ନୂଆଦିଲ୍ଲୀ: ଗ୍ଲାସଗୋରେ ଚାଲିଥିବା କମନୱେଲ୍ଥ ଗେମ୍ସ (CWG) ୨୦୨୬ରେ ଭାରତୀୟ ଭାରୋତ୍ତୋଳକ ଜ୍ଞାନେଶ୍ୱରୀ ଯାଦବ ଐତିହାସିକ ପ୍ରଦର୍ଶନ କରି ମହିଳା ୫୩ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। ଜ୍ଞାନେଶ୍ୱରୀ ଏହି ପଦକ ଜିତିବା ସହିତ ଗ୍ଲାସଗୋ କମନୱେଲ୍ଥ ଗେମ୍ରେ ଭାରତର ମୋଟ ପଦକ ସଂଖ୍ୟା ୫କୁ ଅତିକ୍ରମ କରିଛି।

ସୋମବାର ହୋଇଥିବା ଫାଇନାଲରେ ଜ୍ଞାନେଶ୍ୱରୀ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ଏସିଆନ ଚାମ୍ପିୟନସିପରେ ବ୍ରୋଞ୍ଜ ମେଡାଲ ଜିତିଥିବା ଏହି ୨୩ ବର୍ଷୀୟ ଭାରତୀୟ ଖେଳାଳି ମୋଟ ୧୯୯ କିଲୋଗ୍ରାମ ଭାର ଉଠାଇ ଏହି ପଦକ ହାସଲ କରିଛନ୍ତି। ସେ ସ୍ନାଚ୍ରେ ୮୮ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ ଜର୍କରେ ୧୧୧ କିଲୋଗ୍ରାମ ଭାର ଉଠାଇ ଏହି ସଫଳତା ପାଇଛନ୍ତି।
Also Read- ଇତିହାସ ରଚିଲେ ମୀରବାଈ ଚାନୁ, ତୃତୀୟ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜିତିଲେ ସ୍ବର୍ଣ୍ଣ ପଦକ

ନାଇଜେରିଆର ଓନୋମେ ଓମୋଲୋଲା ଦିଦିହ ୨୦୬ କିଲୋଗ୍ରାମ (୯୩ କିଲୋଗ୍ରାମ ସ୍ନାଚ୍ ଓ ୧୧୩ କିଲୋଗ୍ରାମ କ୍ଲିନ୍ ଆଣ୍ଡ ଜର୍କ) ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ କାନାଡାର ରେବେକା ଗ୍ରୋଲକ୍ସ ୧୭୮ କିଲୋଗ୍ରାମ ସହ କାଂସ୍ୟ ପଦକ ହାସଲ କରିଛନ୍ତି।

ଫାଇନାଲରେ ଜ୍ଞାନେଶ୍ୱରୀଙ୍କ ଦମଦାର ପ୍ରଦର୍ଶନ

ସ୍ନାଚ୍ ପର୍ଯ୍ୟାୟରେ ଜ୍ଞାନେଶ୍ୱରୀ ତିନୋଟି ଯାକ ଚେଷ୍ଟାରେ ସଫଳ ହୋଇଥିଲେ। ସେ ୮୨ କିଲୋଗ୍ରାମ, ୮୫ କିଲୋଗ୍ରାମ ଏବଂ ୮୮ କିଲୋଗ୍ରାମ ଭାର ଉଠାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। କ୍ଲିନ୍ ଆଣ୍ଡ ଜର୍କ ପର୍ଯ୍ୟାୟରେ ମଧ୍ୟ ସେ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଥିଲେ। ପ୍ରଥମ ଚେଷ୍ଟାରେ ୧୦୩ କିଲୋଗ୍ରାମ ଏବଂ ଦ୍ୱିତୀୟ ଚେଷ୍ଟାରେ ୧୦୭ କିଲୋଗ୍ରାମ ଭାର ଉଠାଇବା ପରେ ଶେଷ ଚେଷ୍ଟାରେ ୧୧୧ କିଲୋଗ୍ରାମ ଭାର ଉଠାଇ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ।

ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି

ଜ୍ଞାନେଶ୍ୱରୀଙ୍କ ରୌପ୍ୟ ପଦକ ସହ କମନୱେଲ୍ଥ ଗେମ ୨୦୨୬ରେ ଭାରତର ମୋଟ ପଦକ ସଂଖ୍ୟା ୫ରେ ପହଞ୍ଚିଛି। ଭାରୋତ୍ତୋଳନ ମଞ୍ଚରୁ ଭାରତ ଏପର୍ଯ୍ୟନ୍ତ ୪ଟି ପଦକ ହାସଲ କରିଛି। ତଳେ ଦେଖନ୍ତୁ ଭାରତର ପଦକ ତାଲିକା

ଭାରତର ପଦକ ବିଜେତା:

ମୀରାବାଇ ଚାନୁ – ସ୍ୱର୍ଣ୍ଣ (ମହିଳା ୪୮ କିଲୋଗ୍ରାମ ଭାରୋତ୍ତୋଳନ)
ଜ୍ଞାନେଶ୍ୱରୀ ଯାଦବ – ରୌପ୍ୟ (ମହିଳା ୫୩ କିଲୋଗ୍ରାମ ଭାରୋତ୍ତୋଳନ)
ରିଷିକାନ୍ତ ସିଂହ – ରୌପ୍ୟ (ପୁରୁଷ ୬୦ କିଲୋଗ୍ରାମ ଭାରୋତ୍ତୋଳନ)
ମୁଥୁପାଣ୍ଡି ରାଜା – ରୌପ୍ୟ (ପୁରୁଷ ୬୫ କିଲୋଗ୍ରାମ ଭାରୋତ୍ତୋଳନ)
ଝଣ୍ଡୁ କୁମାର – କାଂସ୍ୟ (ପାରା-ପାୱାରଲିଫ୍ଟିଂ)