ମୁମ୍ବାଇ : ନୀମ କରୌଲୀ ବାବାଙ୍କ ଜୀବନ ଓ ଆଧ୍ୟାତ୍ମିକ ଯାତ୍ରାକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ହନୁମାନ ଅଂଶ’ ଏବେ ଚର୍ଚ୍ଚାର ଶୀର୍ଷରେ। ଫିଲ୍ମର ବଡ ସଫଳତା ପରେ ଏହାକୁ ଆଗକୁ ନେବାକୁ ନିର୍ମାତାମାନେ ପ୍ରସ୍ତୁତି କରୁଛନ୍ତି। ଏହାରି ମଧ୍ୟରେ ସବୁଠାରୁ ବଡ଼ ଖୁଲାସା ଯେ ସିକ୍ୱେଲରେ ଦେଖିବାକୁ ମିଳିପାରେ ଅନୁଷ୍କା ଶର୍ମା, ବିରାଟ କୋହଲି ଏବଂ ହଲିଉଡ୍ ଅଭିନେତ୍ରୀ ଜୁଲିଆ ରବର୍ଟସଙ୍କ ବଡ଼ ଏଣ୍ଟ୍ରି । ନିର୍ମାତା ନମ୍ରତା ସିଂହ ଏହି ଚର୍ଚ୍ଚା ଉପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି।

ରିପୋର୍ଟ ଅନୁସାରେ, ସେ କହିଛନ୍ତି ଯେ ନୀମ କରୌଲୀ ବାବାଙ୍କ କିଛି ପ୍ରସିଦ୍ଧ ଭକ୍ତଙ୍କ ସହ ଟିମ୍ ପକ୍ଷରୁ ଯୋଗାଯୋଗ କରାଯାଇଛି। ନମ୍ରତା ସିଂହଙ୍କ କହିବା ଅନୁସାରେ, ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ସହ ଯୋଗାଯୋଗ କରାଯାଇଛି। ଏହି ଦୁଇ ଷ୍ଟାର ନୀମ କରୌଲୀ ବାବାଙ୍କ ଭକ୍ତ ଭାବେ ପରିଚିତ। ତେଣୁ ଫିଲ୍ମର ଆଗାମୀ ଭାଗରେ ସେମାନଙ୍କ ଜୀବନର ଆଧ୍ୟାତ୍ମିକ ପକ୍ଷ କିମ୍ବା ବାବାଙ୍କ ସହ ସମ୍ପର୍କକୁ ନେଇ କୌଣସି ଦୃଶ୍ୟ ଦେଖାଯିବ କି ନାହିଁ, ତାହାକୁ ନେଇ ଉତ୍ସୁକତା ବଢ଼ିଛି। ତେବେ ଏପର୍ଯ୍ୟନ୍ତ ଅନୁଷ୍କା ଶର୍ମା କିମ୍ବା ବିରାଟ କୋହଲି ସିକ୍ୱେଲରେ ଅଭିନୟ କରିବେ ବୋଲି କୌଣସି ଅଫିସିଆଲ୍ କନଫର୍ମେସନ୍ ହୋଇନାହିଁ। ତେଣୁ ଏହାକୁ ନେଇ ଉଭୟଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି ।

ଜୁଲିଆ ରବର୍ଟସଙ୍କ ନାଁ କାହିଁକି ?

ହଲିଉଡ୍ ଷ୍ଟାର ଜୁଲିଆ ରବର୍ଟସ୍ ମଧ୍ୟ ନୀମ କରୌଲୀ ବାବାଙ୍କ ଆଧ୍ୟାତ୍ମିକ ପ୍ରଭାବରେ ଆସିଥିବା ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଜଣେ ବୋଲି ଚର୍ଚ୍ଚା ହୁଏ। ତେଣୁ ତୃତୀୟ ଭାଗରେ ବାବାଙ୍କ ବିଶ୍ୱବ୍ୟାପୀ ପ୍ରଭାବକୁ ଦେଖାଇବାର ଯୋଜନା ଥିବାରୁ ତାଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଛି। ନିର୍ମାତାମାନେ ପୂର୍ବରୁ ଏହି କାହାଣୀକୁ ତିନିଟି ଭାଗରେ ନେବାର ଯୋଜନା କରିଥିବା କହିଛନ୍ତି। ପ୍ରଥମ ଭାଗରେ ନୀମ କରୌଲୀ ବାବାଙ୍କ ଜୀବନର ପ୍ରାରମ୍ଭିକ ଅଧ୍ୟାୟରୁ କୈଞ୍ଚି ଧାମ ପର୍ଯ୍ୟନ୍ତର ଯାତ୍ରା ଦେଖାଯାଇଛି। ଦ୍ୱିତୀୟ ଭାଗରେ କୈଞ୍ଚି ଏବଂ ଭାରତରେ ବାବାଙ୍କ ଭକ୍ତମାନଙ୍କ ସହ ତାଙ୍କ ସମ୍ପର୍କ ଉପରେ ଅଧିକ ଫୋକସ୍ ରହିବ ବୋଲି ପ୍ରଯୋଜକ କହିଛନ୍ତି। ତୃତୀୟ ଭାଗରେ ତାଙ୍କ ଆଧ୍ୟାତ୍ମିକ ପ୍ରଭାବ ଭାରତ ବାହାରେ କିପରି ପହଞ୍ଚିଲା, ସେଥିପାଇଁ ଅନ୍ତର୍ଜାତୀୟ ପରିପ୍ରେକ୍ଷିତ ରହିବାର ସଙ୍କେତ ମିଳିଛି।

ବକ୍ସ ଅଫିସରେ ‘ହନୁମାନ ଅଂଶ’ର ଧମାକା :

ସବୁଠାରୁ ବଡ଼ କଥା ହେଉଛି, ଅତ୍ୟନ୍ତ କମ୍ ବଜେଟ୍ରେ ତିଆରି ହୋଇଥିବା ଏହି ଫିଲ୍ମ ଆରମ୍ଭରେ ଧୀର ଗତିରେ ଚାଲିଥିଲେ ମଧ୍ୟ ପରେ ଦର୍ଶକଙ୍କ ମୁହଁରୁ ମୁହଁକୁ ପ୍ରଚାର ଯୋଗୁଁ ବଡ଼ ହିଟ୍ରେ ପରିଣତ ହୋଇଛି। ରିପୋର୍ଟ ଅନୁସାରେ ଏହାର ଭାରତୀୟ ନେଟ୍ କଲେକ୍ସନ୍ ୧୬୦ କୋଟିରୁ ଅଧିକ ଅତିକ୍ରମ କରିଛି। ସୂଚନା ଥାଉ କି ଫିଲ୍ମଟିର ନିର୍ମାଣ ମାତ୍ର ୧.୮ କୋଟି ଟଙ୍କା ବଜେଟରେ ହୋଇଥିଲା ଯାହାକି ଏବେ ୧୦୦ କୋଟି ପାର କରି ଲୋକଙ୍କ ଭଲପାଇବା ସାଉଁଟିବାରେ ଲାଗିଛି । ଏବେ ଫିଲ୍ମର ସଫଳତା ପରେ ଅନୁଷ୍କା, ବିରାଟ ଓ ଜୁଲିଆ ରବର୍ଟସଙ୍କ ଭଳି ନୀମ କରୌଲୀ ବାବାଙ୍କ ଭକ୍ତମାନେ ସିକ୍ୱେଲରେ ଦେଖାଦେବେ କି ନାହିଁ ଏହା ଉପରେ ଏବେ ଦର୍ଶକଙ୍କ ନଜର ରହିଛି।