ରାୟଗଡା : ସଠିକ୍ ଡେଷ୍ଟିନେସନ ପାଇଁ ଗୁଗଲ ମ୍ୟାପ୍। ବାଟ ବତାଇବ, ସହଜରେ ପାଇଯିବେ ଠିକଣା। କିନ୍ତୁ ସବୁବେଳେ ସମୟ ଠିକ୍ ନଥାଏ। ବେଳେବେଳେ ଭୁଲ୍ ରାସ୍ତା ଫସାଇ ଦେଇପାରେ ଗୁଗଲ ମ୍ୟାପ୍। ସେମିତି ଏକ ଘଟଣା ଘଟିଛି। ଗୁଗଲ ମ୍ୟାପର ସାହାଯ୍ୟ ନେଇ ହରଡଘଣାରେ ଡ୍ରାଇଭର ଓ ହେଲପର୍ । ଦୀର୍ଘ ଦିନ ପାହାଡ଼ିଆ ଘଞ୍ଚ ଜଙ୍ଗଲରେ ବିତିଲା ଦିନ। ନଖାଇ ନପିଇ ହାତୀ ଭୟରେ ରହିଲେ ଉଜାଗର । ଆଉ ଏବେ କହୁଛନ୍ତି ଠକିଦେଲା ଗୁଗୁଲ୍ ମ୍ୟାପ୍ ।

ଘଟଣା କିଛି ଏମିତି ଗତ ଦିନ ତଳେ ଛତିଶଗଡର ରାୟପୁର ସହରରୁ ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଏକଲବ୍ୟ ବିଦ୍ୟାଳୟ ଅଭିମୁଖେ ଆସିଥିଲା ଏକ ସିମେଣ୍ଟ ବୋଝେଇ ଟ୍ରଲର୍। ଗାଡି ନମ୍ବର CG04, PF5754ରେ ଆସିଥିଲା ପ୍ରାୟ ଶହ ବସ୍ତା ସିମେଣ୍ଟ୍। ଟ୍ରଲର୍ ଟି ମୁନିଗୁଡା ଓ ବିଷମକଟକ ଦେଇ କଲ୍ୟାଣସିଂହପୁର ବ୍ଲକକୁ ଯାଇଥାନ୍ତା । ହେଲେ ବିଷମକଟକ ସହର ଅତିକ୍ରମ ପରେ ଗୁଗଲର ସହାୟତା ନେଇଥିଲେ ଡ୍ରାଇଭର୍। ଆଉ ପ୍ରାୟ ୬୦ କିଲୋମିଟର ପାଖ ପଡିବ କହି ଗୁଗୁଲରେ ସର୍ଚ୍ଚ ପରେ ନିୟମଗିରି ରାସ୍ତାରେ ଚାଲିଯାଇଥିଲେ ଡ୍ରାଇଭର । ହେଲେ ନିୟମଗିରିର ପାହାଡି ପଥୁରିଆ ଘାଟି ରାସ୍ତାରେ ଫସିଯିବା ପରେ ଆଗକୁ ଯାଇନଥିଲା ଟ୍ରଲର୍ । ଦୀର୍ଘ 5 ଦିନ ହେବ ନିୟମଗିରିର ଡାଙ୍ଗଲୋଡି ଗ୍ରାମ ନିକଟରେ ଉଭୟ ଡ୍ରାଇଭର୍ ଓ ହେଲପର୍ ଭୋକ ଉପବାସରେ ଫସି ରହିଛନ୍ତି ।

ନିୟମଗିରିର ଘଞ୍ଚ ଜଙ୍ଗଲରେ ରାତି କାଟିଛନ୍ତି ଡ୍ରାଇଭର ଓ ହେଲପର୍ । ପାହାଡରେ ଏବେ ହାତୀର ଆତଙ୍କ ରହିଥିବା ବେଳେ ରାତି ସମୟରେ ଉଭୟ ରହିଥିଲେ ଭୟବିତ ଅବସ୍ଥାରେ । ତିନି ଦିନ ରହିବା ପରେ ସିମେଣ୍ଟ ବୋଝେଇ ଟ୍ରଲର୍ ର ଡ୍ରାଇଭର କେଉଁ ଆଡେ ଫେରାର୍ ହୋଇଯାଇଥିବା ବେଳେ ସହଯୋଗୀ ଡ୍ରାଇଭର ରାହୁଲ ସାହୁ ଏକା ହୋଇଯାଇଛନ୍ତି । କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଦିନ ପରେ ଖାଇବାକୁ ପାଇବା ପରେ କଲ୍ୟାଣସିଂହପୁର ବ୍ଲକ ଜଗନ୍ନାଥପୁର ଗ୍ରାମବାସୀଙ୍କ ସାହାଯ୍ୟ ଲୋଡିଥିଲେ। ଏବେ ନିୟମଗିରି ପାହାଡରୁ ଟ୍ରଲର୍ ରେ ଥିବା ଶହ ବସ୍ତା ସିମେଣ୍ଟକୁ ଅନଲୋଡ୍ କରାଯାଇ ଏକ ଟ୍ରାକ୍ଟର୍ ସାହାଯ୍ୟରେ ନିଆଯାଉଛି । ପାହଡରୁ କଲ୍ୟାଣସିଂହପୁର ବ୍ଲକକୁ ସିମେଣ୍ଟ୍ ଯିବା ପାଇଁ ପ୍ରାୟ ଦିନ ଲାଗିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସେପଟେ ଡ୍ରାଇଭର ଏବେ କେଉଁ ଆଡେ ଚାଲିଯାଇଥିବାରୁ ତାଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି ସହଯୋଗୀ ଡ୍ରାଇଭର ରାହୁଲ ସାହୁ।

ଏବେ ଗୁଗଲ ମ୍ୟାପ୍ ଯେତିକି ସୁବିଧା କରିଛି ସେତିକି ଚିନ୍ତା ବଢ଼ାଇଛି। ତେବେ ଏହି ଘଟଣା ପ୍ରଥମ ନୁହେଁ, ପୂର୍ବରୁ ବି ଘଟିଛି ଏମିତି ଅନେକ ଘଟଣା। ନିକଟରେ ଉତ୍ତରପ୍ରଦେଶରେ ଗୁଗୁଲ ମ୍ୟାପ୍ ଭୁଲ୍ ଯୋଗୁ ଜଣ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା। ଯାହା ବଢ଼ାଇଥିଲା ଚିନ୍ତା। ଏବେ ପୁଣି ଏହି ଘଟଣା । ତେଣୁ ଗୁଗଲ୍ ମ୍ୟାପ୍ ଭରସାଯୋଗ୍ୟ କି ନୁହେଁ ଏବେ ପ୍ରଶ୍ନ ଉଠୁଛି।

AlsoRead- ଆସନ୍ତା ୩୦ରୁ ରାଜ୍ୟରେ SIR, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ