ନୂଆଦିଲ୍ଲୀ ୧୩।୦୯; କଣ୍ଠରେ ଯାଦୁ। ଗୀତରେ ନିଆରା ଅନ୍ଦାଜ। ଆଉ ଏବେ ପ୍ରପର୍ଟି ଡିଲ୍କୁ ନେଇ ଚର୍ଚ୍ଚାରେ ବଲିଉଡ୍ର ଲୋକପ୍ରିୟ ଗାୟକ କୈଳାଶ ଖେର। ‘ଅଲ୍ଲାହ କେ ବନ୍ଦେ’ ଠାରୁ ‘ତେରି ଦିୱାନୀ’… ନିଜ ସ୍ୱତନ୍ତ୍ର କଣ୍ଠସ୍ୱରରେ ଶ୍ରୋତାଙ୍କ ହୃଦୟ ଜିତିଥିବା କୈଳାଶ ଖେର ଏବେ ଗୀତ ପାଇଁ ନୁହେଁ, ମୁମ୍ବାଇର ବିକ୍ରି ହୋଇଥିବା ଏକ ଦାମୀ ଅଫିସକୁ ନେଇ ଚର୍ଚ୍ଚାରେ।

ମୁମ୍ବାଇର ପ୍ରାଇମ୍ ଲୋକେସନ୍ BKC। ଆଉ ସେଠାରେ କୈଳାଶ ଖେରଙ୍କ ଏକ ଅଫିସ୍। ୨,୬୧୯ ବର୍ଗଫୁଟ୍ର ଏହି ଅଫିସ୍କୁ କୈଳାଶ ଖେର ୧୦ କୋଟି ୫୦ ଲକ୍ଷ ଟଙ୍କାରେ କିଣିଥିଲେ। କିନ୍ତୁ ମାତ୍ର ୧୦ ମାସ ପରେ ଏହାକୁ ୧୦ କୋଟି ୭୫ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଛନ୍ତି। ଅର୍ଥାତ୍, କ୍ରୟ ମୂଲ୍ୟ ତୁଳନାରେ ବିକ୍ରୟ ମୂଲ୍ୟ ୨୫ ଲକ୍ଷ ଟଙ୍କା ଅଧିକ। କାଗଜପତ୍ର ହିସାବରେ ଏହା ପ୍ରାୟ ୨.୪ ପ୍ରତିଶତ ବୃଦ୍ଧି।

ତେବେ ପ୍ରଶ୍ନ ଉଠୁଛି ୧୦ ମାସରେ କୈଳାଶ ଖେରଙ୍କୁ ମିଳିଲା କି ୨୫ ଲକ୍ଷ ଟଙ୍କାର ଲାଭ? ପ୍ରପର୍ଟି ରେଜିଷ୍ଟ୍ରେସନ୍ ଦସ୍ତାବିଜ ଅନୁସାରେ, ଏହି ଡିଲ୍ ୯ ସେପ୍ଟେମ୍ବର ୨୦୨୬ରେ ରେଜିଷ୍ଟର ହୋଇଛି। Lakewater Retail Private Limited ଏହି ଅଫିସ୍ଟି କୈଳାଶ ଖେରଙ୍କଠାରୁ କିଣିଛି। ଅଫିସଟି BKCର ଟ୍ରେଡ ସେଣ୍ଟରର ସପ୍ତମ ମହଲାରେ ରହିଥିବା ବେଳେ, ଏହା ସହ ଗୋଟିଏ କାର୍ ପାର୍କିଂ ସ୍ପେସ୍ ମଧ୍ୟ ଡିଲ୍ରେ ସାମିଲ ରହିଛି।

ଡିଲ୍ର ମୋଟ ମୂଲ୍ୟ ୧୦ କୋଟି ୭୫ ଲକ୍ଷ ଟଙ୍କା। ଏହି ଟ୍ରାଞ୍ଜାକ୍ସନ୍ ପାଇଁ ପ୍ରାୟ ୬୪ ଲକ୍ଷ ୫୦ ହଜାର ଟଙ୍କା ଷ୍ଟାମ୍ପ ଡ୍ୟୁଟି ମଧ୍ୟ ଦିଆଯାଇଛି। ୨୫ ଲକ୍ଷ ଟଙ୍କା ଅଧିକ ଦାମରେ ଅଫିସ୍ ବିକ୍ରି ହୋଇଥିଲେ ମଧ୍ୟ, ଏହାକୁ ସିଧାସଳଖ କୈଳାଶ ଖେରଙ୍କ ନିଟ୍ ଲାଭ କୁହାଯାଇପାରିବ ନାହିଁ। କାରଣ ପ୍ରପର୍ଟି କିଣାବିକା ବେଳେ ଷ୍ଟାମ୍ପ ଡ୍ୟୁଟି, ରେଜିଷ୍ଟ୍ରେସନ୍ ଫି’, ଟ୍ୟାକ୍ସ ଓ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ହୋଇଥାଏ।

ତେଣୁ କାଗଜପତ୍ରରେ ୨୫ ଲକ୍ଷ ଟଙ୍କାର ବୃଦ୍ଧି ଦେଖାଯାଉଥିଲେ ମଧ୍ୟ, ସମସ୍ତ ଖର୍ଚ୍ଚକୁ ହିସାବକୁ ନେଲେ ପ୍ରକୃତ ଲାଭ କେତେ, ତାହା ଅଲଗା ହିସାବ। ଗୀତରେ ନିଜ କଣ୍ଠର ଛାପ ଛାଡ଼ିଥିବା କୈଳାଶ ଖେରଙ୍କ ଏହି ପ୍ରପର୍ଟି ଡିଲ୍ ଏବେ ମୁମ୍ବାଇର ରିଅଲ୍ ଇଷ୍ଟେଟ୍ ମହଲରେ ଚର୍ଚ୍ଚାର ନୂଆ ବିଷୟ।