ନୂଆଦିଲ୍ଲୀ- ଏକ ସମୟରେ ଯେଉଁ ଚେହେରାକୁ ଭାରତରେ ଗ୍ରହଣ କରାଯାଇନଥିଲା, ସେହି ଚେହେରା ହିଁ ପରେ ପ୍ୟାରିସର ଫ୍ୟାଶନ୍ ଜଗତରେ ସୃଷ୍ଟି କରିଥିଲା ଚହଳ। ଯେଉଁ ଲମ୍ବା ଶରୀର ଓ ଲମ୍ବା ଗୋଡ଼କୁ ନେଇ ତାଙ୍କୁ ଅଜବ ନାମରେ ଡକାଯାଉଥିଲା, ସେହି ଲମ୍ବା ଗୋଡ଼ ହିଁ ପରେ ତାଙ୍କର ସବୁଠାରୁ ବଡ଼ ପରିଚୟ ହୋଇଥିଲା।

ଅଞ୍ଜଳି ଫିଲିସ୍ ମେଣ୍ଡେସଙ୍କ , ଭାରତରେ ରଙ୍ଗ, ଉଚ୍ଚତା ଓ ଶରୀର ପାଇଁ ପ୍ରତ୍ୟାଖ୍ୟାନ ହୋଇଥିବା ଜଣେ ଯୁବତୀ, ଯିଏ ପରେ ପ୍ୟାରିସରେ ମହାନ ଡିଜାଇନର୍ ପିଏର କାର୍ଡିନଙ୍କ ମ୍ୟୁଜ୍ ଭାବେ ପରିଚିତ ହୋଇଥିଲେ। ନାମ ଥିଲା ଫିଲିସ୍, ସ୍ୱପ୍ନ ଥିଲା ବଡ଼ l ଭାରତ ସ୍ୱାଧୀନ ହେବାର ଠିକ୍ ପୂର୍ବରୁ ଜନ୍ମ ନେଇଥିଲେ ଫିଲିସ୍ ମେଣ୍ଡେସ୍। ଗୋଆର ଏକ ସାଧାରଣ ପରିବାରରେ ସେ ସାତ ଭାଇଭଉଣୀଙ୍କ ମଧ୍ୟରୁ ଚତୁର୍ଥ ଥିଲେ। ପରିବାରର ଆର୍ଥିକ ସ୍ଥିତି ବେଶୀ ଭଲ ନଥିଲା। ବାପା ସ୍ୱିସ୍ ଘଡ଼ି ବ୍ରାଣ୍ଡର ପ୍ରତିନିଧି ଥିବାବେଳେ ମା’ ଥିଲେ ଗୃହିଣୀ। ବଡ଼ ପରିବାରର ଖର୍ଚ୍ଚ ଚଳାଇବା ସହଜ ନଥିଲା। ପିଲାବେଳୁ ତାଙ୍କ ଉଚ୍ଚତା ଅନ୍ୟମାନଙ୍କଠାରୁ ଅଲଗା ଥିଲା। ସ୍କୁଲରେ ମଧ୍ୟ ଏହି ଉଚ୍ଚତା ତାଙ୍କୁ ଅସହଜ ପରିସ୍ଥିତିରେ ପକାଉଥିଲା। ସ୍କୁଲରେ ଆଗ ଧାଡ଼ିରେ ବସିଲେ ଅନ୍ୟ ପିଲାଙ୍କ ଦେଖିବାରେ ବାଧା ହେଉଥିବାରୁ ସେ ପଛ ଧାଡ଼ିରେ ବସୁଥିଲେ। କିନ୍ତୁ ମନ ଭିତରେ ଥିଲା ଅନ୍ୟ ଏକ ବିଶ୍ୱାସ। ନିଜ ସାଙ୍ଗକୁ ସେ ଥରେ କହିଥିଲେ ଦିନେ ନା ଦିନେ ସେ ବହୁତ ପ୍ରସିଦ୍ଧ ହେବେ। ସେତେବେଳେ ହୁଏତ କେହି ତାଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ। କିନ୍ତୁ ଜୀବନ ତାଙ୍କ ପାଇଁ ଅନ୍ୟ କିଛି ଲେଖି ରଖିଥିଲା।

 

also read -ହୈୱାନ’ରେ ସୈଫ୍ ଓ ଅକ୍ଷୟଙ୍କ ଆକ୍ସନ ଧମାକାରେ ଦର୍ଶକ ପାଗଳ....

ପରିବାରର ଆର୍ଥିକ ସମସ୍ୟା ଯୋଗୁଁ ଅଞ୍ଜଳିଙ୍କୁ ଖୁବ୍ କମ୍ ବୟସରୁ ରୋଜଗାର କରିବାକୁ ପଡ଼ିଥିଲା। କଲେଜ ଯିବା ଓ ବସ୍ ଭଡ଼ା ଦେବା ମଧ୍ୟ କଷ୍ଟକର ହେବା ପରେ ସେ ଏକ କିଣ୍ଡରଗାର୍ଟେନ୍ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ ଆରମ୍ଭ କଲେ। ପ୍ରଥମ ଦରମା ଥିଲା ମାତ୍ର ୬୫ ଟଙ୍କା। ପରେ ବାପା ଚାକିରି ହରାଇବାରୁ ପରିବାର ଉପରେ ଆର୍ଥିକ ଚାପ ଆହୁରି ବଢ଼ିଗଲା। ସେ କଲେଜ ଛାଡ଼ି ସେକ୍ରେଟାରିଆଲ୍ କୋର୍ସ କଲେ। କୋର୍ସ ପରେ ସେ ବିଜ୍ଞାପନ ଜଗତର ଜଣାଶୁଣା ବ୍ୟକ୍ତି ବବି ସିଷ୍ଟାଙ୍କ ସେକ୍ରେଟାରୀ ଭାବେ କାମ କରିବାକୁ ଲାଗିଲେ। ଏହି ଚାକିରି ହିଁ ତାଙ୍କ ଜୀବନର ଦିଗ ବଦଳାଇଦେଲା।

ଦିନେ କାମକୁ ବସ୍ରେ ଯାଉଥିବା ସମୟରେ ଜଣେ ସହଯାତ୍ରୀ ତାଙ୍କୁ ଆସନ୍ତା ଏକ ଫ୍ୟାଶନ୍ ଶୋ’ରେ ଭାଗ ନେବାକୁ ପରାମର୍ଶ ଦେଲେ। ଆର୍ଥିକ ସମସ୍ୟା ମଧ୍ୟରେ ଥିବା ଫିଲିସ୍ ଏହି ସୁଯୋଗକୁ ଛାଡ଼ିଲେ ନାହିଁ। ୧୯୬୯ରେ ଜିନି ନାରୋଜିଙ୍କ ଦ୍ୱାରା କୋରିଓଗ୍ରାଫ୍ ହୋଇଥିବା ଏକ ଫ୍ୟାଶନ୍ ଶୋ’ରେ ସେ ଭାଗ ନେଲେ। ଏହା Eve’s Weekly Miss India ପ୍ରତିଯୋଗିତା ସହ ଜଡ଼ିତ ଥିଲା। ଏହି ଶୋ’ରେ ତାଙ୍କୁ ଯେତେବେଳେ କଣ୍ଟାକ୍ଟ ଲେନ୍ସ ପିନ୍ଧିବାକୁ କୁହାଗଲା, ସେ ତାହା କଲେ। ଆଉ ତା’ପରେ ତାଙ୍କୁ ଶୋ’ର ଓପନିଂ ମଡେଲ୍ ଭାବେ ବାଛି ନିଆଗଲା।

କିନ୍ତୁ ପରଦିନ ଖବରକାଗଜରେ ତାଙ୍କୁ ‘Ethiopian Princess’ ବୋଲି ଉଲ୍ଲେଖ କରାଗଲା। ନାମଟି ତାଙ୍କ ପାଇଁ ଏକ ପ୍ରକାର ଅପମାନଜନକ ଥିଲା। ତଥାପି ସେହି ଅନୁଭୂତି ତାଙ୍କୁ ନିଜ ଭିତରର ମଡେଲ୍କୁ ଚିହ୍ନିବାର ସୁଯୋଗ ଦେଲା। ଯେଉଁ ଲମ୍ବା ଗୋଡ଼କୁ ନେଇ ଥଟ୍ଟା ହେଉଥିଲା, ତାହା ହେଲା ତାଙ୍କ ପରିଚୟ l ଭାରତରେ ତାଙ୍କ ଲମ୍ବା ଶରୀରକୁ ନେଇ ତାଙ୍କୁ ‘Daddy Long Legs’ ବୋଲି ଡକାଯାଉଥିଲା। କିନ୍ତୁ ଫ୍ୟାଶନ୍ ରାମ୍ପରେ ସେହି ଲମ୍ବା ଗୋଡ଼ ହିଁ ତାଙ୍କୁ ଅନ୍ୟମାନଙ୍କଠାରୁ ଆଗରେ ରଖିଦେଲା।

ଯେଉଁ ବୈଶିଷ୍ଟ୍ୟକୁ ନେଇ ଲୋକେ ତାଙ୍କୁ ଅଲଗା ଭାବୁଥିଲେ, ରାମ୍ପରେ ସେହି ବୈଶିଷ୍ଟ୍ୟ ତାଙ୍କର ସବୁଠାରୁ ବଡ଼ ଶକ୍ତି ପାଲଟିଗଲା।୧୯୭୧ରେ ମହାରାଜା ଅଫ୍ ଜାମନଗରଙ୍କ ଅଳଙ୍କାର ପ୍ରଦର୍ଶନ କରୁଥିବା ଏକ ଫଟୋସେସନ୍ରୁ ସେ ୫,୦୦୦ ଟଙ୍କା ରୋଜଗାର କଲେ। ତଥାପି ଭାରତରେ ତାଙ୍କ କ୍ୟାରିୟର୍ ସେତେବେଳେ ଆଶା କରାଯାଉଥିବା ଗତିରେ ଆଗକୁ ବଢ଼ୁନଥିଲା।

ତାଙ୍କ ଦକ୍ଷତା ଚିହ୍ନିଥିବା ଜିନି ନାରୋଜି ଓ ମୌରିନ୍ ୱାଡିଆ ତାଙ୍କୁ ପ୍ୟାରିସ୍ ଯିବାକୁ ବାରମ୍ବାର ପରାମର୍ଶ ଦେଲେ। ଶେଷରେ ଫିଲିସ୍ ନିଷ୍ପତ୍ତି ନେଲେ। ହାତରେ ଥିଲା Kuwait Airlinesର ରିଟର୍ନ ଟିକେଟ୍ ଓ ମାତ୍ର ୧୫୦ ଫ୍ରାଙ୍କ। ଏତିକି ସମ୍ବଳ ନେଇ ସେ ପ୍ୟାରିସ୍ ଯାତ୍ରା କଲେ। ପ୍ୟାରିସ୍ ପହଞ୍ଚିବାର ପରଦିନ ହିଁ ସେ ବିଶ୍ୱପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ପିଏର କାର୍ଡିନଙ୍କୁ ଭେଟିବାକୁ ଗଲେ। ସାଢ଼ି ପିନ୍ଧି, କେଶକୁ ଚିଗ୍ନନ୍ ଷ୍ଟାଇଲ୍ରେ ସଜାଇ ଏବଂ କପାଳରେ ଟିକା ଲଗାଇ ସେ କାର୍ଡିନଙ୍କ ଅଫିସ୍ରେ ପହଞ୍ଚିଲେ। ସକାଳ ୧୧ଟା ୩୦ରେ ପହଞ୍ଚିଥିଲେ ମଧ୍ୟ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା। ହାତରେ ଥିବା ଟଙ୍କା ଅତ୍ୟନ୍ତ କମ୍ ଥିବାରୁ ସେ ଅପେକ୍ଷା କରୁଥିବା ସମୟରେ ଭୋକିଲା ମଧ୍ୟ ରହିଥିଲେ।

ଶେଷରେ ପିଏର କାର୍ଡିନ ତାଙ୍କୁ ଭେଟିଲେ। ସେ ଫିଲିସ୍ଙ୍କୁ ଚାଲିବାକୁ କହିଲେ ଏବଂ ତାଙ୍କ ଗୋଡ଼ ଦେଖାଇବାକୁ କହିଲେ।ସାଢ଼ି ପିନ୍ଧିଥିବା ଫିଲିସ୍ଙ୍କ ପାଇଁ ଏହା ଏକ ଅଜବ ମୁହୂର୍ତ୍ତ ଥିଲା। ତଥାପି ସେ ନିଜ ଗୋଡ଼ ଦେଖାଇଲେ। କାର୍ଡିନ ତାଙ୍କୁ ଦେଖି କହିଲେ ଫାଣ୍ଟାଷ୍ଟିକ !’ ତା’ପରେ ସେ ଘୋଷଣା କରିଦେଲେ ଯେ ପରଦିନଠାରୁ ଫିଲିସ୍ ତାଙ୍କ ହାଉସ୍ ମଡେଲ୍ ଭାବେ କାମ କରିବେ। ଏହି ଗୋଟିଏ ମୁହୂର୍ତ୍ତ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇଦେଲା। ଏହି ସମୟରେ ସେ ନିଜ ନାମ ‘ଫିଲିସ୍’ ବଦଳାଇ ‘ଅଞ୍ଜଳି’ କରିଥିଲେ। ପରବର୍ତ୍ତୀ ୧୨ ବର୍ଷ ଧରି ସେ ପିଏର କାର୍ଡିନଙ୍କ ମ୍ୟୁଜ୍ ଭାବେ ରହିଲେ। ଏହା ସହିତ Ungaro, Givenchy ଓ Schiaparelli ଭଳି ଫ୍ୟାଶନ୍ ହାଉସ୍ ପାଇଁ ମଧ୍ୟ ମଡେଲିଂ କରିଥିଲେ। ସମୟ ବଦଳିଗଲା। ଭାରତରେ ଯେଉଁମାନେ ତାଙ୍କୁ ‘ଅତି କଳା’ ଓ ‘ଅତି ପତଳା’ ବୋଲି ଅସ୍ୱୀକାର କରିଥିଲେ, ସେମାନେ ହିଁ ପରେ ତାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରିବାକୁ ଲାଗିଲେ। ପ୍ୟାରିସ୍ରେ ଅଞ୍ଜଳି ଏକ ପରିଚିତ ଭାରତୀୟ ମୁହଁ ହୋଇଯାଇଥିଲେ। କିନ୍ତୁ ଗ୍ଲାମର୍ ଓ ସଫଳତା ମଧ୍ୟରେ ତାଙ୍କ ବ୍ୟକ୍ତିଗତ ଜୀବନରେ ଥିଲା ଏକ ଗଭୀର ଶୂନ୍ୟତା।

ସଫଳତା ମିଳିଲା, ହେଲେ ପ୍ରେମ ରହିଗଲା ଅଧୁରା ପ୍ୟାରିସ୍ରେ ରହୁଥିବା ସମୟରେ ଜଣେ ଇଂରାଜ ବ୍ୟକ୍ତିଙ୍କ ସହ ଅଞ୍ଜଳିଙ୍କ ପ୍ରେମ ହୋଇଥିଲା। ଦୁହେଁ ବିବାହ କରିବାକୁ ମଧ୍ୟ ସ୍ଥିର କରିଥିଲେ। କିନ୍ତୁ ବିବାହ ପୂର୍ବରୁ ସେହି ବ୍ୟକ୍ତି କ୍ୟାନ୍ସରରେ ପ୍ରାଣ ହରାଇଲେ। ଏହି ଘଟଣା ଅଞ୍ଜଳିଙ୍କ ଜୀବନରେ ଗଭୀର ଆଘାତ ଦେଇଥିଲା। ପରେ ସେ ଆଉ କାହାକୁ ବିବାହ କରିପାରିନଥିଲେ।

ମାତାପିତାଙ୍କ ମୃତ୍ୟୁ ପରେ ଅଞ୍ଜଳି ମଡେଲିଂ ଛାଡ଼ିଥିଲେ। ପରେ ସେ ପିଏର କାର୍ଡିନଙ୍କ ଭାରତୀୟ ବ୍ୟବସାୟିକ କାର୍ଯ୍ୟକଳାପ ସହ ଜଡ଼ିତ ହେଲେ ଏବଂ ମଡେଲ୍ରୁ ବ୍ୟବସାୟୀ ଭାବେ ନୂଆ ଭୂମିକା ନେଲେ। ପ୍ରାୟ ୧୮ ବର୍ଷ ଧରି ସେ ଏହି ଭୂମିକାରେ ରହିଥିଲେ। ୨୦୦୦ ମସିହାରେ କାର୍ଡିନଙ୍କ ଟିମ୍ ବିଦେଶୀ କାର୍ଯ୍ୟାଳୟ ବନ୍ଦ କରିବା ପରେ ତାଙ୍କ ସେହି ଅଧ୍ୟାୟ ମଧ୍ୟ ଶେଷ ହୋଇଥିଲା। ପରେ ରୋଷେଇ ତାଙ୍କ ପ୍ରିୟ କାମ ହୋଇଗଲା। ସେ ଭାରତୀୟ ରୋଷେଇ ଉପରେ ଏକ cookbook ମଧ୍ୟ ପ୍ରସ୍ତୁତ କରିଥିଲେ ଏବଂ ଜଣେ ଭଲ ହୋଷ୍ଟ ଭାବେ ପରିଚିତ ହୋଇଥିଲେ।

ନିଜ ଜୀବନକୁ ନେଇ ଅଞ୍ଜଳିଙ୍କ ଚିନ୍ତାଧାରା ହିଁ ତାଙ୍କ କାହାଣୀର ସବୁଠାରୁ ବଡ଼ ସନ୍ଦେଶ। ସେ ନିଜକୁ କେବେ ଅନ୍ୟମାନଙ୍କ ମାପଦଣ୍ଡରେ ମାପିନଥିଲେ। ତାଙ୍କ କଥାରେ, ସେ ନିଜେ ନିଜକୁ ‘ugly duckling’ରୁ ‘swan’ରେ ପରିଣତ କରିଥିଲେ ଏବଂ ନିଜକୁ ପ୍ରମାଣ କରିବା ପାଇଁ ଯାହା କରିବାର ଥିଲା, ତାହା କରିଥିଲେ।

ଅଞ୍ଜଳିଙ୍କ ଘନିଷ୍ଠ ବନ୍ଧୁମାନେ ତାଙ୍କୁ କେବଳ ଜଣେ ଗ୍ଲାମରସ୍ ମଡେଲ୍ ଭାବେ ନୁହେଁ, ବରଂ ଜଣେ ସରଳ, ପରିଶ୍ରମୀ ଓ ଦୟାଳୁ ଗୋଆନ୍ ଝିଅ ଭାବେ ମନେ ରଖିଥିଲେ। ଇତିହାସ, ସାହିତ୍ୟ, ସଙ୍ଗୀତ ଓ ସଂସ୍କୃତି ଉପରେ ତାଙ୍କର ଗଭୀର ଜ୍ଞାନ ଥିଲା। ସେ ଏଡ୍ସ ରୋଗୀମାନଙ୍କ ଯତ୍ନ ନେବାରେ ମଧ୍ୟ ସମୟ ଦେଉଥିଲେ।

୨୦୧୦ରେ ପେଟର ସଂକ୍ରମଣ ଯୋଗୁଁ ଅଞ୍ଜଳି ଫିଲିସ୍ ମେଣ୍ଡେସଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ କାହାଣୀ କେବଳ ଜଣେ ମଡେଲ୍ର ସଫଳତାର କାହାଣୀ ନୁହେଁ। ଏହା ସେହି ସମାଜ ପାଇଁ ଏକ ଉତ୍ତର, ଯେଉଁ ସମାଜ ଚେହେରା, ରଙ୍ଗ, ଉଚ୍ଚତା କିମ୍ବା ଶରୀରର ଆକାର ଆଧାରରେ ପ୍ରତିଭାକୁ ମାପିଥାଏ। ଭାରତରେ ଯାହାକୁ ତାଙ୍କର ‘ଦୁର୍ବଳତା’ କୁହାଯାଇଥିଲା, ପ୍ୟାରିସ୍ରେ ସେହି ଗୁଣ ହିଁ ତାଙ୍କୁ ଦେଇଥିଲା ପରିଚୟ। ଅଞ୍ଜଳିଙ୍କ କାହାଣୀ ପ୍ରମାଣ କରୁଛି ଠିକ ଆଖି ଠିକ ଲୋକଙ୍କୁ ଚିହ୍ନି ଚିହ୍ନି ପରେ l ତେଣୁ କାହା କଥାରେ ନିଜକୁ ନୀଚ ଦେଖିବା ଅପେକ୍ଷା ନିଜ ଭିତରେ ଥିବା ସମ୍ଭାବନା କୁ ଦେଖିବା ବହୁତ ଜରୁରୀ