ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜାତୀୟ ସଂଗୀତ ଜନଗଣ ମନ.. ଓ ଜାତୀୟ ଗୀତ ବନ୍ଦେ ମା ତରମ..କୁ ନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କ ସମେତ ସବୁ କେନ୍ଦ୍ରୀୟ ମନ୍ତ୍ରାଳୟଙ୍କୁ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଗୃହ ବ୍ୟାପାର ମନ୍ତ୍ରାଳୟ (ଏମଏଚଏ) କହିଛନ୍ତି ଯେ ନିୟମରେ ପୂର୍ବରୁ ନିର୍ଦ୍ଧାରିତ ହୋଇଛି ଯେ କେଉଁ ସବୁ କାର୍ଯ୍ୟକ୍ରମରେ ଜାତୀୟ ସଂଗୀତ ଓ ଜାତୀୟ ଗୀତ ଗାନ ଓ ବଜାଇବା ଜରୁରି। ଏମଏଚଏଙ୍କ ଆଦେଶରେ ସେହି ସବୁ ଅବସରର ସପମ୍ପୂର୍ଣ୍ଣ ସୂଚି ଦିଆଯାଇଛି ଯେଉଁଥିରେ ଭାରତର ଜାତୀୟ ସଂଗୀତ ଓ ଜାତୀୟ ଗୀତ ବଜାଇବା ଓ ଗାଇବା ଦରକାର।

୯ ଜୁଲାଇରେ ଜାରି ଆଦେଶରେ କୁହାଯାଇଛି ଯେ ଜାତୀୟ ସଂଗୀତ ନାଗରିକ ସମ୍ମାନ ସମାରୋହ ଅବସରରେ, ରାଷ୍ଟ୍ରପତିଙ୍କ ଔପଚାରିକ ସରକାରୀ କାର୍ଯ୍ୟକ୍ରମ ଓ ସରକାରଙ୍କ ଦ୍ୱାରା ଆୟୋଜିତ ଅନ୍ୟ କାର୍ଯ୍ୟକ୍ରମକୁ ତାଙ୍କ ଆସିବା ଓ ଯିବା ସମୟରେ ତଥା ରାଷ୍ଟ୍ରପତିଙ୍କ ଦ୍ୱାରା ଅଲଇଣ୍ଡିଆ ରେଡିଓ (ଏଆଇଆର) ଏବଂ ଟେଲିଭିଜନରେ ଦେଶକୁ ସମ୍ବୋଧିତ କରିବର ଠିକ ପୂର୍ବରୁ ଓ ପରେ ଗାନ କରାଯିବ। ଏମଏଚଏ କହିଛନ୍ତି ଯେ ଜେତେବେଳେ ଜାତୀୟ ସଂଗୀତ ଓ ଜାତୀୟ ଗୀତ ଉଭୟ ଗାନ କରାଯିବ ସେତେବେଳେ ପ୍ରଥମେ ଜାତୀୟ ଗୀତ ବାଦନ ଅଥବା ଗାୟନ କରାଯିବ। ତା ପରେ ଜାତୀୟ ସଂଗୀତ ଗାନ ଅଥବା ବାଦନ କରାଯିବ।

ମନ୍ତ୍ରାଳୟ କହିଛନ୍ତି ଯେ ଯେଉଁ ରାଜ୍ୟମାନଙ୍କରେ ରାଜ୍ୟ ଗୀତ ଗାନ କରାଯାଉଛି ସେଠାରେ ରାଜ୍ୟ ଗୀତକୁ ମଧ୍ୟ ଜାତୀୟ ସଂଗୀତ ଓ ଜାତୀୟ ଗୀତ ସହିତ ବାଦନ ଓ ଗାୟନ କରାଯାଇ ପାରିବ। ତେବେ ଯେତେବେଳେ ରାଜ୍ୟ ଗୀତକୁ ଜାତୀୟ ସଂଗୀତ ଓ ଜାତୀୟ ଗୀତ ସହିତ ଗାନ ଓ ବାଦନ କରାଯିବ ସେତେବେଳେ ଜାତୀୟ ସଂଗୀତ ଓ ଜାତୀୟ ଗୀତ ଏକ ସଙ୍ଗରେ ଗାନ ଓ ବାଦନ କରାଯିବ। ତେବେ ସର୍ବ ପ୍ରଥମେ ଜାତୀୟଗୀତ ଓ ତା ପରେ ଜାତୀୟ ସଂଗୀତ ଗାନ କରାଯିବ। ମନ୍ତ୍ରାଳୟ ପକ୍ଷରୁ ଏହା ବି ସ୍ପଷ୍ଟ କରାଯାଇଛି ଯେ ଜାତୀୟ ସଂଗୀତ ଓ ଜାତୀୟ ଗୀତକୁ ଗାନ ଓ ବାଦନ ସମୟରେ ଗୀତର ସଠିକ ଶବ୍ଦ, ଲେଖା, ଉଚ୍ଚାରଣ ଓ ଗାଇବାର ଉପାୟ କଡ଼ା କଡ଼ି ପାଳନ ହେବା ଦରକାର। ଜାତୀୟ ସଂଗୀତ ଓ ଜାତୀୟ ଗୀତର ସଠିକ ଶବ୍ଦ ଓ ଉଚ୍ଚାରଣ ମନ୍ତ୍ରାଳୟ ୱେବସାଇଟ୍ ରେ ରହିଛି।