ନୂଆଦିଲ୍ଲୀ: ପିଆଜ ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ସରକାର ଏବେଠାରୁ ଉପାୟ ଅବଲମ୍ବନ କରିବା ଆରମ୍ଭ କରିଛନ୍ତି। ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଉଚିତ ମୂଲ୍ୟ ଦେବାକୁ ୧୩% ଦର ବୃଦ୍ଧି କରିଛନ୍ତି। ଏହା ସହିତ ପିଆଜ ବଫର ଷ୍ଟକ୍ କୁ ମଧ୍ୟ ବଢାଯାଉଛି। ଆବଶ୍ୟକ ପଡିଲେ ବଜାରକୁ ଅଧିକ ପିଆଜ ଛାଡି ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ କରାଯାଇ ପାରିବ। ଏହି ରଣନୀତି ଅନୁସାରେ ପ୍ରାଇସ୍ ଷ୍ଟାବିଲାଇଜିଂ ଫଣ୍ଡ (ପିଏସଏଫ) ଦ୍ୱାରା ବଫର ଷ୍ଟକ୍ ଲାଗି କ୍ରୟ ମୂଲ୍ୟ କ୍ୱିଣ୍ଟାଲ ପିଛା ଦର ୧,୮୭୫ରୁ ବଢାଇ ୨,୧୨୫ ଟଙ୍କା କରି ଦେଇଛନ୍ତି। ଏହି ନୂଆ ଦର ଶନିବାରଠାରୁ ସାରା ଦେଶରେ ଲାଗୁ ହୋଇଛି।

ଖାଉଟି ବ୍ୟାପାର ସଚିବ ନିଧି ଖରେ କହିଛନ୍ତି ଯେ ଉତ୍ପାଦନ, କ୍ରୟ ଓ ବଜାର ପରିସ୍ଥିତି ଉପରେ ସରକାର ଲଗାତାର ନଜର ରଖି ରହିଛନ୍ତି। ଯାହାଦ୍ୱାରା ଚାଷୀଙ୍କୁ ସେମାନଙ୍କ ଫସଲର ଉଚିତ ଦାମ ମିଳିବ ଓ ଖାଉଟିଙ୍କୁ ପିଆଜ ଦରବୃଦ୍ଧିରୁ ଆଶ୍ୱସ୍ତ କରାଯାଇ ପାରିବ। କ୍ରୟ ମୂଲ୍ୟ ବୃଦ୍ଧି ଯୋଗୁ ଚାଷୀଙ୍କୁ ଭଲ ଦାମ ମିଳିବ ଓ ବଫର ଷ୍ଟକ୍ ମଧ୍ୟ ବଢା ଯାଇ ପାରିବ। ତେବେ ବଫର ଷ୍ଟକ୍ କ୍ରୟ ଧିମା ରହୁଥିବାରୁ ସରକାର ଇତି ମଧ୍ୟରେ କ୍ରୟ ମୂଲ୍ୟ ୩ ଥର ବୃଦ୍ଧି କଲେଣି। ଏବେ ଆଗକୁ ଆଉ ମୂଲ୍ୟ ବଢାଇବାର ଆବଶ୍ୟକତା ପଡିବନି। କାରଣ କିଛି ବ୍ୟବସାୟୀ କ୍ରୁତ୍ରିମ ରୂପେ ମୂଲ୍ୟ ବଢାଇବାକୁ ଉଦ୍ୟମ କରିପାରନ୍ତି। ଏହା ସତ୍ତ୍ୱେ ଋତୁ କାରଣରୁ ପିଆଜ ମୂଲ୍ୟରେ ସାମାନ୍ୟ ବୃଦ୍ଧି ନିଶ୍ଚିତ ହେବ ବୋଲି ଅନୁମାନ କରାଯାଉଛି।

ସରକାର ଚଳିତବର୍ଷ ବଫର ଷ୍ଟକ୍ ପାଇଁ ୨ଲକ୍ଷ ଟନ ପିଆଜ କ୍ରୟ ଲକ୍ଷ ରଖିଛନ୍ତି। ହେଲେ ଏପର୍ଯ୍ୟନ୍ତ ମାତ୍ର ୫ ହଜାର ଟନ କ୍ରୟ ହୋଇ ପାରିଛି। କେନ୍ଦ୍ର କୃଷି ମନ୍ତ୍ରାଳୟଙ୍କ ଦ୍ୱିତୀୟ ଅଗ୍ରୀମ ଅନୁମାନ ଅନୁସାରେ ୨୦୨୫-୨୬ରେ ଦେଶରେ ପିଆଜ ଅମଳ ୩୦୭.୩୭ ଲକ୍ଷ ଟନ ହୋଇପାରେ। ଏହା ଗତବର୍ଷ ଅମଳ ସହ ଏହା ପ୍ରାୟ ସମାନ। ଏଣୁ ଦେଶରେ ପିଆଜ ଉପଲବ୍ଧତାକୁ ନେଇ ଚିନ୍ତାର କୌଣସି କାରଣ ନାହିଁ ବୋଲି କୁହାଯାଉଛି। ଏହା ସତ୍ତ୍ୱେ ଋତୁ ଯୋଗୁ ପିଆଜ ମୂଲ୍ୟ ସାମାନ୍ୟ ବଢିପାରେ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଗୁଜରାଟରେ ପିଆଜର ପର୍ଯ୍ୟାପ୍ତ ଭଣ୍ଡାର ରହିଛି। ଏଣୁ ଦୈନିକ ଦେଶର ବଜାରମାନଙ୍କୁ ୫୦ ହଜାର ଟନରୁ ଅଧିକ ପିଆଜ ପହଞ୍ଚୁଛି।

କେବଳ ମହାରାଷ୍ଟ୍ର ଦୈନିକ ଦେଶର ବଜାରକୁ ୩୦ ହଜାର ଟନ ପିଆଜ ପହଞ୍ଚାଉଛି। ଗୁଜରାଟରେ ପିଆଜର ପାଇକାରୀ ମୂଲ୍ୟ କେଜି ପିଛା ୧୮ ଟଙ୍କା ରହିଛି। ତେବେ ଏହି ସମୟରେ ଦେଶରେ ପିଆଜ କେଜି ପିଛା ଦର ହାରାହାରି ୩୧ ଟଙ୍କା ମଧ୍ୟରେ କାରବାର ହେଉଛି। ଭଲ କ୍ୱାଲିଟିର ପିଆଜ ଏବେବି ଗୋଦାମରେ ସୁରକ୍ଷିତ ରହିଛି। ଆବଶ୍ୟକ ପଡିଲେ ସେହି ପିଆଜ ବଜାରକୁ ପହଞ୍ଚିବ। ମୌସୁମୀରେ ବିଳମ୍ବ ଓ ସ୍ୱଳ୍ପ ବୃଷ୍ଟିପାତ କାରଣରୁ ମୂଲ୍ୟ ବଢିବା ଆଶଙ୍କାରେ ବ୍ୟବସାୟୀ ଅତିରିକ୍ତ କ୍ରୟ କରିଛନ୍ତି। ଗତ ଜୁନ ମାସରେ ୧.୫୦ ଲକ୍ଷ ଟନ ପିଆଜ ରପ୍ତାନୀ ହୋଇଥିଲା। ତେବେ ଚୀନ୍ ଓ ପାକିସ୍ତାନର ନୂଆ ଫସଲ ଉପସାଗରୀୟ ଦେଶ ଓ ଶ୍ରଲଙ୍କା ବଜାରରେ ପ୍ରତିଯୋଗୀ ଦରରେ ମିଳିବା ଯୋଗୁ ଆଗାମୀ ସମୟରେ ଭାରତୀୟ ପିଆଜ ରପ୍ତାନୀ ଧିମା ପଡିପାରେ।