ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଗରୁଡ଼ ପୁରାଣର ଏକ ବିଶେଷ ମହତ୍ୱ ରହିଛି। ଯେଉଁ ୧୮ ମହାପୁରାଣ ରହିଛି, ସେଥିରେ ଗରୁଡ଼ ପୁରାଣ ବି ସାମିଲ ଅଛି। ଏଥିରେ ଜୀବନ ଓ ମୃତ୍ୟୁର ରହସ୍ୟ, ଆତ୍ମାର ସଦଗତି, ଦୁର୍ଗତି, ସ୍ୱର୍ଗ, ନର୍କ ଓ ପାପ, ପୂଣ୍ୟ କର୍ମ ବିଷୟରେ ବିସ୍ତାରେ ଭାବରେ ବର୍ଣ୍ଣନା କରାଯାଇଛି। ଭାରତର କେତେକ ଅଞ୍ଚଳରେ ମୃତ୍ୟୁ ପରେ ଘରେ ଗରୁଡ଼ ପୁରାଣର ପାଠ କରିବାର ଏକ ବିଧି ମଧ୍ୟ ରହିଛି।

ତେବେ ଗରୁଡ଼ ପୁରାଣରେ କେବଳ ଯେ ଜୀବନ ମୃତ୍ୟୁର ରହସ୍ୟ ବିଷୟରେ ଲେଖାଯାଇଛି ତାହା ନୁହେଁ, ଏଥିରେ ମଣିଷର ଚାଲିଚଳଣ, ଜୀବନଶୈଳୀ, ଆଚାରବିଚାର ବିଷୟରେ ଖୁବ୍ ଜରୁରି କଥା ଲେଖାଯାଇଛି। ଗରୁଡ଼ ପୁରାଣର ଆଚାର କାଣ୍ଡରେମଣିଷର କିଛି ଖରାପ ଅଭ୍ୟାସ ବିଷୟରେ ଉଲ୍ଲେଖ କରାଯାଇଛି, ଯାହା ଏକ ହସଖୁସୀର ପରିବାରକୁ ନଷ୍ଟ କରିଦେବା ପରିବାର ଯେତେ ରୋଜଗାର କଲେ ବି କୁଳେଇବ ନାହିଁ।

ଆମ ଜୀବନର ଏଭଳି ଅନେକ ଖରାପ ଅଭ୍ୟାସ ଅଛି, ଯାହା କ୍ଷଣିକ ସମୟ ପାଇଁ ଆରାମ ତ ଦେଇଥାଏ, ହେଲେ ଜୀବନକୁ ଦୁର୍ବିସହ କରିଦେଇଥାଏ। ଏଗୁଡ଼ିକୁ ଛୋଟ ଛୋଟ କଥା ଭାବି ଆମେ ଅଣଦେଖା କରନ୍ତି, ହେଲେ ଏହି ଛୋଟ ଭୁଲଗୁଡ଼ିକ ଧୀରେ ଧୀରେ ଘରର ସୁଖ, ଶାନ୍ତି ଏବଂ ସମୃଦ୍ଧିକୁ ଛଡ଼ାଇ ନିଏ। ତେଣୁ ଗରୁଡ଼ ପୁରାଣରେ ବର୍ଣ୍ଣିତ ସେହି ୪ଟି ବଦଭ୍ୟାସ ବିଷୟରେ ଆସନ୍ତୁ ଜାଣିବା ଯାହା ପରିବାରକୁ ଦାରିଦ୍ର୍ୟ ଆଡ଼କୁ ଠେଲି ଦିଏ।

୪ ବଦଭ୍ୟାସଗୁଡ଼ିକ ହେଲା-

ସୂର୍ଯ୍ୟେଦୟ ପରେ ବହୁତ ସମୟ ପର୍ଯ୍ୟନ୍ତ ଶୋଇ ରହିବା- ପ୍ରଥମ ଖରାପ ଅଭ୍ୟାସ ହେଉଛି ସୂର୍ଯ୍ୟୋଦୟ ପରେ ବହୁତ ସମୟ ପର୍ଯ୍ୟନ୍ତ ଶୋଇବା ରହିବା। ଗରୁଡ଼ ପୁରାଣ ଅନୁସାରେ, ଯେଉଁ ଘରେ ଲୋକମାନେ ସୂର୍ଯ୍ୟୋଦୟ ପରେ ମଧ୍ୟ ବିଛଣାରୁ ଉଠି ନଥାନ୍ତି, ସେଠାରେ ଦେବୀ ଲକ୍ଷ୍ମୀ କେବେ ବି ବାସ କରନ୍ତି ନାହିଁ। କାରଣ ସକାଳ ସମୟକୁ ଦେବତାଙ୍କର ସମୟ ବୋଲି ବିବେଚନା କରାଯାଏ। ଏହି ସମୟରେ ଶୋଇବା ରହିବା ଦ୍ୱାରା ଆଳସ୍ୟ ବୃଦ୍ଧି ପାଏ। ଆଉ ଅଳସୁଆ ବ୍ୟକ୍ତି କଠିନ ପରିଶ୍ରମ କରିପାରେ ନାହିଁ। ଭାଗ୍ୟ ତାଙ୍କ ହାତରୁ ଖସିଯାଏ। ତେଣୁ, ସକାଳେ ଶୀଘ୍ର ଉଠିବା ଉଚିତ୍। ନହେଲେ ଏହା ଦାରିଦ୍ର୍ୟତା ବଢାଇପାରେ।

ଅନ୍ନର ଅପମାନ କରିବା-ଗରୁଡ଼ ପୁରାଣ ଅନୁସାରେ, ଆଉ ଏକ ଖରାପ ଅଭ୍ୟାସ ହେଉଛି ଖାଦ୍ୟ ନଷ୍ଟ କରିବା। ଆଜିକାଲି ଲୋକମାନେ ବହୁତ ଖାଦ୍ୟ ନଷ୍ଟ କରନ୍ତି। ଶାସ୍ତ୍ରରେ ଏହାକୁ ଏକ ମହାପାପ ବୋଲି ବିବେଚନା କରାଯାଏ। ଯେଉଁ ଘରେ ଖାଦ୍ୟ ନଷ୍ଟ ହୁଏ, ସେଠାରେ ମାତା ଅନ୍ନପୂର୍ଣ୍ଣା ବାସ କରନ୍ତି ନାହିଁ। ତେଣୁ, କେବେବି ଖାଦ୍ୟକୁ ଫିଙ୍ଗି ଦେଇ ଏହାର ଅସମ୍ମାନ କରନ୍ତୁ ନାହିଁ।

ଖରାପ କପଡ଼ା କିମ୍ବା ଚିରା କପଡ଼ା ପିନ୍ଧିବା-ମଇଳା ପୋଷାକ ପିନ୍ଧିବା ଏବଂ ଆଖପାଖରେ ଅଳିଆ ଆବର୍ଜନା ଫିଙ୍ଗି ଅପରିସ୍କାର କରିବା ହେଉଛି ତୃତୀୟ ଖରାପ ଅଭ୍ୟାସ। ଅନେକ ଲୋକ ଦିନ ଦିନ ଧରି ସମାନ ପୋଷାକ ପିନ୍ଧନ୍ତି ଏବଂ ନିଜ ଘର ସଫା କରନ୍ତି ନାହିଁ। ଗରୁଡ଼ ପୁରାଣରେ କୁହାଯାଇଛି ଯେ ଦାରିଦ୍ର୍ୟ ସର୍ବଦା ମଇଳାରେ ବାସ କରେ। ଶାରୀରିକ ଏବଂ ମାନସିକ ଭାବରେ ପରିଷ୍କାର ନଥିବା ବ୍ୟକ୍ତିକୁ ମାନସିକ ଶାନ୍ତି ମିଳେ ନାହିଁ। ମଇଳା ଘରେ ନକାରାତ୍ମକ ଶକ୍ତି ଆଣେ, ଯାହା ଫଳରେ ଘରର ଟଙ୍କା ରୋଗରେ ଖର୍ଚ୍ଚ ହୁଏ।

ଅନ୍ୟମାନଙ୍କ ପ୍ରତି ମନରେ ଖରାପ ଭାବ ରଖିବା- ଚତୁର୍ଥ ଏବଂ ଶେଷ ଖରାପ ଅଭ୍ୟାସ ହେଉଛି ଅନ୍ୟମାନଙ୍କ ପ୍ରତି ତିକ୍ତତା ଏବଂ କ୍ରୋଧ ପୋଷଣ କରିବା। ସକାଳ ଏବଂ ସନ୍ଧ୍ୟାରେ ଘରେ ଯଦି ଝଗଡ଼ା ହେଉଥିବା, ପରିବେଶ ଅଶାନ୍ତିପୂର୍ଣ୍ଣ ରହୁଥିବା ତେବେ ସେହି ଘରକୁ କେବେବି ଈଶ୍ୱର କୃପା ମିଳେ ନାହିଁ। ଦାରିଦ୍ର୍ୟ ଘୋଟି ଆସେ।