ଭୁବନେଶ୍ୱର : ଗୁଜରାଟରେ ଲଗାତାର ପ୍ରବଳ ବର୍ଷା ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି । ସେଠାରେ ବନ୍ୟା ପରିସ୍ଥିତି ଏତେ ଗୁରୁତର ଯେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି । ଏହାର ଏକ ହୃଦୟବିଦାରକ ଚିତ୍ର ଏବେ ସାମ୍ନାକୁ ଆସିଛି, ଯାହା ଖୁବ ଭାଇରାଲ ମଧ୍ୟ ହୋଇଛି । ଭାଇରାଲ ଭିଡିଓଟିରେ ଦେଖାଯାଇଛି ଯେ ଜଣେ ବ୍ୟାଙ୍କ କର୍ମଚାରୀ ନିଜ ଘର ବାହାରେ ବେକ ପର୍ଯ୍ୟନ୍ତ ପାଣି ଜମିଥିବା ଦୃଶ୍ୟ ଦେଖାଇ କହିଛନ୍ତି ଯେ, ଏଭଳି ପରିସ୍ଥିତିରେ କାର୍ଯ୍ୟସ୍ଥଳରେ ପହଞ୍ଚିବା ସମ୍ଭବ ହୋଇନଥିଲା। ତେଣୁ ସେ ଅଫିସ ଯାଇନପାରିବାରୁ ତାହାର ଏକ ଭିଡିଓ ବନାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଯାହା ଏବେ ନିଆଁ ଭଳି ଭାଇରଲ ହେଉଛି ।

ସୂଚାନୁଯାୟୀ, ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ବନ୍ଧନ ବ୍ୟାଙ୍କର ଜଣେ କର୍ମଚାରୀ ନିଜ ଘର ବାହାରେ ବେକ ପର୍ଯ୍ୟନ୍ତ ପାଣି ଜମିଥିବା ଦୃଶ୍ୟ ନିଜ ଦେଖାଇଛନ୍ତି। ସେ କହିଛନ୍ତି ଯେ, ରାସ୍ତା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବାରୁ ସେ ଅଫିସ୍ ଯାଇପାରିନଥିଲେ। ଆଉ ଶେଷରେ ସେ ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଗୁଜରାଟର ବିଭିନ୍ନ ଅଞ୍ଚଳରେ ଅବିରତ ବର୍ଷା ଯୋଗୁଁ ଅନେକ ରାସ୍ତା, ଘର ଏବଂ କିଛି ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି । ଅନେକ ସ୍ଥାନରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ଏବଂ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ଏଥିରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ।

ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସତର୍କତା ଜାରି କରାଯାଇଛି ଏବଂ ଅନାବଶ୍ୟକ ଭାବେ ଘରୁ ବାହାରକୁ ନଯିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି । ଏହାସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରଖାଯାଇଥିବା ସୂଚନା ରହିଛି । ଭାଇରାଲ୍ ହୋଇଥିବା ଏହି ଭିଡିଓ ଗୁଜରାଟର ବର୍ତ୍ତମାନ ବନ୍ୟା ପରିସ୍ଥିତିର ଗମ୍ଭୀରତାକୁ ସ୍ପଷ୍ଟ ଭାବେ ଦର୍ଶାଉଛି। ଆଗକୁ ଗୁଜରାଟରେ କେବେ ବର୍ଷାର ପ୍ରକୋପ କମିବ ଏବଂ ସାଧାରଣ ଜନଜୀବନ କେବେ ସ୍ୱାଭାବିକ ହେବ, ତାକୁ ନେଇ ସମସ୍ତଙ୍କ ଚିନ୍ତା ବଢିଛି ।