ନୂଆଦିଲ୍ଲୀ: ଗୁଗଲକୁ ୟୁରୋପରେ ଏକ ଆଇନଗତ ପ୍ରକ୍ରିୟାରେ ବଡ଼ ଝଟକା ଲାଗିଛି । ୟୁରୋପୀୟ ୟୁନିଅନର ସବୁଠାରୁ ବଡ଼ କୋର୍ଟ ଆଣ୍ଡ୍ରଏଡ୍ ସହ ଜଡ଼ିତ ଆଣ୍ଟିଟ୍ରଷ୍ଟ ମାମଲାରେ ଗୁଗଲର ଅପିଲକୁ ଖାରଜ କରିଛନ୍ତି । ଏହା ସହିତ କମ୍ପାନି ଉପରେ ଲଗା ଯାଇଥିବା ୪.୧ ବିଲିୟନ ୟୁରୋ (ପ୍ରାୟ ୪.୧୦ ଲକ୍ଷ କୋଟି ଟଙ୍କା)ର ଜରିମାନାକୁ ବଜାୟ ରଖିଛନ୍ତି । ଏହି ମାମଲା ଗତ ଆଠ ବର୍ଷ ଧରି ଚାଲିଥିଲା ।

୨୦୧୮ ପ୍ରଥମ ଥର ପାଇଁ ୟୁରୋପୀୟ କମିଶନ ଗୁଗଲ ଉପରେ ଜରିମାନା ଲଗାଇଥିଲେ । ଅଭିଯୋଗ ରହିଥିଲା ଯେ ଗୁଗଲ ନିଜର ଆଣ୍ଡ୍ରଏଡ୍ ଅପରେଟିଙ୍ଗ ସିଷ୍ଟମକୁ ବ୍ୟବହାର କରି ନିଜର ସର୍ଚ୍ଚ ଏବଂ କ୍ରୋମ ବ୍ରାଉଜରକୁ ଆଗକୁ ବଢାଇଥିଲା ଏବଂ ଅନ୍ୟ କମ୍ପାନିଗୁଡ଼ିକ ପାଇଁ ପ୍ରତିଦ୍ୱନ୍ଦ୍ୱୀତା କରିବା କଷ୍ଟକର ହୋଇଥିଲା ।

ସେହି ସମୟରେ କମ୍ପାନି ଉପରେ ୪.୩୪ ବିଲିୟନ ୟୁରୋ ଜରିମାନା ଲଗାଯାଇଥିଲା । ପରେ ୨୦୨୨ରେ ଏକ ନିମ୍ନ ଅଦାଲତ ଏହାକୁ ହ୍ରାସ କରି ୪.୧ ବିଲିୟନ ୟୁରୋ କରିଥିଲେ, କିନ୍ତୁ ଜରିମାନ ରାଶି ହଟାଇ ନଥିଲେ । ଏବେ ଇୟୁର ସର୍ବୋଚ୍ଚ ଅଦାଲତ ମଧ୍ୟ ଏହା ସପକ୍ଷରେ ରାୟ ଦେଇଛନ୍ତି ।

ୟୁରୋପୀୟ ସଂଘ କହିଛି ଯେ ଗୁଗଲ୍ ସ୍ମାର୍ଟଫୋନ୍ ନିର୍ମାତାଙ୍କ ପାଇଁ ଏପରି ସର୍ତ୍ତ ରଖିଛି ଯେଉଁଥିରେ ଗୁଗଲ୍ ପ୍ଲେ ଷ୍ଟୋର ଲାଇସେନ୍ସ ପାଇଁ ଗୁଗଲ୍ ସର୍ଚ୍ଚ ଏବଂ କ୍ରୋମ୍ ପୂର୍ବରୁ ଇନଷ୍ଟଲ୍ କରିବା ଜରୁରୀ । କମିଶନଙ୍କ ମତ ଯେ ଏହା ଅନ୍ୟ ସର୍ଚ୍ଚ ଇଞ୍ଜିନ୍ ଏବଂ ବ୍ରାଉଜରଗୁଡ଼ିକୁ ସମାନ ସୁଯୋଗ ପ୍ରଦାନ କରୁନାହିଁ ଏବଂ ଆଣ୍ଡ୍ରଏଡ୍ ବଜାରରେ ଗୁଗଲର ଦଖଲ ଆହୁରି ଦୃଢ଼ ହୋଇଛି ।

ଗୁଗଲ୍ ଏହି ନିଷ୍ପତ୍ତିରେ ନିରାଶା ପ୍ରକାଶ କରିଛି । କମ୍ପାନି କହିଛି ଯେ ଆଣ୍ଡ୍ରଏଡ୍ ଏକ ଖୋଲା ଏବଂ ମାଗଣା ପ୍ଲାଟଫର୍ମ ଯାହା ମୋବାଇଲ୍ ଶିଳ୍ପରେ ପ୍ରତିଯୋଗିତା ବୃଦ୍ଧି କରିଛି ଏବଂ ହଜାର ହଜାର କମ୍ପାନିକୁ ବ୍ୟବସାୟ କରିବାକୁ ଅନୁମତି ଦେଇଛି ।