ନୂଆଦିଲ୍ଲୀ: ସୁନା ଏବଂ ରୁପା ମୂଲ୍ୟରେ ମଙ୍ଗଳବାର ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି । ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ ଅନୁଯାୟୀ, ଏକ କିଲୋଗ୍ରାମ ରୁପାର ମୂଲ୍ୟ ୧୦,୫୬୬ ଟଙ୍କା ହ୍ରାସ ପାଇ ୨.୨୭ ଲକ୍ଷ ଟଙ୍କାରେ ରହିଛି । ଗୋଟିଏ ଦିନ ପୂର୍ବରୁ ସୋମବାର ଏହା ୨.୩୭ ଲକ୍ଷ ଟଙ୍କା ଥିଲା ।

ସେହିଭଳି, ୧୦ ଗ୍ରାମ ଓଜନର ୨୪ କ୍ୟାରେଟ୍ ସୁନା ଦର ୨,୫୨୨ ଟଙ୍କା ହ୍ରାସ ପାଇ ୧.୪୫ ଲକ୍ଷ ଟଙ୍କା ହୋଇଛି । ଏହା ପୂର୍ବରୁ ଜୁନ୍ ୨୨ରେ ଏହି ମୂଲ୍ୟ ୧.୪୭ ଲକ୍ଷ ଟଙ୍କା ଥିଲା । ଚଳିତ ଜୁନ୍ ମାସରେ ସୁନା ଦର ପ୍ରାୟ ୧୦,୭୪୮ ଟଙ୍କା ଏବଂ ରୁପା ଦର ୩୬,୦୧୫ ଟଙ୍କା କମିଛି । ଜୁନ୍ ୧ରେ ସୁନା ୧୦ ଗ୍ରାମ ପିଛା ୧.୫୬ ଲକ୍ଷ ଏବଂ ରୁପା କିଲୋ ପିଛା ୩.୬୩ ଲକ୍ଷ ଟଙ୍କା ଥିଲା ।

ଚଳିତ ବର୍ଷ ରୁପା ୧.୫୯ ଲକ୍ଷ ଶସ୍ତା ହୋଇଛି

ଏହି ବର୍ଷ ସୁନା ଓ ରୁପା ମୂଲ୍ୟରେ କ୍ରମାଗତ ଉତ୍ଥାନ-ପତନ ଦେଖିବାକୁ ମିଳୁଛି । ୨୦୨୫ ଡିସେମ୍ବର ୩୧ରେ ସୁନା ଦର ୧.୩୩ ଲକ୍ଷ ଟଙ୍କା ଥିଲା, ଯାହା ଜାନୁଆରୀ ୨୯ରେ ବୃଦ୍ଧି ପାଇ ୧.୭୬ ଲକ୍ଷ ଟଙ୍କାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ସେବେଠାରୁ ଏପର୍ଯ୍ୟନ୍ତ ସୁନା ୩୧,୩୩୩ ଟଙ୍କା ଶସ୍ତା ହେଲାଣି ।

ଅପରପକ୍ଷରେ, ୨୦୨୫ ଡିସେମ୍ବର ୩୧ରେ ରୁପା ମୂଲ୍ୟ ୨.୩୦ ଲକ୍ଷ ଟଙ୍କା ଥିଲା । ୨୦୨୬, ୨୯ ଜାନୁଆରୀରେ ୩.୮୬ ଲକ୍ଷ ଟଙ୍କାକୁ ଛୁଇଁଥିଲା । ଏହା ରଉପାର ଆଜି ପର୍ଯ୍ୟନ୍ତର ସର୍ବୋଚ୍ଚ ସ୍ତର ଥିଲା । ଗତ ୧୪୫ ଦିନ ମଧ୍ୟରେ ରୁପା ପ୍ରାୟ ୧.୫୯ ଲକ୍ଷ ଟଙ୍କା ଶସ୍ତା ହୋଇଛି ।

ସୁନା-ରୁପା ଉପରେ ଆମଦାନୀ ଶୁଳ୍କ ୬%ରୁ ବଢ଼ି ୧୫% ହେଲା

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ କେନ୍ଦ୍ର ସରକାର ସୁନା ଏବଂ ରୁପା ଆମଦାନୀ ଉପରେ ଲାଗୁ ହେଉଥିବା ଡ୍ୟୁଟିକୁ ୬% ରୁ ବଢ଼ାଇ ୧୫% କରିଛନ୍ତି । ବିଦେଶରୁ କ୍ରୟ କମାଇବା ଏବଂ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ପଡ଼ୁଥିବା ଚାପକୁ ହ୍ରାସ କରିବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ । ସରକାର ସୁନା ଉପରେ ୧୦ ପ୍ରତିଶତ ବେସିକ୍ କଷ୍ଟମ୍ସ ଡ୍ୟୁଟି ଏବଂ ୫% ଏଗ୍ରିକଲଚର ଇନଫ୍ରାଷ୍ଟ୍ରକ୍ଚର ଆଣ୍ଡ ଡେଭଲପମେଣ୍ଟ ସେସ୍ (AIDC) ଲଗାଇଛନ୍ତି । ଏହିପରି ଭାବେ ମୋଟ ଟ୍ୟାକ୍ସ ୧୫% ହୋଇଯାଇଛି । ଏହାପୂର୍ବରୁ ୨୦୨୪ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମଦାନୀ ଶୁଳ୍କକୁ ୧୫%ରୁ ହ୍ରାସ କରି ୬% କରିଥିଲେ ।