ନୂଆଦିଲ୍ଲୀ: ଗୋଟିଏ ଦିନରେ ବାରମ୍ବାର ଖସି ଚାଲିଛି ସୁନା ଓ ରୁପା ଦର। ଆଜି ପ୍ରଥମେ ପାଖାପାଖି ୧୯୦୦ ଟଙ୍କା କମିଥିଲା। ହେଲେ ଏବର କାରବାର ସୁଦ୍ଧା ସୁନା ଦର ପାଖାପାଖି ୬ ହଜାର ଟଙ୍କା ହ୍ରାସ ପାଇଛି। ଇଣ୍ଡିଆ ବୁଲିଅନ ଜ୍ୱେଲର୍ସ ଆସୋସିଏସନ (IBJA) ଅନୁସାରେ ଶୁକ୍ରବାର ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୫,୯୪୭ ଟଙ୍କା ଶସ୍ତା ହୋଇଛି। ଏହି ହ୍ରାସ ସହିତ ୧୦ ଗ୍ରାମ ଦର ୧.୨୩ ଲକ୍ଷ ହୋଇଛି।

ଏହି ମୂଲ୍ୟ ହ୍ରାସ ସହିତ ସୁନା ଦର ବର୍ଷକର ପୁରୁଣା ସ୍ତରକୁ ଖସି ଯାଇଛି। ଗତବର୍ଷ ନଭେମ୍ବର ୨୪ ତାରିଖରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ମୂଲ୍ୟ ୧,୨୩,୩୦୮ ଟଙ୍କା ଥିଲା। ଏହାପରେ ବର୍ଷ ସାରା ଦର ବୃଦ୍ଧି ଜାରି ରହିବାରୁ ଚଳିତ ବର୍ଷ ଜାନୁଆରୀ ୧୮ ତାରିଖରେ ଏହା ୧.୭୨ ଲକ୍ଷକୁ ପହଞ୍ଚି ଯାଇଥିଲା।

କେବଳ ସୁନା ନୁହେଁ ଏପଟେ ଶୁକ୍ରବାର ରୁପା ଦରରେ ୯,୭୮୯ ଟଙ୍କା ହ୍ରାସ ହୋଇଛି। ଫଳରେ ରୁପା କିଲୋଗ୍ରାମ ପ୍ରତି ମୂଲ୍ୟ ୧.୫୦ ଲକ୍ଷ ଟଙ୍କାକୁ ଖସି ଆସିଛି। ଆମେରିକା ଡଲାର ମଜଭୁତ ହେବା ଏବଂ ବଡ଼ ବଡ଼ ଶେୟାରକୁ ବିକ୍ରି କରିବା ଫଳରେ ଏହି ଦୁଇ ଧାତୁର ଦର ଉପରେ ଚାପ ପଡ଼ିଛି।

ସର୍ବୋଚ୍ଚ ସ୍ତରରୁ ୩୦ ପ୍ରତିଶତ ଶସ୍ତା ହେଲା ସୁନା, ରୁପା ମୂଲ୍ୟ ୬୦% ହ୍ରାସ

ଚଳିତ ବର୍ଷ ସୁନା-ରୁପା ଦରରେ ଲଗାତର ବୃଦ୍ଧି ଦେଖିବାକୁ ମିଳୁଛି। ଏହି ବର୍ଷରେ ଦୁଇ ଧାତୁର ଦର ସର୍ବୋଚ୍ଚ ସ୍ତରକୁ ଉଠିଥିବା ବେଳେ ଏବେ ହଠାତ୍ ସର୍ବିନିମ୍ନ ସ୍ତରକୁ ଖସି ଆସିଛି। କାରଣ ୩୧ ଡିସେମ୍ବର ୨୦୨୫କୁ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ଥିଲା ୧.୩୩ ଲକ୍ଷ ଟଙ୍କା। ଯାହା ୨୦୨୬ ଜାନୁଆରୀ ୨୯ ତାରିଖ ବେଳକୁ ୧.୭୬ ଲକ୍ଷ ଟଙ୍କାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ସେବେଠାରୁ ଏପର୍ଯ୍ୟନ୍ତ ସୁନା ଦର ପାଖାପାଖି ୫୨.୪ ହଜାର ଟଙ୍କା ଅର୍ଥାତ ପାଖାପାଖି ୩୦ ପ୍ରତିଶତ ଶସ୍ତା ହୋଇଛି।

Also Read- ସରକାରୀ ବଫରରେ ୯.୭ଲକ୍ଷ ଟନ ହରଡ଼, ତଥାପି ଡାଲି କେଜି ୧୩୬ ଟଙ୍କା କାହିଁକି?

ସେହିପରି ରୁପା ମୂଲ୍ୟରେ ଏହା ଠାରୁ ବି ଅଧିକ ହ୍ରାସ ଦେଖିବାକୁ ମିଳିଛି। କାରଣ ତଥ୍ୟ ଦେଖିଲେ ୩୧ ଡିସେମ୍ବର ୨୦୨୫ରେ ସୁନା କେଜି ଦର ୨.୩୦ ଲକ୍ଷ ଟଙ୍କା ଥିଲା। ଯାହା ଚଳିତ ବର୍ଷ ଜାନୁଆରୀ ୨୯ ତାରିଖ ବେଳକୁ ୩.୮୦ ଲକ୍ଷ ଟଙ୍କାରେ ପହଞ୍ଚି ଯାଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ରୁପା ୨.୨୯ ଲକ୍ଷ ଟଙ୍କା ଶସ୍ତା ହେଲାଣି। ଅର୍ଥାତ୍ ଏହାର ଦରରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିଛି।