ନୂଆଦିଲ୍ଲୀ: ବର୍ତ୍ତମାନ ଯୁଦ୍ଧର କଳାବାଦଲ ପୂରା ବିଶ୍ୱକୁ ଘୋଡ଼ାଇ ରଖିଛି। କେତେବେଳେ ତୃତୀୟ ବିଶ୍ୱ ଯୁଦ୍ଧ ଯେ ହୋଇ ନଯିବ, ସେକଥା କିଏ କହିବ ? ଆଉ ଏଭଳି ପରିସ୍ଥିତିରେ ଏବେ ସୁନା ସମସ୍ତଙ୍କ ଗଣ୍ଠିଧନ। ସୁନାକୁ ଧରି ରଖିବାକୁ ଏବେ ଚାଲିଛି କମ୍ପିଟିସନ। ବିଶ୍ୱର ଅନେକ କେନ୍ଦ୍ରୀୟ ବ୍ୟାଙ୍କ ଏବେ ସେମାନଙ୍କର ସୁନା ଭଣ୍ଡାରକୁ କେବଳ ବଢ଼ାଉ ନାହାନ୍ତି, ବରଂ ସେହି ସୁନାକୁ କେଉଁଠି ରଖାଯିବ, ତାହାର ଷ୍ଟ୍ରାଟେଜି ମଧ୍ୟ ବଦଳାଉଛନ୍ତି। ନେଦରଲ୍ୟାଣ୍ଡ ଆମେରିକା ଓ କାନାଡାରୁ ପ୍ରାୟ ୮୬ ଟନ୍ ସୁନା ଲଣ୍ଡନକୁ ସ୍ଥାନାନ୍ତର କରିଛି। ଫ୍ରାନ୍ସ ନ୍ୟୁୟର୍କରୁ ୧୨୯ ଟନ୍ ସୁନା ୟୁରୋପକୁ ଶିଫ୍ଟ କରିଛି। ସେପଟେ ଭାରତର ପ୍ରାୟ ୭୭ ପ୍ରତିଶତ ସୁନା ଭଣ୍ଡାର ଏବେ ଦେଶ ଭିତରେ ରହିଛି। ଏହାରି ଭିତରେ ପ୍ରଶ୍ନ ଉଠୁଛି ହଠାତ୍ କାହିଁକି ବଦଳୁଛି କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ଗୋଲ୍ଡ ଷ୍ଟୋରେଜ୍ ଷ୍ଟ୍ରାଟେଜି? କ’ଣ ଯୁଦ୍ଧ ଓ ବଢ଼ୁଥିବା ବାଣିଜ୍ୟିକ ଉତ୍ତେଜନା ଏହାର ବଡ଼ କାରଣ? ପଢ଼ନ୍ତୁ ସ୍ପେଶାଲ୍ ରିପୋର୍ଟ। ବିଶ୍ୱ ଗୋଲ୍ଡ ରିଜର୍ଭ ଷ୍ଟ୍ରାଟେଜି

ସୁନା...ବିଶ୍ୱ ଅର୍ଥନୀତିର ଅନ୍ୟତମ ସବୁଠୁ ପୁରୁଣା ଓ ଭରସାଯୋଗ୍ୟ ସଂରକ୍ଷିତ ସମ୍ପତ୍ତି ବା ରିଜର୍ଭ ଆସେଟ୍। ଆର୍ଥିକ ଅନିଶ୍ଚିତତା, ମୁଦ୍ରାସ୍ଫୀତି, ଯୁଦ୍ଧ କିମ୍ବା ବଜାରର ଅସ୍ଥିରତା ସମୟରେ ସୁନାକୁ ଏକ ସୁରକ୍ଷିତ ସମ୍ପତ୍ତି ଭାବେ ଦେଖାଯାଏ। କିନ୍ତୁ ଏବେ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ଧ୍ୟାନ କେବଳ ନୂଆ ସୁନା କିଣିବା ଉପରେ ସୀମିତ ନାହିଁ। ବରଂ ନିଜ ପାଖରେ ଥିବା ବିଶାଳ ଗୋଲ୍ଡ ରିଜର୍ଭକୁ କେଉଁଠି ରଖିବେ, ଆବଶ୍ୟକ ସମୟରେ କେତେ ଶୀଘ୍ର ବ୍ୟବହାର କରିପାରିବେ ଏବଂ କିପରି ଏହାକୁ ଅଧିକ ପ୍ରଭାବୀ ଭାବେ ପରିଚାଳନା କରାଯିବ, ସେନେଇ ସମୀକ୍ଷା ଚାଲିଛି।

ଏହି ବଦଳୁଥିବା ଷ୍ଟ୍ରାଟେଜିର ଏକ ବଡ଼ ଉଦାହରଣ ହେଉଛି ନେଦରଲ୍ୟାଣ୍ଡ। ନେଦରଲ୍ୟାଣ୍ଡ ଆମେରିକା ଓ କାନାଡାରୁ ପ୍ରାୟ ୮୬ ଟନ୍ ସୁନା ଲଣ୍ଡନକୁ ସ୍ଥାନାନ୍ତର କରିଛି। ଏହା ପଛରେ ଡଚ୍ କଣ୍ଟ୍ରି ଯୁକ୍ତି ଦେଇଛି ଯେ କୌଣସି ସଙ୍କଟ ସ୍ଥିତି ଦେଖାଦେଲେ ଉନ୍ନତ ପ୍ରସ୍ତୁତି ଏବଂ ଲଣ୍ଡନର ବିଶାଳ ଗୋଲ୍ଡ ମାର୍କେଟକୁ ସହଜରେ ପହଞ୍ଚ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଅର୍ଥାତ୍ ସୁନାକୁ ଏପରି ସ୍ଥାନରେ ରଖିବା, ଯେଉଁଠାରୁ ଆବଶ୍ୟକ ପଡ଼ିଲେ ତାହାକୁ ସହଜରେ ଟ୍ରେଡ୍ କିମ୍ବା ବ୍ୟବହାର କରାଯାଇପାରିବ ବୋଲି ନେଦରଲ୍ୟାଣ୍ଡ କହିଛି।

ସେପଟେ ଫ୍ରାନ୍ସ ମଧ୍ୟ ନିଜର ଗୋଲ୍ଡ ରିଜର୍ଭ ସମ୍ବନ୍ଧରେ ପଦକ୍ଷେପ ନେଇଛି। ଫ୍ରାନ୍ସ ନ୍ୟୁୟର୍କରୁ ପ୍ରାୟ ୧୨୯ ଟନ୍ ସୁନା ୟୁରୋପକୁ ସ୍ଥାନାନ୍ତର କରିଛି। ଫ୍ରାନ୍ସ କହିଛି ଯେ, ନ୍ୟୁୟର୍କରେ ରଖାଯାଇଥିବା ଏହାର କିଛି ଗୋଲ୍ଡ ବାର୍ ଆବଶ୍ୟକ ଶୁଦ୍ଧତା ମାନଦଣ୍ଡକୁ ପୂରଣ କରୁନଥିଲା। ଏହି କାରଣରୁ ସେଗୁଡ଼ିକୁ ୟୁରୋପକୁ ଅଣାଯାଇଛି। ଏଠାରେ ଗୋଟିଏ କଥା ସ୍ପଷ୍ଟ, ଯେ ପ୍ରତ୍ୟେକ ଦେଶ ସମାନ କାରଣରୁ ନିଜର ସୁନା ସ୍ଥାନାନ୍ତର କରୁନାହାନ୍ତି। କାହା ପାଇଁ ସୁରକ୍ଷା ଓ ଆପଦକାଳୀନ ପ୍ରସ୍ତୁତି ପ୍ରାଥମିକତା, ତ ଆଉ କାହା ପାଇଁ ଗୁଣବତ୍ତା ଓ ଟେକ୍ନିକାଲ୍ ମାନଦଣ୍ଡ ଗୁରୁତ୍ୱପୂର୍ଣ୍ଣ।

Also Credit- ପୁଣି ସୁନା କିଣିବାରେ ରେକର୍ଡ କଲା ଚୀନ୍ , ବ୍ୟାଙ୍କରେ ଜମା ହେଲା ଟନ୍ ଟନ୍ ସୁନା; ବିଶ୍ୱ ବଜାରରେ ବଢ଼ିବ କି ଦାମ୍?

କେବଳ ୟୁରୋପୀୟ ଦେଶଗୁଡ଼ିକ ନୁହେଁ, ଭାରତ ମଧ୍ୟ ନିକଟ ଅତୀତରେ ବିଦେଶରେ ରଖିଥିବା ସୁନା ସ୍ୱଦେଶକୁ ଫେରାଇ ଆଣିଛି। ସଦତ୍ୟମ ତଥ୍ୟ ଅନୁସାରେ ବର୍ତ୍ତମାନ ଭାରତର ପ୍ରାୟ ୭୭ ପ୍ରତିଶତ ଗୋଲ୍ଡ ରିଜର୍ଭ ଏବେ ଦେଶ ଭିତରେ ରଖାଯାଇଛି। ତେବେ କେବଳ ସୁନା ଟ୍ରାନ୍ସଫର ହେଉନି, ବିପୁଳ ପରିମାଣରେ ସୁନା କିଣାମଧ୍ୟ ଯାଉଛି। ୨୦୨୬ ଏପ୍ରିଲ ରୁ ଜୁନ ମଧ୍ୟରେ ଭାରତର ସୁନା ଆମଦାନୀ ୪୭.୧ ପ୍ରତିଶତ ବୃଦ୍ଧି ପାଇ ୧୧.୦୧ ଅରବ ଡଲାରରେ ପହଞ୍ଚିଛି। ବିଶ୍ୱର ଅନ୍ୟ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମଧ୍ୟ ବିପୁଳ ପରିମାଣରେ ସୁନା କିଣୁଛନ୍ତି। ୱର୍ଲ୍ଡ ଗୋଲ୍ଡ କାଉନସିଲ ଅନୁଯାୟୀ, ଗତ ୪ ବର୍ଷ ଧରି ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପ୍ରତିବର୍ଷ ହାରାହାରି ପ୍ରାୟ ୧ ହଜାର ଟନ୍ ସୁନା କିଣିଥିବା ରିପୋର୍ଟ କହୁଛି।

ଭାରତରେ ଚିତ୍ର ମଧ୍ୟ ବଦଳୁଛି। ଭାରତର ରିଜର୍ଭ ବ୍ଯାଙ୍କ ମଧ୍ୟ ନିକଟରେ ନିଜର ଗୋଲ୍ଡ ରିଜର୍ଭର ଏକ ଅଂଶ ବିଦେଶରୁ ଦେଶକୁ ଫେରାଇ ଆଣିଛି। ୨୦୨୪ର ପ୍ରଥମାର୍ଦ୍ଧରେ ୟକୁରୁ ୧୦୦ ଟନ୍ରୁ ଅଧିକ ସୁନା ଭାରତକୁ ଆସିଥିଲା। ଏହାପରେ ଆଉ କିଛି ପର୍ଯ୍ୟାୟରେ ସୁନା ଦେଶକୁ ଆସିଛି। ଫଳରେ ଆର୍ବିଆଇର ବିଦେଶରେ ସୁନା ରଖିବାର ଅଂଶ ୨୦୨୩ ମାର୍ଚ୍ଚର ପ୍ରାୟ ୫୫ ପ୍ରତିଶତରୁ ୨୦୨୬ ମାର୍ଚ୍ଚରେ ପ୍ରାୟ ୨୨ ପ୍ରତିଶତକୁ ଖସିଆସିଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ଭାରତର ପ୍ରାୟ ୭୭ ପ୍ରତିଶତ ଗୋଲ୍ଡ ରିଜର୍ଭ ଏବେ ଦେଶ ଭିତରେ ରଖାଯାଇଛି। ଦେଶ ଭିତରେ ରଖାଯାଉଥିବା ଗୋଲ୍ଡ ରିଜର୍ଭର ପରିମାଣ ବଢ଼ିଛି। ତେବେ ଘରୋଇ ସ୍ତରରେ ରଖାଯାଇଥିବା ସୁନାର ପରିମାଣ କାହିଁକି ବଢ଼ିଛି, ସେ ସମ୍ପର୍କରେ ଆର୍ବିଆଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ କୌଣସି କାରଣ ଜଣାଇନାହିଁ।

ତେବେ ଏହାରି ଭିତରେ ଆଉ ଏକ ଚର୍ଚ୍ଚାର ବିଷୟ ହେଲା ଭାରତ ଦୁବାଇରୁ ବିପୁଳ ପରିମାଣରେ ସୁନା କିଣୁଛି, ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି। ଭାରତର ସୁନା ଆମଦାନି ବିଲ୍ରେ ବଡ଼ ବୃଦ୍ଧି ହୋଇଥିବା ବେଳେ ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ର ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବ ୟୁଏଇକୁ ଦିଆଯାଇଥିବା ସୁନା ଆମଦାନି ଶୁଳ୍କ ରିହାତିର ସମୀକ୍ଷା ଦାବି କରିଛନ୍ତି।

୨୦୨୬ ଏପ୍ରିଲ୍-ଜୁନ୍ରେ ଭାରତର ସୁନା ବାର୍ ଆମଦାନି ୪୭.୧% ବଢ଼ି ୧୧.୦୧ ବିଲିୟନ୍ ଡଲାରରେ ପହଞ୍ଚିଛି। ଗତବର୍ଷ ଏହା ୭.୪୯ ବିଲିୟନ୍ ଡଲାର ଥିଲା। ମେ’ ୧୩ରେ ସୁନା ଉପରେ ଆମଦାନି ଶୁଳ୍କ ୬%ରୁ ୧୫%କୁ ବଢ଼ାଯାଇଥିଲେ ମଧ୍ୟ ଆମଦାନି ବଢ଼ିଛି। ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ମଧ୍ୟ ଏହାର ଏକ କାରଣ।

ଜୁନ୍ରେ ୟୁଏଇରୁ ସୁନା ଆମଦାନି ୧୭୫.୨% ବଢ଼ି ୬୪୯.୪ ନିୟୁତ ଡଲାର ହୋଇଛି। ଅନ୍ୟ ଦେଶରୁ ଆମଦାନି ୧୭.୭% କମିଛି। ଏହା ଫଳରେ ଭାରତର ଜୁନ୍ ମାସର ଆମଦାନି ବୃଦ୍ଧିର ସମ୍ପୂର୍ଣ୍ଣ ନେଟ୍ ବୃଦ୍ଧି ୟୁଏଇରୁ ଆସିଛି। ୟୁଏଇର ଅଂଶ ୧୨.୮%ରୁ ବଢ଼ି ୩୩% ହୋଇଛି। ଏପ୍ରିଲ୍-ଜୁନ୍ରେ ୟୁଏଇରୁ ଆମଦାନି ୧୨୪.୮% ବଢ଼ି ୩.୧୪ ବିଲିୟନ୍ ଡଲାର ହୋଇଛି। ମୋଟ ବୃଦ୍ଧିର ପ୍ରାୟ ଅଧା, ଅର୍ଥାତ୍ ୧.୭୪ ବିଲିୟନ୍ ଡଲାର ୟୁଏଇରୁ ଆସିଛି।

କେବଳ ଆର୍ବିଆଇ ନୁହେଁ, ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଲଗାତାର ସୁନା କିଣି ଚାଲିଛନ୍ତି। ଅର୍ଥାତ୍ ଏବେ ସେଣ୍ଟ୍ରାଲ୍ ବ୍ୟାଙ୍କଗୁଡ଼ିକରେ ଦୁଇଟି ପ୍ରମୁଖ କାମ ହେଲା- ନିଜ ରିଜର୍ଭରେ ସୁନାର ପରିମାଣ ବଢ଼ାଇବା ଓ ଦ୍ୱିତୀୟଟି ହେଲା ପୂର୍ବରୁ ଥିବା ସୁନାକୁ କେଉଁଠି ରଖିଲେ ତାହା ସବୁଠୁ ଅଧିକ ସୁରକ୍ଷିତ, ସୁବିଧାଜନକ ଏବଂ ଆବଶ୍ୟକ ସମୟରେ ସହଜରେ ବ୍ୟବହାରଯୋଗ୍ୟ ହେବ, ତାହାର ସମୀକ୍ଷା କରିବା।

ଏହି କାରଣରୁ ଅନେକ ଦେଶ ନିଜର ଗୋଲ୍ଡ ରିଜର୍ଭକୁ ବିଦେଶରୁ ଫେରାଇ ଆଣୁଛନ୍ତି କିମ୍ବା ଅନ୍ୟ ରଣନୈତିକ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି। କିଛି ଦେଶ ଘରୋଇ ଭଲ୍ଟରେ ସୁନା ରଖିବାକୁ ଗୁରୁତ୍ୱ ଦେଉଛନ୍ତି, ଆଉ କିଛି ଦେଶ ବଡ଼ ଅନ୍ତର୍ଜାତୀୟ ଗୋଲ୍ଡ ଟ୍ରେଡିଂ ସେଣ୍ଟର ନିକଟରେ ସୁନା ରଖିବାକୁ ଉପଯୁକ୍ତ ମନେ କରୁଛନ୍ତି। ୱର୍ଲ୍ଡ ଗୋଲ୍ଡ କାଉନସିଲର ୨୦୨୫ ସର୍ଭେ ଅନୁଯାୟୀ, ୨୦୨୫ରେ ୪୪ ପ୍ରତିଶତ କେନ୍ଦ୍ରୀୟ ବ୍ୟାଙ୍କ ନିଜର ଗୋଲ୍ଡ ରିଜର୍ଭକୁ ସକ୍ରିୟ ଭାବେ ପରିଚାଳନା କରିଥିଲେ। ୨୦୨୪ରେ ଏହି ସଂଖ୍ୟା ଥିଲା ୩୭ ପ୍ରତିଶତ ଥିଲା। ଅର୍ଥାତ୍ ମାତ୍ର ଗୋଟିଏ ବର୍ଷରେ ଗୋଲ୍ଡ ରିଜର୍ଭର ଅବସ୍ଥାନ ଏବଂ ତାକୁ ରଖିବାର ପଦ୍ଧତି ଉପରେ ସକ୍ରିୟ ଭାବେ କାମ କରୁଥିବା ବ୍ୟାଙ୍କଗୁଡ଼ିକର ସଂଖ୍ୟା ବଢ଼ିଛି।

ସେହି ସର୍ଭେରେ ଆଉ ଏକ ବଡ଼ ପରିବର୍ତ୍ତନ ସାମ୍ନାକୁ ଆସିଥିଲା। ନିଜ ଦେଶରେ ସୁନା ରଖିବାକୁ ପସନ୍ଦ କରୁଥିବା କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ପରିମାଣ ୪୧%ରୁ ବଢ଼ି ୫୯% ହୋଇଛି। ତେବେ ସୁରକ୍ଷା ଦୃଷ୍ଟିରୁ ହେଉ କିମ୍ବା ସହଜ ବ୍ୟବହାର ପାଇଁ, ନିଜ ଦେଶ ଭିତରେ ସୁନା ରଖିବା ପ୍ରତି କେନ୍ଦ୍ରୀୟ ବ୍ୟାଙ୍କଙ୍କ ଆଗ୍ରହ ବଢ଼ୁଥିବା ଜଣାପଡ଼ୁଛି।

Also credit- ୧୫ ସେପ୍ଟେମ୍ବରରୁ ବନ୍ଦ ହୋଇପାରେ ଦୋକାନୀଙ୍କ UPI ପେମେଣ୍ଟ: ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀଙ୍କ ପରେ ସଙ୍କଟ, RBIକୁ ଡେଡଲାଇନ୍ ବଢ଼ାଇବାକୁ ଦାବି

ସୁନା କିଣିବାର ଗତି ମଧ୍ୟ ଗତ କିଛି ବର୍ଷରେ ବଢ଼ିଛି। ୱର୍ଲ୍ଡ ଗୋଲ୍ଡ କାଉନସିଲ ଅନୁଯାୟୀ, ଗତ ଚାରି ବର୍ଷ ଧରି ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପ୍ରତିବର୍ଷ ହାରାହାରି ପ୍ରାୟ ୧ ହଜାର ଟନ୍ ସୁନା କିଣିଛନ୍ତି କିମ୍ବା ନିଜ ରିଜର୍ଭରେ ଯୋଡ଼ିଛନ୍ତି। ଏହା ପୂର୍ବର ୧୦ ବର୍ଷରେ ଏହି ହାରାହାରି ପରିମାଣ ଥିଲା ବାର୍ଷିକ ପ୍ରାୟ ୫୦୦ ଟନ୍। ଅର୍ଥାତ୍ ଗତ କିଛି ବର୍ଷରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ସୁନା ପ୍ରତି ଆଗ୍ରହ ଦୁଇଗୁଣ ବଢ଼ିଥିବା ଜଣାପଡ଼ୁଛି। ପୂର୍ବ ତୁଳନାରେ ସେମାନେ ବହୁତ ଅଧିକ ପରିମାଣର ସୁନା ନିଜ ରିଜର୍ଭରେ ଯୋଡ଼ୁଛନ୍ତି।

ବର୍ତ୍ତମାନ ଚାରିଆଡ଼େ ଯୁଦ୍ଧର ବିଭୀଷିକା। କେତେବେଳେ ମାର୍କେଟର ଗତି କୁଆଡ଼େ ଯାଉଛି ତାହା ତାହା କହିବା ମୁସ୍କିଲ୍। ଏଭଳି ଏକ ସମୟରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ କାହିଁକି ସୁନା ନିଜ ଦେଶକୁ ଫେରାଇ ଆଣୁଛନ୍ତି ? ନିଜ ଦେଶରେ ସୁନା ରଖିବାର ଲାଭ କ’ଣ? ଆସନ୍ତୁ ଜାଣିବା।

ଗୋଲ୍ଡମ୍ୟାନ୍ ସାକ୍ସର ଆନାଲିଷ୍ଟ ଲିନା ଥୋମାସ ଏବଂ ଡାନ୍ ଷ୍ଟ୍ରୁଭେନଙ୍କ ମତରେ, ଗୋଲ୍ଡ ରିଜର୍ଭ କେଉଁଠି ରଖାଯିବ, ଏହି ପ୍ରଶ୍ନ ଏବେ ରିଜର୍ଭ ମ୍ୟାନେଜରମାନଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି। ନିଜ ଦେଶ ଭିତରେ ସୁନା ରଖିବାର ସବୁଠୁ ବଡ଼ ଲାଭ ହେଉଛି କେନ୍ଦ୍ରୀୟ ବ୍ୟାଙ୍କ ନିଜ ଗୋଲ୍ଡ ରିଜର୍ଭ ଉପରେ ସିଧାସଳଖ ନିୟନ୍ତ୍ରଣ ପାଇଥାଏ। କିନ୍ତୁ ଏଥିପାଇଁ ନିଜସ୍ୱ ଭଲ୍ଟ, କଡ଼ା ସୁରକ୍ଷା ବ୍ୟବସ୍ଥା, ଅଡିଟ୍ ସିଷ୍ଟମ୍ ଏବଂ ଇନ୍ସୁରାନ୍ସ ଭଳି ବ୍ୟବସ୍ଥା ଉପରେ ଖର୍ଚ୍ଚ କରିବାକୁ ପଡ଼େ। ବିଶେଷକରି ଛୋଟ କେନ୍ଦ୍ରୀୟ ବ୍ୟାଙ୍କଙ୍କ ପାଇଁ ଏପରି ଭଲ୍ଟ ଓ ସୁରକ୍ଷା ବ୍ୟବସ୍ଥା ଗଢ଼ିବା ଏବଂ ତାହାକୁ ପରିଚାଳନା କରିବାର ଖର୍ଚ୍ଚ ବହୁତ ଅଧିକ ହୋଇପାରେ।

ଅନ୍ୟପଟେ, ଯଦି କୌଣସି କେନ୍ଦ୍ରୀୟ ବ୍ୟାଙ୍କ ନିଜର ସୁନା ବିଦେଶରେ ରଖେ, ତେବେ ସେଠାରେ ପୂର୍ବରୁ ଗଢ଼ି ଉଠିଥିବା ଗୋଲ୍ଡ ଟ୍ରେଡିଂ ଓ ସେଟଲମେଣ୍ଟ ସିଷ୍ଟମ୍ ପର୍ଯ୍ୟନ୍ତ ସହଜରେ ପହଞ୍ଚିବାର ସୁବିଧା ମିଳେ। ଅର୍ଥାତ୍ ଘରୋଇ ଷ୍ଟୋରେଜ୍ରେ ସୁରକ୍ଷା ଓ ସିଧାସଳଖ ନିୟନ୍ତ୍ରଣର ଲାଭ ରହିଥାଏ। ଅନ୍ୟପଟେ ବିଦେଶରେ ସୁନା ରଖିଲେ ପୂର୍ବରୁ ପ୍ରତିଷ୍ଠିତ ଗୋଲ୍ଡ ମାର୍କେଟ, ଟ୍ରେଡିଂ ଓ ସେଟଲମେଣ୍ଟ ସିଷ୍ଟମକୁ ସହଜରେ ବ୍ୟବହାର କରାଯାଇପାରେ। ସେଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକୁ ସୁରକ୍ଷା, ନିୟନ୍ତ୍ରଣ, ବଜାର ପର୍ଯ୍ୟନ୍ତ ପହଞ୍ଚ ଓ ଖର୍ଚ୍ଚ ଏହି ସବୁ ଦିଗକୁ ବିଚାର କରି ନିଜ ଷ୍ଟୋରେଜ୍ ଷ୍ଟ୍ରାଟେଜି ନିର୍ଦ୍ଧାରଣ କରିବାକୁ ପଡ଼ୁଛି।

କେନ୍ଦ୍ରୀୟ ବ୍ୟାଙ୍କଙ୍କ ଗୋଲ୍ଡ ରିଜର୍ଭ ପ୍ରତି ବଢ଼ୁଥିବା ଫୋକସ୍ର ଆଉ ଏକ କାରଣ ହେଉଛି ସୁନା ଦରର ଅସାଧାରଣ ବୃଦ୍ଧି। ଗତ କିଛି ବର୍ଷରେ ସୁନାର ମୂଲ୍ୟରେ ଦ୍ରୁତ ବୃଦ୍ଧି ଦେଖାଯାଇଛି। ଜାନୁଆରୀ ୨୦୨୬ରେ ସୁନା ଦର ପ୍ରତି ଆଉନ୍ସ ୫ ହଜାର ଡଲାର ଅତିକ୍ରମ କରିଥିଲା। ଫେବ୍ରୁଆରୀରେ ଏହା ମୁଦ୍ରାସ୍ଫୀତି ଅନୁସାରେ ଆଡଜଷ୍ଟ କରାଯାଇଥିବା ସ୍ତରରେ ପ୍ରାୟ ୫ ହଜାର ୩୯୪ ଡଲାର ପ୍ରତି ଆଉନ୍ସର ଉଚ୍ଚ ସ୍ତରକୁ ପହଞ୍ଚିଥିଲା।

ପରେ ଜୁଲାଇ ସୁଦ୍ଧା ସୁନା ଦର କମି ପ୍ରାୟ ୪ ହଜାର ୪୬ ଡଲାର ପ୍ରତି ଆଉନ୍ସ ରହିଥିଲା। ତଥାପି ଏହି ଦର ଅଧିକାଂଶ ଐତିହାସିକ ସ୍ତର ତୁଳନାରେ ବହୁତ ଉପରେ ରହିଥିଲା। ଗୋଲ୍ଡମ୍ୟାନ୍ ସାକ୍ସର ଆନାଲିଷ୍ଟମାନଙ୍କ ଆକଳନ ଅନୁଯାୟୀ, ୨୦୨୬ ଶେଷ ସୁଦ୍ଧା ସୁନା ଦର ପ୍ରତି ଟ୍ରୟ ଆଉନ୍ସ ୪ ହଜାର ୯୦୦ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ।

ତେବେ ପ୍ରଶ୍ନ ଉଠୁଛି ଯୁଦ୍ଧ ଏବଂ ଟ୍ରେଡ୍ ଟେନସନ୍ କ’ଣ ଏହାର ସବୁଠୁ ବଡ଼ କାରଣ?

ୱର୍ଲ୍ଡ ଗୋଲ୍ଡ କାଉନସିଲର ସିନିୟର ମାର୍କେଟ ଷ୍ଟ୍ରାଟେଜିଷ୍ଟ ଜୋସେଫ କାଭାଟୋନିଙ୍କ ମତରେ, ଯୁଦ୍ଧ ଓ ବାଣିଜ୍ୟିକ ଉତ୍ତେଜନା କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର କିଛି ନିଷ୍ପତ୍ତିକୁ ପ୍ରଭାବିତ କରୁଛି। କିନ୍ତୁ ଏହାକୁ ସେ ଏହି ନିଷ୍ପତ୍ତିଗୁଡ଼ିକର ସବୁଠୁ ବଡ଼ କାରଣ ବୋଲି ମାନନ୍ତି ନାହିଁ। ତାଙ୍କ ମତରେ ମୁଦ୍ରାସ୍ଫୀତି, ସୁଧ ହାର ଏବଂ ଆବଶ୍ୟକ ସମୟରେ ସୁନାକୁ କେତେ ଶୀଘ୍ର ଟ୍ରେଡ୍ କରାଯାଇପାରିବ, ଏହି ସବୁ କାରଣ ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। କାଭାଟୋନି କହିଛନ୍ତି ଯେ, କେନ୍ଦ୍ରୀୟ ବ୍ୟାଙ୍କମାନେ କୌଣସି ଆଗାମୀ ବଡ଼ ବିପର୍ଯ୍ୟୟର ଆଶଙ୍କାକୁ ଦେଖି ମାତ୍ର ଏହି ପଦକ୍ଷେପ ନେଉଛନ୍ତି, ଏପରି ଚିତ୍ର ଦେଖାଯାଉନାହିଁ।

ବରଂ ସେମାନେ ନିଜର ରିଜର୍ଭ ଆସେଟ୍ଗୁଡ଼ିକୁ କିପରି ଆହୁରି ଭଲ ଭାବେ ପରିଚାଳନା କରାଯିବ, କିପରି ବଢ଼ାଯିବ ଏବଂ କିପରି ସେଥିରୁ ଅଧିକ ଲାଭ ଉଠାଯିବ, ତାହା ଉପରେ ଅଧିକ ଫୋକସ୍ କରୁଛନ୍ତି। ତେଣୁ ସ୍ପଷ୍ଟ ଯେ, ସୁନା କେବଳ କେନ୍ଦ୍ରୀୟ ବ୍ୟାଙ୍କଙ୍କ ପାଇଁ ଏକ ରିଜର୍ଭ ଆସେଟ୍ ନୁହେଁ, ଏହାକୁ କେଉଁଠି ଏବଂ କିପରି ରଖାଯିବ ତାହା ମଧ୍ୟ ଏବେ ଏକ ବଡ଼ ରଣନୈତିକ ନିଷ୍ପତ୍ତିରେ ପରିଣତ ହୋଇଛି। ଏସବୁ ଭିତରେ ଭୂରାଜନୈତିକ ଅସ୍ଥିରତା ଯେ ନିହାତି ପକ୍ଷେ ଏକ ବଡ଼ କାରଣ ହୋଇ ନଥିବ, ତାହା ଅସ୍ୱୀକାର କରି ହେବ ନାହିଁ।