ଭୁବନେଶ୍ୱର ୦୨/୦୧: ଜାନୁଆରୀ ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର। ଏନେଇ ଘୋଷଣା କରିଛି ଓଡ଼ିଶା ରାଜ୍ୟ ପରିବହନ ବିଭାଗ। ତେବେ ଆପଣ ଜାଣିଥିବେ ବର୍ତ୍ତମାନ ପ୍ରଦୂଷଣ ସାର୍ଟିଫିକେଟକୁ ନେଇ ଗାଡ଼ିଚାଳକମାନେ ଟେନସନରେ ଅଛନ୍ତି । ଆଉ ଏହାରି ଭିତରେ ପରିବହନ ବିଭାଗ କରିଛି ବଡ଼ ଘୋଷଣା।

ଓଡ଼ିଶା ପରିବହନ ବିଭାଗ ଘୋଷଣା କରିଛି ଯେ, ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC)ଥିବା ଯାନବାହାନଗୁଡ଼ିକ ପାଇଁ ୧୦ ଜାନୁଆରି ୨୦୨୬ ଠାରୁ ସବୁଜ ରଙ୍ଗର PUCC ବୈଧତା ଷ୍ଟିକର୍ ଉପଲବ୍ଧ ହେବ। ବିଭାଗ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଯାନବାହାନ ମାଲିକମାନେ ପୂର୍ବରୁ ବୈଧ PUCC ପ୍ରାପ୍ତ କରିସାରିଛନ୍ତି, ସେମାନେ ନିଜ ନିକଟସ୍ଥ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ରୁ ଏହି ସବୁଜ ଷ୍ଟିକର୍ ପାଇପାରିବେ। 

ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ସମସ୍ତ RTOରେ ବିଶେଷ କାଉଣ୍ଟର ଖୋଲାଯିବ।ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, କେବଳ ବୈଧ PUCC ଥିବା ଯାନବାହାନଗୁଡ଼ିକୁ ହିଁ ସବୁଜ ଷ୍ଟିକର୍ ପ୍ରଦାନ କରାଯିବ। ଷ୍ଟିକର୍ ଜାରି କରିବା ପୂର୍ବରୁ RTO ଅଧିକାରୀମାନେ ଯାନର ପ୍ରଦୂଷଣ ପ୍ରମାଣପତ୍ର, ପଞ୍ଜୀକରଣ ବିବରଣୀ ଏବଂ VAHAN ଡାଟାବେସ୍ରେ ଥିବା ରେକର୍ଡକୁ ଯାଞ୍ଚ କରିବେ।

ଏହି ଗ୍ରୀନ ଷ୍ଟିକର ?

ଆପଣଙ୍କ ଗାଡ଼ିରେ ଏକ ବୃତ୍ତାକାର ସବୁଜ ରଙ୍ଗର ଷ୍ଟିକର ଲଗାଯିବ। ଯେଉଁଥିରେ ଓଡ଼ିଶା ପରିବହନ ବିଭାଗର ଲୋଗୋ, ପିୟୁସିସି, ଗାଡ଼ି ପଞ୍ଜୀକରଣ ନମ୍ବର, ବୈଧତା ତାରିଖ ଏବଂ ଅଧିକୃତ ପରୀକ୍ଷଣ କେନ୍ଦ୍ରର ନାଁ ଲେଖାଯିବ। ନୂଆ ଷ୍ଟିକର ଟି ବର୍ତ୍ତମାନ ଲାଗୁଥିବା ପିୟୁସିସି ଷ୍ଟିକର ବଦଳରେ ଲାଗିବ। ଏହାଦ୍ୱାରା ଆପଣଙ୍କ ଗାଡ଼ି ପ୍ରଦୂଷଣ ମାନଦଣ୍ଡ ପୂରଣ କରୁଛି କି ନାହିଁ ତାହା ଚିହ୍ନଟ କରିବା ସହଜ ହେବ।

କେମିତି ଓ କେଉଁଠି ପାଇବେ ଗ୍ରୀନ ଷ୍ଟିକର ?

ଏଥିପାଇଁ ରାଜ୍ୟ ସରକାର ଦୁଇଟି ବ୍ୟବସ୍ଥା କରିଛନ୍ତି। ଟ୍ରାଫିକ ନିୟମ କଡ଼ାକଡ଼ି କରିବା ପରେ ବର୍ତ୍ତମାନ ଲୋକେ ଆର୍‌ଟିଓ ଅଫିସ୍‌ଗୁଡ଼ିକରେ ଲାଇନ ଲଗାଇ ଚାଲାଣ ଭରିବା ସହ ପିୟୁସିସି କରୁଛନ୍ତି। ତେଣୁ ଯେଉଁମାନଙ୍କର ପିୟୁସିସି ହୋଇ ସାରିଛି ସେମାନେ ନିକଟସ୍ଥ ଆର୍‌ଟିଓ ଅଫିସକୁ ଯାଇ ଏହି ଗ୍ରୀନ ଷ୍ଟିକର ଆଣିପାରିବେ। ସେହିପରି ଯେଉଁମାନେ ଜାନୁଆରୀ ୧୦ ତାରିଖ ପରେ ପିୟୁସିସି କରିବେ, ଉକ୍ତ ସ୍ଥାନରେ ହିଁ ତାଙ୍କୁ ଏହି ଷ୍ଟିକର  ମିଳି ଯିବ।

୧. ଜାନୁଆରୀ ୧୦ ପୂର୍ବରୁ: ଗାଡ଼ି ମାଲିକମାନେ ସେମାନଙ୍କ ନିକଟସ୍ଥ ଆରଟିଓ କାର୍ଯ୍ୟାଳୟକୁ ଯାଇ ସବୁଜ ଷ୍ଟିକର ଆଣି ଗାଡ଼ିରେ ଲଗାଇପାରିବେ।
୨.
ଜାନୁଆରୀ ୧୦ ପରେ: ପିୟୁସିସି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିଧାସଳଖ ଷ୍ଟିକର ଜାରି କରାଯିବ। ବଣ୍ଟନକୁ ସହଜ କରିବା ପାଇଁ ସମସ୍ତ ଆରଟିଓରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବ।

ଗ୍ରୀନ ଷ୍ଟିକର ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ

ଗ୍ରୀନ ଷ୍ଟିକର ପାଇବାକୁ ହେଲେ ଗାଡ଼ି ମାଲିକଙ୍କୁ ଏହିସବୁ ଡକ୍ୟୁମେଣ୍ଟ ଦରକାର ପଡ଼ିବ।  

  •  ଅରିଜନାଲ ବୈଧ PUCC ସାର୍ଟିଫିଟେ
  •  ପଞ୍ଜୀକରଣ ପ୍ରମାଣପତ୍ର (RC) ର କପି
  • ମାଲିକଙ୍କ ପରିଚୟ ପତ୍ର (ଆଧାର, ଭୋଟର ପରିଚୟ ପତ୍ର, ଇତ୍ୟାଦି)
  • ମାଲିକ ବ୍ୟତୀତ ଅନ୍ୟ କେହି ସଂଗ୍ରହ କଲେ ଏକ ଅନୁମୋଦନ ପତ୍ର
  • ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଯାନବାହନ ଡାଟାବେସ୍ ସହିତ ବିବରଣୀ ମେଳ କରି କଡ଼ା ଯାଞ୍ଚ କରାଯିବ।

ଏହି ନିୟମ ଲାଗୁ କରିବା ପରେ ପରିବହନ ବିଭାଗ କହିଛି ଯେ ନୂଆ ନିୟମ ପ୍ରଦୂଷଣ ନିୟନ୍ତ୍ରଣକୁ ଅଧିକ ପ୍ରଭାବଶାଳୀ କରିବ। ପ୍ରସ୍ତାବିତ #NoPUCNoFuel ପଦକ୍ଷେପ ଅଧୀନରେ ପେଟ୍ରୋଲ ପମ୍ପଗୁଡ଼ିକ ଇନ୍ଧନ ଦେବା ପୂର୍ବରୁ ସବୁଜ ଷ୍ଟିକର ଯାଞ୍ଚ କରିପାରିବେ। ​​​​​​​