ନ୍ୟୁ ଚଣ୍ଡିଗଡ଼: ଆଇପିଏଲ୍ ୨୦୨୬ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ ଟାଇଟନ୍ସ । ଶୁକ୍ରବାର ନ୍ୟୁ ଚଣ୍ଡିଗଡ଼ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟାରରେ ରାଜସ୍ଥାନକୁ ୭ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି ଗୁଜରାଟ । ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୬ ୱିକେଟ୍ ହରାଇ ୨୧୪ ରନ୍ କରିଥିଲା । ଏହାର ଜବାବରେ ଗୁଜରାଟ ୩ ୱିକେଟ୍ ହରାଇ ୮ଟି ବଳକା ୨୧୯ କରିବାରେ ସଫଳ ହୋଇଛି ।

୨୧୫ ରନର ଟାର୍ଗେଟ ପିଛା କରି ଗୁଜରାଟ ଟାଇଟାନ୍ସ ଏକ ଦୃଢ଼ ଆରମ୍ଭ କରିଥିଲା । ପାୱାର ପ୍ଲେ’ରେ ଶୁଭମନ ଗିଲ ଏବଂ ସାଇ ସୁଦର୍ଶନ କୌଣସି ୱିକେଟ ନ ହରାଇ ୬୯ ରନ କରିଥିଲେ । ଗିଲ ଏବଂ ସୁଦର୍ଶନ ପ୍ରଥମ ୱିକେଟ ପାଇଁ ୧୬୭ ରନର ପାର୍ଟନରସିପ୍ କରିଥିଲେ । ସାଇ ସୁଦର୍ଶନ ୩୨ ବଲରୁ ୫୮ ରନ୍ କରି ହିଟ୍ ୱିକେଟ୍ ହୋଇଥିଲେ । ଅଧିନାୟକ ଶୁଭମନ ଗିଲ୍ ୫୩ ବଲରୁ ୧୦୪ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ୱାଶିଂଟନ ସୁନ୍ଦର ୧୬, ଯୋଶ ବଟଲର୍ ୯ ଏବଂ ରାହୁଲ ତେୱତିଆ ୧୭ ରନ୍ କରି ଅପରାଜିତ ରହିଥିଲେ ।

ଦ୍ୱିତୀୟ କ୍ୱାଲିଫାୟରରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୬ ୱିକେଟ୍ ହରାଇ ୨୧୪ ରନ କରିଥିଲା । ଶେଷ ଓଭରରେ ରାଜସ୍ଥାନ ପାଇଁ ଫେରିରା ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । ସେ ରସିଦ ଖାନଙ୍କ ଓଭରରେ ଚାରୋଟି ଛକା ମାରି ରାଜସ୍ଥାନକୁ ୨୦୦ ରନ ଅତିକ୍ରମ କରିବାରେ ସାହାଯ୍ୟ କରିଥିଲେ । ବୈଭବ ସୂର୍ଯ୍ୟବଂଶୀ ସର୍ବାଧିକ ୯୬ ରନ କରିଥିଲେ । ରବିନ୍ଦ୍ର ଜାଡେଜା ୩୫ ବଲରୁ ୪୫ ରନ କରିଥିଲେ । ଫେରାରା ୧୧ ବଲରୁ ୩୮ ରନ କରିଥିଲେ । ଗୁଜରାଟ ପକ୍ଷରୁ ରାବାଡା ଏବଂ ହୋଲ୍ଡର ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।