ମୁମ୍ବାଇ: ନବେ ଦଶକରେ ନିଜର ଦମଦାର ଅଭିନୟ, କମେଡି ଏବଂ ଚମତ୍କାର ଡାନ୍ସ ଜରିଆରେ ପ୍ରେକ୍ଷାଳୟରେ ରାଜ୍ କରୁଥିବା ଅଭିନେତା ଗୋବିନ୍ଦା ପୁଣି ଥରେ ବଡ଼ ପରଦାକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ନିଜର ହୋମ୍ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେବାକୁ ଥିବା ଆଗାମୀ ଚଳଚ୍ଚିତ୍ର ରୂପା ଏବଂ ଦୁନିଆଦାରୀ ମାଧ୍ୟମରେ ସେ ବଲିଉଡରେ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି।

ସେ ତାଙ୍କର ଆଗାମୀ ଦୁଇଟି ଚଳଚ୍ଚିତ୍ର ‘ରୂପା’ (Roopa) ଏବଂ ‘ଦୁନିଆଦାରୀ’ (Duniyadari) ର ଟାଇଟଲ୍ ପୋଷ୍ଟର ରିଲିଜ୍ କରିବା ସହ ବଡ଼ ପରଦାକୁ ନିଜର ପ୍ରତ୍ୟାବର୍ତ୍ତନ ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରଗୁଡ଼ିକରେ ସେ ଅଭିନୟ କରିବା ସହିତ ନିଜେ ଏହାର ପ୍ରଯୋଜନା ମଧ୍ୟ କରୁଛନ୍ତି। ଏହି ସିନେମାରେ ଗୋବିନ୍ଦାଙ୍କ ବିପକ୍ଷରେ ନବାଗତା ଅଭିନେତ୍ରୀ ରାଣୀ ସ୍ୱର୍ଣ୍ଣକାର ନଜର ଆସିବେ।

ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ବ୍ୟକ୍ତିଗତ ଓ ବ୍ୟାବସାୟିକ ଜୀବନ ବିଷୟରେ ଆଲୋଚନା କରି ଗୋବିନ୍ଦା କହିଛନ୍ତି, ‘ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଖୁବଶୀଘ୍ର ଆମେ ଆମର ପରବର୍ତ୍ତୀ ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ ଷ୍ଟାରକାଷ୍ଟ୍ (କଳାକାରଙ୍କ ତାଲିକା) ଘୋଷଣା କରିବୁ। ଦର୍ଶକମାନେ ଏହି ଚଳଚ୍ଚିତ୍ରରେ ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରର ଅନେକ ନୂଆ ପ୍ରତିଭାମାନଙ୍କୁ ଦେଖିବାକୁ ପାଇବେ।’

ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ ଭିନ୍ନ ଚଳଚ୍ଚିତ୍ର
ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ଉପରେ ସୂଚନା ଦେଇ ଗୋବିନ୍ଦା କହିଛନ୍ତି ଯେ,‘ରୂପା’ ଏବଂ ‘ଦୁନିଆଦାରୀ’ ଦୁଇଟି ଯାକ ସମ୍ପୂର୍ଣ୍ଣ ଭିନ୍ନ ଶୈଳୀର ଚଳଚ୍ଚିତ୍ର ହେବ, ଯାହାକୁ ବିଶେଷ କରି ଯୁବପିଢ଼ିଙ୍କ ପାଇଁ ପ୍ରସ୍ତୁତ କରାଯାଉଛି। ଯୁବପିଢ଼ି ଅନେକ ଆଶା ନେଇ ନିଜର ଯାତ୍ରା ଆରମ୍ଭ କରନ୍ତି, କିନ୍ତୁ କେତେକ ସମୟରେ ସେମାନେ ନିଜ ବାଟରୁ ବିଚ୍ୟୁତ ହୋଇଯାନ୍ତି। ଏହି ଚଳଚ୍ଚିତ୍ର ମାଧ୍ୟମରେ ସେ 'ମାୟା' ର ସେହି ଦିଗକୁ ଦେଖାଇବାକୁ ଚାହୁଁଛନ୍ତି, ଯାହା ଦ୍ୱାରା ଯୁବପିଢ଼ି ନିଜକୁ କାହାରି ଠାରୁ କମ୍ ମନେ ନକରି ଆତ୍ମବିଶ୍ୱାସୀ ହେବେ ଏବଂ ନିଜର ପରମ୍ପରା ସହ ଜଡ଼ିତ ରହିବେ।

ଜୀବନର ସଂଘର୍ଷ ଏବଂ ନିଜର ନିର୍ଭୀକ ସ୍ୱଭାବକୁ ନେଇ ଗୋବିନ୍ଦା କହିଛନ୍ତି ଯେ, ମୁଁ ଯେତେବେଳେ ଚଳଚ୍ଚିତ୍ରରେ କାମ କରେ, ସାରା ଦୁନିଆ ଆଶ୍ଚର୍ଯ୍ୟ ହୋଇଯାଏ । ମୁଁ କୌଣସି ଜିନିଷକୁ ଭୟ କରେନାହିଁ। ମୁଁ ସତ୍ୟରୁ ଦୂରେଇ ଯାଏନାହିଁ ଏବଂ ଭବିଷ୍ୟତରେ କଣ ଘଟିବାକୁ ଯାଉଛି, ତାହା ପୂର୍ବରୁ ଆଭାସ ପାଇଯାଏ। ମୁଁ ସତ କହିଲେ ଲୋକମାନେ ବିଶ୍ୱାସ କରନ୍ତି ନାହିଁ, ଏପରିକି କେତେକ ଗାଳି ମଧ୍ୟ ଦିଅନ୍ତି, କିନ୍ତୁ ମୁଁ ସେଥିପ୍ରତି ଖାତିର କରେନାହିଁ।