତା ସହ ବଟଲର୍ ନିଜ ଦଳର ଅନ୍ୟ ଦୁଇ ଦିଗ୍ଗଜ ଖେଳାଳି ଜୋ ରୁଟ୍ ଏବଂ ଇଓନ୍ ମୋର୍ଗାନଙ୍କୁ ପଛରେ ପକାଇ ଦେଇଛନ୍ତି। ରୁଟ୍ ୮,୭୭୮ ରନ୍ (ODI: ୭,୮୮୫, T20I: ୮୯୩) ସହ ଦ୍ୱିତୀୟ ଏବଂ ମୋର୍ଗାନ ୯,୪୧୫ ରନ୍ (ODI: ୬,୯୫୭, T20I: ୨,୪୫୮) ସହ ଏହି ତାଲିକାରେ ପୂର୍ବରୁ ଆଗରେ ଥିଲେ। ଦ୍ୱିତୀୟ ODIରେ ଶ୍ରୀଲଙ୍କାର ଏହି ବିଜୟ ପରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍ ଏବେ ନିର୍ଣ୍ଣାୟକ ମୋଡ଼କୁ ଆସିଛି, ଯାହାର ଶେଷ ମ୍ୟାଚ୍ ସେପ୍ଟେମ୍ବର ୨୭ ରବିବାର ଦିନ ଖେଳାଯିବ। ତେବେ ଆଘାତ କାରଣରୁ ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ବଟଲର୍ ଖେଳିବେ କି ନାହିଁ, ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।