ନୂଆଦିଲ୍ଲୀ: ଲଗାତର ସୁନା ଓ ରୁପା ଦର ହ୍ରାସ ପାଇ ଚାଲିଛି। ଜୁଲାଇ ପହିଲାରେ ବି ଦୁଇ ମୂଲ୍ୟବାନ ଧାତୁର ଦାମ କମିଛି। ସୁନା ଓ ରୁପା ଦରରେ ଆଜି (୧ ଜୁଲାଇ) ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (IBJA) ର ରିପୋର୍ଟ ଅନୁଯାୟୀ, ଆଜି ୧ କିଲୋ ରୁପା ଦର ୪,୦୭୦ ଟଙ୍କା ହ୍ରାସ ପାଇ ୨.୨୧ ଲକ୍ଷ ଟଙ୍କାକୁ ଖସିଆସିଛି। ସେହିପରି, ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୧,୮୫୨ ଟଙ୍କା ଖସି ୧.୪୦ ଲକ୍ଷ ଟଙ୍କା ହୋଇଛି।

ଏହି ବର୍ଷ ରୁପା ୧.୬୫ ଲକ୍ଷ ଟଙ୍କା ଶସ୍ତା ହୋଇଛି

ଚଳିତ ବର୍ଷ ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଲାଗି ରହିଛି। ୩୧ ଡିସେମ୍ବର ୨୦୨୫ରେ ସୁନା ଦର ୧.୩୩ ଲକ୍ଷ ଟଙ୍କା ଥିବାବେଳେ, ୨୯ ଜାନୁଆରୀରେ ଏହା ୧.୭୬ ଲକ୍ଷ ଟଙ୍କାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ସେବେ ଠାରୁ ଏପର୍ଯ୍ୟନ୍ତ ସୁନା ପ୍ରାୟ ୩୬ ହଜାର ଟଙ୍କା ଶସ୍ତା ହେଲାଣି।

ସେହିପରି ୩୧ ଡିସେମ୍ବର ୨୦୨୫ରେ ରୁପା ଦର ୨.୩୦ ଲକ୍ଷ ଟଙ୍କା ଥିଲା, ଯାହା ୨୯ ଜାନୁଆରୀରେ ୩.୮୬ ଲକ୍ଷ ଟଙ୍କାର ସର୍ବକାଳୀନ ରେକର୍ଡ ଦରରେ ପହଞ୍ଚିଥିଲା। ଗତ ୧୫୩ ଦିନ ମଧ୍ୟରେ ରୁପା ଦର ପ୍ରାୟ ୧.୬୫ ଲକ୍ଷ ଟଙ୍କା ହ୍ରାସ ପାଇଛି।

ଦର ହ୍ରାସର କାରଣ

ମଜବୁତ ଆମେରିକୀୟ ଡଲାର: ଫେଡେରାଲ ରିଜର୍ଭର ସଙ୍କେତ ପରେ ବିଶ୍ୱ ବଜାରରେ ଡଲାର ଇଣ୍ଡେକ୍ସ ଶକ୍ତିଶାଳୀ ହୋଇଛି, ଯାହା ସୁନା-ରୁପା ଦର ଉପରେ ନକାରାତ୍ମକ ପ୍ରଭାବ ପକାଇଛି।
ଲାଭ ଆଦାୟ (Profit Booking): ସୁନା ଓ ରୁପା ଦର ରେକର୍ଡ ସ୍ତରରେ ପହଞ୍ଚିବା ପରେ ବଡ଼ ନିବେଶକ ଓ ବ୍ୟବସାୟୀମାନେ ଲାଭ ଆଦାୟ କରିବା ଆରମ୍ଭ କରିଛନ୍ତି।
ETFରେ ବିକ୍ରି: ନିରାପଦ ନିବେଶର ଆକର୍ଷଣ କମିବାରୁ ଗୋଲ୍ଡ ଓ ସିଲଭର ETF ରେ ଭାରୀ ବିକ୍ରି ଦେଖାଦେଇଛି। ଆଜି ସିଲଭର ETF ୬% ଏବଂ ଗୋଲ୍ଡ ETF ୩% ହ୍ରାସ ପାଇଛି, ଯାହାର ପ୍ରଭାବ ଘରୋଇ ବଜାର ଉପରେ ପଡ଼ିଛି।

ସୁନା ଦର ପ୍ରବଳ ହ୍ରାସ ପାଇବା ଆଶଙ୍କାରେ ଏପଟେ ଭାରତୀୟ ପରିବାର ପୁରୁଣା ସୁନା ବିକ୍ରି କରୁଛନ୍ତି। ଏପ୍ରିଲ-ଜୁନ ମାସ ମଧ୍ୟରେ ଭାରତୀୟ ପରିବାର ୫୦ ଟନ ପୁରୁଣା ସୁନା ବିକ୍ରି କରିଥିବା ରିପୋର୍ଟ ପ୍ରକାଶ ପାଇଛି।