ନୂଆଦିଲ୍ଲୀ: ଜିଏସ୍‌ଟି ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅକ୍ଟୋବର ୭ରେ ହେବାକୁ ଥିବା ଜିଏସ୍‌ଟି କାଉନସିଲ୍ ବୈଠକରେ ଟ୍ୟାକ୍ସ ଏନଫୋର୍ସମେଣ୍ଟ ବ୍ୟବସ୍ଥାରେ ବଡ଼ ସଂସ୍କାର ଆଣିବା ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ଏଥିରେ ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ଜିଏସ୍‌ଟି ଅଧିକାରୀଙ୍କ ଠାରୁ ଗିରଫ କରିବାର କ୍ଷମତା ଛଡ଼ାଇ ନେବା।

ପ୍ରସ୍ତାବିତ ବ୍ୟବସ୍ଥା ଅନୁସାରେ CGST ଆଇନର ଧାରା ୬୯ ଅନୁଯାୟୀ ଜିଏସ୍‌ଟି ଅଧିକାରୀମାନେ କୋର୍ଟଙ୍କ ବିନା ଅନୁମତିରେ କୌଣସି କରଦାତାଙ୍କୁ ଗିରଫ କରିପାରିବେ ନାହିଁ। ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ ବୋଲି ଖବର ମିଳୁଛି।

ନେକ୍ସଟ୍-ଜେନେରେସନ୍ ଜିଏସ୍‌ଟି ରିଫର୍ମ’ର ଅଂଶ ଭାବେ ଏହି ପରିବର୍ତ୍ତନଗୁଡ଼ିକ କରାଯିବ। ଫଳରେ ଜିଏସ୍‌ଟି ଏନଫୋର୍ସମେଣ୍ଟ ବ୍ୟବସ୍ଥାକୁ ଗିରଫ ଓ ଦଣ୍ଡକେନ୍ଦ୍ରିକ ଆଭିମୁଖ୍ୟରୁ ପରିବର୍ତ୍ତନ କରି ଟ୍ୟାକ୍ସ ଆଦାୟ ଓ ନାଗରିକ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦିଆଯାଇପାରେ।

Also Read- MDR ଚାର୍ଜକୁ ନେଇ ଆସିଲା ଭିନ୍ନ ମତ l ପ୍ରଭାବିତ ହେବେକି ଗ୍ରାହକ !

GST ଆଇନ ଅଧୀନରେ ଅପରାଧିକ ମାମଲା ଆରମ୍ଭ କରିବାର ସୀମା ମଧ୍ୟ ବଢ଼ାଇବା ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ ୧ କୋଟି ଟଙ୍କାରୁ ଅଧିକ ଟ୍ୟାକ୍ସ ଚୋରି ହେଲେ ଅଭିଯୋଗ ଆରମ୍ଭ ହୋଇପାରୁଥିବା ବେଳେ ଏହାକୁ ୫ କୋଟି ଟଙ୍କା କରିବା ପାଇଁ ବିଚାର ହୋଇପାରେ।

ଏହା ଲାଗୁ ହେଲେ ଛୋଟ କିମ୍ବା ମଧ୍ୟମ ଧରଣର ଟ୍ୟାକ୍ସ ବିବାଦକୁ ଅପରାଧିକ ମାମଲା ଭାବେ ଦେଖାଯିବ ନାହିଁ। ବିଶେଷକରି ଟ୍ୟାକ୍ସର ବର୍ଗୀକରଣ, ମୂଲ୍ୟ ନିର୍ଦ୍ଧାରଣ କିମ୍ବା ଇନପୁଟ ଟ୍ୟାକ୍ସ କ୍ରେଡିଟ (ITC) ଦାବିକୁ ନେଇ ନିୟମର ଭିନ୍ନ ବ୍ୟାଖ୍ୟା ଯୋଗୁ ହେଉଥିବା ବିବାଦକୁ ଅପରାଧିକ ମାମଲାରୁ ବାଦ ଦେବାର ପ୍ରସ୍ତାବ ରହିଛି।

ଟ୍ୟାକ୍ସ ଆଦାୟ କ୍ଷମତା ରହିବ

ତେବେ ଏହି ସଂସ୍କାର ଦ୍ୱାରା ସରକାରଙ୍କ ଅନାଦାୟ ଟ୍ୟାକ୍ସ ଆଦାୟ କରିବାର କ୍ଷମତା ପ୍ରଭାବିତ ହେବ ନାହିଁ। କେହି କମ୍ ଟ୍ୟାକ୍ସ ଦେଇଥିଲେ କିମ୍ବା ଭୁଲ ଭାବେ ITC ଦାବି କରିଥିଲେ, ତାଙ୍କ ବିରୋଧରେ ଟ୍ୟାକ୍ସ ରିକଭରି, ସୁଧ ଓ ଜରିମାନା ଭଳି ପ୍ରକ୍ରିୟା ଜାରି ରହିବ।

କିଛି ନିର୍ଦ୍ଦିଷ୍ଟ ଅପରାଧରେ ନିର୍ଦ୍ଧାରିତ ଟ୍ୟାକ୍ସ, ସୁଧ ଓ ଜରିମାନା ଦେଇ ମାମଲାର ସମାଧାନ କରିବା ପାଇଁ କମ୍ପାଉଣ୍ଡିଂ ବ୍ୟବସ୍ଥା ମଧ୍ୟ ରହିବ। ତେବେ ଜାଣିଶୁଣି ବଡ଼ ଧରଣର ଟ୍ୟାକ୍ସ ଚୋରି କିମ୍ବା ଠକେଇ କରାଯାଇଥିବା ଗୁରୁତର ମାମଲାରେ କୋର୍ଟ ମାଧ୍ୟମରେ ଅପରାଧିକ ମାମଲା ଜାରି ରହିପାରେ।

୨୪ ଅପରାଧ ମଧ୍ୟରୁ ୯ଟି ହଟିପାରେ

ଜିଏସ୍ଟି ଆଇନରେ ବର୍ତ୍ତମାନ ଅଭିଯୋଗ ବ୍ୟବସ୍ଥା ଅଧୀନରେ ଥିବା ୨୪ଟି ଅପରାଧରେ ପରିବର୍ତ୍ତନ କରାଯିବା ପ୍ରସ୍ତାବ ରହିଛି। ସେଥିରୁ ୯ଟି ଅପରାଧକୁ ସମ୍ପୂର୍ଣ୍ଣ ହଟାଇବା ଏବଂ ୧୧ଟି ଅପରାଧକୁ ବର୍ତ୍ତମାନର ରୂପରେ ରଖିବା ପ୍ରସ୍ତାବ ରହିଛି।

ଏହାସହ ନ୍ୟୁନତମ ଜେଲ୍ ଦଣ୍ଡର ବ୍ୟବସ୍ଥା ହଟାଇବାକୁ ମଧ୍ୟ ପ୍ରସ୍ତାବ ରହିଛି। ଅର୍ଥାତ୍, ଏଭଳି ମାମଲାରେ କୋର୍ଟଙ୍କ ପାଇଁ ଅନିବାର୍ଯ୍ୟ ଭାବେ ଜେଲ୍ ଦଣ୍ଡ ଦେବା ଆବଶ୍ୟକ ହେବ ନାହିଁ। ପ୍ରତ୍ୟେକ ମାମଲାରେ ଜରିମାନା ଦେବାର ବିକଳ୍ପ ରହିବ। ମଧ୍ୟମ ଶ୍ରେଣୀର ଅପରାଧ ପାଇଁ ସର୍ବାଧିକ ଜେଲ୍ ଦଣ୍ଡକୁ ୩ ବର୍ଷରୁ ୨ ବର୍ଷକୁ କମାଇବା ପ୍ରସ୍ତାବ ମଧ୍ୟ ରହିଛି।

ଛୋଟ ଟ୍ୟାକ୍ସଦାତାଙ୍କ ପାଇଁ ଲେଟ୍ ଫି’ ଛାଡ଼ କରିବା ଏବଂ ଜରିମାନା ବ୍ୟବସ୍ଥାକୁ ଯୁକ୍ତିସଙ୍ଗତ କରିବା ନେଇ ମଧ୍ୟ GST କାଉନସିଲ୍ ବିଚାର କରିପାରେ।

ଡାଟା ଆଧାରିତ ହେବ GST ଏନଫୋର୍ସମେଣ୍ଟ

ଏହି ପରିବର୍ତ୍ତନଗୁଡ଼ିକ ସରକାରଙ୍କ ବ୍ୟାପକ GST ସଂସ୍କାରର ଅଂଶ। ୨୦୨୫ ସେପ୍ଟେମ୍ବରରେ GST ହାରରେ ବଡ଼ ପରିବର୍ତ୍ତନ ପରେ ଏବେ ପ୍ରଶାସନକୁ ସରଳ କରିବା, ଟ୍ୟାକ୍ସଦାତାଙ୍କ ଅନୁପାଳନ ଖର୍ଚ୍ଚ କମାଇବା ଏବଂ ଏନଫୋର୍ସମେଣ୍ଟକୁ ଅଧିକ ଅନୁପାତିକ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।

ଆଗାମୀ ସଂସ୍କାର ପ୍ୟାକେଜ୍‌ରେ GST ପଞ୍ଜୀକରଣକୁ ସହଜ କରିବା, ଶୀଘ୍ର ରିଫଣ୍ଡ, ସରଳ ITC ପ୍ରକ୍ରିୟା ଏବଂ କାରଣ ଦର୍ଶାଅ ନୋଟିସ୍ ଓ ଜରିମାନା ବ୍ୟବସ୍ଥାରେ ପରିବର୍ତ୍ତନ ଭଳି ପ୍ରସ୍ତାବ ମଧ୍ୟ ରହିଛି।

AMRG ଗ୍ଲୋବାଲର ମ୍ୟାନେଜିଂ ପାର୍ଟନର ରଜତ ମୋହନଙ୍କ ମତରେ, ଏହି ପ୍ରସ୍ତାବ ଗିରଫ ଆଧାରିତ ଭୟ ସୃଷ୍ଟି କରିବାର ନୀତିରୁ ଟେକ୍ନୋଲୋଜି ଆଧାରିତ ଠକେଇ ଚିହ୍ନଟ ଓ ସିଭିଲ୍ ଦାୟିତ୍ୱ ଆଧାରିତ ଏନଫୋର୍ସମେଣ୍ଟ ଆଡ଼କୁ ପରିବର୍ତ୍ତନର ସଙ୍କେତ ଦେଉଛି। ଜିଏସଟିଏନର ଡାଟା କ୍ଷମତାକୁ ବ୍ୟବହାର କରି ଠକେଇ ଚିହ୍ନଟ କରିବା ଉପରେ ଆଗାମୀ ଦିନରେ ଅଧିକ ଗୁରୁତ୍ୱ ଦିଆଯାଇପାରେ।

ବିଲ୍ ଆସିଲେ ହିଁ ଲାଗୁ ହେବ ପରିବର୍ତ୍ତନ

୨୦୧୭ ଜୁଲାଇରେ GST ଲାଗୁ ହେବା ସମୟରେ ଗୁରୁତର ଟ୍ୟାକ୍ସ ଚୋରି ଓ ଜାଲି ଇନଭଏସ୍ ବିରୋଧରେ ଭୟ ସୃଷ୍ଟି କରିବା ପାଇଁ ଗିରଫ କ୍ଷମତା ରଖାଯାଇଥିଲା। ଏବେ ଇନଭଏସ୍ ମ୍ୟାଚିଂ ଓ ଜିଏସଟିଏନ ଡାଟା ସିଷ୍ଟମ୍ରେ ଉନ୍ନତି ହେବା ଯୋଗୁଁ ସନ୍ଦେହଜନକ ଆଇଟିସି ଦାବି ଓ ଠକେଇକୁ ଆଗୁଆ ଚିହ୍ନଟ କରିବା ସମ୍ଭବ ହେଉଛି।

ଜିଏସ୍ଟି କାଉନସିଲ୍ ଏହି ପ୍ରସ୍ତାବକୁ ଅନୁମୋଦନ କଲେ ମଧ୍ୟ ଏହା ତୁରନ୍ତ ଲାଗୁ ହେବ ନାହିଁ। ଏଥିପାଇଁ ଜିଏସ୍ଟି ଆଇନରେ ସଂଶୋଧନ ଆବଶ୍ୟକ ହେବ। କାଉନସିଲ୍ର ସୁପାରିସ ପରେ ବିଧାନ ପ୍ରକ୍ରିୟା ମାଧ୍ୟମରେ ଆଇନରେ ପରିବର୍ତ୍ତନ ହେବା ପରେ ହିଁ ଏହି ନୂଆ ବ୍ୟବସ୍ଥା ଲାଗୁ ହୋଇପାରିବ।