ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫ୍ଲେକ୍ସ-ଫୁଏଲ ଯାନ ଏବଂ E100 ଇନ୍ଧନ ସମ୍ବନ୍ଧୀୟ ନିୟମାବଳୀରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ସଂଶୋଧନ କରି ଏକ ବିଜ୍ଞପ୍ତି ଜାରି କରିଛି । ଏହି ସଂଶୋଧନ ଫ୍ଲେକ୍ସ-ଫୁଏଲ ପାଇଁ ଡିଜାଇନ୍ ହୋଇଥିବା ଯାନଗୁଡ଼ିକୁ E85 ବ୍ୟତୀତ E100 ଇନ୍ଧନ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରୁଛି । ଏହା ବ୍ୟତୀତ ଯାନବାହାନ ନିର୍ଗମନ ମାନଦଣ୍ଡ, ବୈଷୟିକ ନିୟମାବଳୀ ଏବଂ ସମ୍ବନ୍ଧିତ ଶବ୍ଦାବଳୀରେ ଅନେକ ପରିବର୍ତ୍ତନ କରାଯାଇଛି ।

ସରକାର ସ୍ପଷ୍ଟ କରିଛନ୍ତି ଯେ E85 ଏବଂ E100 କେବଳ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ଏବଂ ପ୍ରମାଣିତ ଫ୍ଲେକ୍ସ-ଫୁଏଲ ଯାନରେ ବ୍ୟବହାର କରାଯିବ। ଏହି ଇନ୍ଧନଗୁଡ଼ିକ E20 କିମ୍ବା ନିୟମିତ ପେଟ୍ରୋଲରେ ଚାଲୁଥିବା ଗାଡ଼ି ପାଇଁ ହେବ ନାହିଁ । ଏହି ଅପଡେଟ୍ ଇଥାନଲ୍ ମିଶ୍ରଣକୁ ପ୍ରୋତ୍ସାହିତ କରିବ, ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ ଏବଂ ପରିବେଶକୁ ଲାଭ ଦେବ ।

​​​​​​​

ଏହି ପରିବର୍ତ୍ତନ ଫ୍ଲେକ୍ସ-ଫୁଏଲ ଯାନଗୁଡ଼ିକର ନିୟମାବଳୀରେ E100 ଇନ୍ଧନକୁ ସାମିଲ କରିବା ପାଇଁ ପଥ ପ୍ରଶସ୍ତ କରେ । ଫ୍ଲେକ୍ସ-ଫୁଏଲ ଯାନଗୁଡ଼ିକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ପେଟ୍ରୋଲ ଏବଂ ଇଥାନଲର ବିଭିନ୍ନ ମିଶ୍ରଣରେ ଚାଲିବା ପାଇଁ ଡିଜାଇନ୍ କରାଯାଇଥାଏ ।

ମନ୍ତ୍ରଣାଳୟ ବାହାନ ନିର୍ଗମନ ମାନଦଣ୍ଡ ସାରଣୀକୁ ମଧ୍ୟ ସଂଶୋଧନ କରିଛି । ମୋଟ ଯାନବାହାନ ଓଜନ (GVW) ସୀମା ୩୦୦୦ କିଲୋଗ୍ରାମରୁ ୩୫୦୦ କିଲୋଗ୍ରାମକୁ ସଂଶୋଧନ କରାଯାଇଛି । ଏହା ବ୍ୟତୀତ, ପେଟ୍ରୋଲ,ଏଚସିଏନଜି ଏବଂ ବାୟୋଡିଜେଲ ସହିତ ଜଡ଼ିତ ବୈଷୟିକ ବ୍ୟବସ୍ଥାଗୁଡ଼ିକୁ ମଧ୍ୟ ସଂଶୋଧନ କରାଯାଇଛି । ପରିବର୍ତ୍ତନଗୁଡ଼ିକରେ ନିର୍ଗମନ ମାନଦଣ୍ଡରେ ବ୍ୟବହୃତ ବୈଷୟିକ ଶବ୍ଦାବଳୀ, ସଂଖ୍ୟା ଏବଂ ମାପର ଏକକରେ ଉନ୍ନତି ମଧ୍ୟ ସାମିଲ ଅଛି । ଏହି ପରିବର୍ତ୍ତନର ଲକ୍ଷ୍ୟ ନିୟମଗୁଡ଼ିକୁ ଅଧିକ ସ୍ପଷ୍ଟ ଏବଂ ବୈଷୟିକ ଭାବରେ ସଠିକ୍ କରିବା ।