ନୂଆଦିଲ୍ଲୀ: ଦୀର୍ଘ ୧୪ ବର୍ଷ ପରେ ପ୍ରଥମ ଥର ପାସ୍‌ପୋର୍ଟ ଫି ବଢ଼ାଇଲେ କେନ୍ଦ୍ର ସରକାର। ସାଧାରଣ ସ୍କିମ୍‌ରେ ଫି ୨୫୦୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ତତ୍କାଳ ସ୍କିମ ପାଇଁ ୫ ୦୦୦ ଟଙ୍କା ବୃଦ୍ଧି କରାଯାଇଛି। ଜୁଲାଇ ୧ ତାରିଖ ଠାରୁ ବର୍ଦ୍ଧିତ ଦର ଲାଗୁ ହେବ। ପାସ୍‌ପୋର୍ଟ ଏକ ଭ୍ରମଣ ପାଇଁ ଡକ୍ୟୁମେଣ୍ଟ ଏହା ଭାରତୀୟ ନାଗରିକତାର ପରିଚୟ ନୁହେଁ ବୋଲି ଗତକାଲି ସରକାର ଘୋଷଣା କରିଥିଲେ। ଆଉ ଏହି ପାସ୍‌ପୋର୍ଟ ଫି ମହଙ୍ଗା କରିଛନ୍ତି।

ନୂଆ ରେଟ ଅନୁଯାୟୀ, ନରମାଲ ସ୍କିମରେ ୧୮ ବର୍ଷରୁ ତଦୁର୍ଦ୍ଧ୍ୱ ଆବେଦନକାରୀଙ୍କ ପାଇଁ ଏକ ନୂଆ ୩୬ ପୃଷ୍ଠା ସମ୍ବଳିତ ପାସପୋର୍ଟ କିମ୍ବା ପୁନଃ ଆବେଦନ ପାସପୋର୍ଟକୁ ୨୫୦୦ ଟଙ୍କାକୁ ବଢ଼ାଇ ଦିଆଯାଇଛି। ଯାହା ପୂର୍ବରୁ ମାତ୍ର ୧୫୦୦ ଟଙ୍କା ଥିଲା। ଅର୍ଥାତ୍ ଏଥିରେ ଏକାଥରକେ ୧୦୦୦ ଟଙ୍କା ବୃଦ୍ଧି ହୋଇଛି।

ସେହିପରି ତତ୍କାଳ ଫି ପୂର୍ବରୁ ୩୫୦୦ ଟଙ୍କା ଥିଲା, ହେଲେ ନୂଆ ଦର ଅନୁସାରେ ଏହାକୁ ୫୦୦୦ ଟଙ୍କାକୁ ବୃଦ୍ଧି ହୋଇଛି। ମାନେ ଏଥିରେ ୧୫୦୦ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି, ୬୦ ପୃଷ୍ଠାର ପାସପୋର୍ଟ ପାଇଁ ସାଧାରଣ ବର୍ଗରେ ୨,୦୦୦ ଟଙ୍କାରୁ ୩୫୦୦ ଟଙ୍କା ଏବଂ ତତ୍କାଳ ପାଇଁ ୪ ହଜାର ଟଙ୍କାରୁ ୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ପାସପୋର୍ଟ (ସଂଶୋଧନ) ନିୟମ ୨୦୨୬ ଅଧୀନରେ ବୈଦେଶିକ ମନ୍ତ୍ରଣାଳୟ (MEA) ଦ୍ୱାରା ସଂଶୋଧିତ ଫି ବିଷୟରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହା ୨୦୧୨ ପରେ ପ୍ରଥମ ବଡ଼ ସଂଶୋଧନ। ୨୦୧୨ରେ ପାସପୋର୍ଟ ଶୁଳ୍କ ଶେଷ ଥର ପାଇଁ ବୃଦ୍ଧି କରାଯାଇଥିଲା।

ବିଭିନ୍ନ ବର୍ଗରେ ନୂଆ ପାସପୋର୍ଟ ଫି

ହଜି ଯାଇଥିବା କିମ୍ବା ଚିରିଯାଇଥିବା ପାସପୋର୍ଟକୁ ବଦଳାଇବାକୁ ଚାହୁଁଥିବା ଆବେଦନକାରୀମାନଙ୍କୁ ମଧ୍ୟ ଅଧିକ ଦେୟ ଦେବାକୁ ପଡିବ। ସାଧାରଣ ବର୍ଗରେ ୩୬ ପୃଷ୍ଠାର ପାସପୋର୍ଟ ପାଇଁ ଏବେ ୫ ହଜାର ଟଙ୍କା ଏବଂ ତତ୍କାଳୀନ ଅଧୀନରେ ୭,୫୦୦ ଟଙ୍କା ଦେବାକୁ ପଡିବ।  ୬୦ ପୃଷ୍ଠାର ବଦଳ ପାସପୋର୍ଟ ପାଇଁ ଯଥାକ୍ରମେ ୬ ହଜାର ଟଙ୍କା ଓ ୮,୫୦୦ ଟଙ୍କା ଦେବାକୁ ପଡିବ।

୧୮ ବର୍ଷରୁ କମ୍ ବୟସର ଆବେଦନକାରୀଙ୍କ ପାଇଁ, ସାଧାରଣ ଯୋଜନା ଅନୁଯାୟୀ ଏକ ନୂଆ କିମ୍ବା ପୁନଃଆବେଦନ କରାଯାଇଥିବା ୩୬ ପୃଷ୍ଠାର ପାସପୋର୍ଟର ମୂଲ୍ୟ ୧୭୫୦ ଟଙ୍କା ଏବଂ ତତ୍କାଳ ଅଧୀନରେ ୪୨୫୦ ଟଙ୍କା ହେବ। ନାବାଳକଙ୍କ ପାଇଁ ହଜିଯାଇଥିବା କିମ୍ବା କ୍ଷତିଗ୍ରସ୍ତ ପାସପୋର୍ଟ ବଦଳାଇବା ପାଇଁ ସାଧାରଣ ବର୍ଗରେ ୪୨୫୦ ଟଙ୍କା ଏବଂ ତତ୍କାଳ ଅଧୀନରେ ୬୭୫୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ବୈଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପାସପୋର୍ଟ ଶୁଳ୍କର ଏହି ସଂଶୋଧିତ ବ୍ୟବସ୍ଥା ଜୁଲାଇ ୧ ତାରିଖ କିମ୍ବା ତା’ପରେ ଦାଖଲ ହେଉଥିବା ସମସ୍ତ ପାସପୋର୍ଟ ଆବେଦନ ପାଇଁ ଲାଗୁ ହେବ। ଜୁନ୍ ୨୦ ତାରିଖରେ ପାସପୋର୍ଟ ଆକ୍ଟ, ୧୯୬୭ ର ଧାରା ୨୪ ଅନୁଯାୟୀ ଜାରି ହୋଇଥିବା ଏହି ବିଜ୍ଞପ୍ତିରେ ବିଭିନ୍ନ ଯାତ୍ରା ସମ୍ବନ୍ଧୀୟ ଦଲିଲ ଏବଂ ପାସପୋର୍ଟ ସହ ଜଡିତ ସେବାଗୁଡିକର ଶୁଳ୍କ ମଧ୍ୟ ସଂଶୋଧନ କରାଯାଇଛି।

ଜରୁରୀକାଳୀନ ପ୍ରମାଣପତ୍ର (Emergency Certificates): ଭାରତ ଭିତରେ ଏହି ପ୍ରମାଣପତ୍ର ମାଗଣାରେ ପ୍ରଦାନ କରାଯିବ, କିନ୍ତୁ ବିଦେଶରେ ଥିବା ଆବେଦନକାରୀଙ୍କୁ ଏଥିପାଇଁ ୧୫ ଆମେରିକୀୟ ଡଲାର (USD) ଦେବାକୁ ପଡିବ।
​​​​​​​ପରିଚୟ ପତ୍ର (Certificate of Identity): ଏଥିପାଇଁ ଭାରତରେ ୧,୦୦୦ ଟଙ୍କା ଏବଂ ବିଦେଶରେ ୫୦ ଆମେରିକୀୟ ଡଲାର (USD) ଶୁଳ୍କ ଧାର୍ଯ୍ୟ କରାଯାଇଛି।
ଅନ୍ୟାନ୍ୟ ସେବା: ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ୍ (PCC), ସରେଣ୍ଡର ସାର୍ଟିଫିକେଟ୍, ଗ୍ଲୋବାଲ ଏଣ୍ଟ୍ରି ପ୍ରୋଗ୍ରାମ୍ ଭେରିଫିକେସନ୍ ଏବଂ ପାସପୋର୍ଟ ସମ୍ବନ୍ଧୀୟ ଅନ୍ୟାନ୍ୟ ପ୍ରମାଣପତ୍ର ପାଇଁ ଭାରତରେ ୭୫୦ ଟଙ୍କା ଏବଂ ବିଦେଶରେ ୪୦ ଆମେରିକୀୟ ଡଲାର (USD) ଶୁଳ୍କ ସ୍ଥିର କରାଯାଇଛି।

ପାସପୋର୍ଟ ଶୁଳ୍କରେ ଶେଷଥର ପାଇଁ ୨୦୧୨ ମସିହାରେ ସଂଶୋଧନ କରାଯାଇଥିଲା। ସେତେବେଳେ ସରକାର ସାଧାରଣ ୩୬-ପୃଷ୍ଠାର ପାସପୋର୍ଟ ପାଇଁ ଶୁଳ୍କକୁ ୧,୦୦୦ ଟଙ୍କାରୁ ବୃଦ୍ଧି କରି ୧,୫୦୦ ଟଙ୍କା ଏବଂ ତତ୍କାଳ ଶୁଳ୍କକୁ ୨,୫୦୦ ଟଙ୍କାରୁ ବୃଦ୍ଧି କରି ୩,୫୦୦ ଟଙ୍କା କରିଥିଲେ।