ଅହମ୍ମଦାବାଦ: ସନରାଇଜର୍ସ ହାଇଦ୍ରାବାଦକୁ ଏକତରଫା ମ୍ୟାଚ୍‌ରେ ପରାସ୍ତ କରି ଟେବୁଲ୍ ଟପ୍ପର ହୋଇଛି ଗୁଜରାଟ ଟାଇଟାନ୍ସ । ମଙ୍ଗଳବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହାଇଦ୍ରାବାଦକୁ ୮୨ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଛି ଶୁଭମନ ବାହିନୀ । ୧୬୮ ରନର ଟାର୍ଗେଟ ପିଛା କରି ଅରେଞ୍ଜ ଆର୍ମି ୧୪.୫ ଓଭରରେ ମାତ୍ର ୮୬ ରନରେ ଅଲଆଉଟ୍ ହୋଇଯାଇଛି । ଏହା ଆଇପିଏଲରେ ହାଇଦ୍ରାବାଦର ସର୍ବନିମ୍ନ ସ୍କୋର ।

ଟାର୍ଗେଟ୍ ପିଛା କରିବା ପାଇଁ ଓହ୍ଲାଇଥିବା ହାଇଦ୍ରାବାଦର ଆରମ୍ଭ ଖରାପ ହୋଇଥିଲା । ଟିମ୍ ମାତ୍ର ୫୬ ରନରେ ୬ଟି ୱିକେଟ ହରାଇଥିଲା । ପ୍ରଥମ ଓଭରରେ ମହମ୍ମଦ ସିରାଜ ଟ୍ରାଭିସ୍ ହେଡ୍ (୦)ଙ୍କୁ ଏବଂ ଦ୍ୱିତୀୟରେ କାଗିସୋ ରାବାଡା, ଅଭିଷେକ ଶର୍ମା (୬)ଙ୍କୁ ଆଉଟ୍ କରିଥିଲେ । ତା'ପରେ ରାବାଡା ଚତୁର୍ଥ ଓଭରରେ ଇଶାନ କିଶନ (୧୧) ଏବଂ ଷଷ୍ଠ ଓଭରରେ ସ୍ମୃତି ରବିଚନ୍ଦ୍ରନ (୯)ଙ୍କୁ ଆଉଟ୍ କରିଥିଲେ । ହାଇଦ୍ରାବାଦ ପାୱାରପ୍ଲେରେ ୩୪ ରନରେ ୪ ୱିକେଟ୍ ହରାଇଥିଲା । ସଲିଲ୍ ଆରୋରା (୧୬)ଙ୍କୁ ୧୦ମ ଓଭରରେ ପ୍ରସିଦ୍ଧ କ୍ରିଷ୍ଣା ଆଉଟ୍ କରିଥିଲେ । ହୋଲ୍ଡର ପରବର୍ତ୍ତୀ ଓଭରରେ ହେନରିଚ୍ କ୍ଲାସେନ୍ (୧୪) ଏବଂ ନୀତୀଶ କୁମାର ରେଡ୍ଡି (୨)ଙ୍କୁ ଆଉଟ୍ କରି ହାଇଦ୍ରାବାଦର ଆଶା ଶେଷ କରିଥିଲେ । ଗୁଜରାଟ ପାଇଁ କାଗିସୋ ରାବାଡା ଏବଂ ହୋଲ୍ଡର ତିନୋଟି ଲେଖାଏଁ ୱିକେଟ ନେଇଥିଲେ । ପ୍ରସିଦ୍ଧ କୃଷ୍ଣ ଦୁଇଟି ଏବଂ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଥିଲେ ।

ପ୍ରଥମେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୭ ରନ୍ କରିଥିଲା । ସାଇ ସୁଦର୍ଶନ (୬୧) ଏବଂ ୱାଶିଂଟନ୍ ସୁନ୍ଦର (୫୦) ପ୍ରତ୍ୟେକେ ଅର୍ଦ୍ଧଶତକ ହାସଲ କରିଥିଲେ । ଗୁଜରାଟ ସିଜନରେ ଲଗାତାର ପଞ୍ଚମ ବିଜୟ ହାସଲ କରିଛି । ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଗୁଜରାଟ ଦଳ ୧୨ଟି ମ୍ୟାଚରୁ ୮ଟି ଜିତି ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି । ହାଇଦ୍ରାବାଦ ୧୨ଟି ମ୍ୟାଚରେ ପଞ୍ଚମ ପରାଜୟ ସହ ଟେବୁଲର ତୃତୀୟ ସ୍ଥାନକୁ ଖସିଯାଇଛି ।