• ଭାରତ ନିଜର ଇନ୍ଧନ ଆବଶ୍ୟକତା ପାଇଁ ଅନେକାଂଶରେ ମଧ୍ୟପ୍ରାଚ୍ୟ ଉପରେ ନିର୍ଭରଶୀଳ
  • ଏହା କେବଳ ମହଙ୍ଗା ତେଲର ମାମଲା ନୁହେଁ ବରଂ ଏବେ ସପ୍ଲାଇ ସକ୍ ର ସ୍ଥିତି ଉପୁଜିଛି
  • ଆମେ ଏବେ ଏପରି ସମୟରେ ପ୍ରବେଶ କରିବାକୁ ଯାଉଛେ ଯେଉଁଠି ମୁଦ୍ରାସ୍ଫୀତି ଲଗାତାର ବଢିବ

ନୂଆଦିଲ୍ଲୀ: ପଶ୍ଚିମ ଏସିୟାରେ ଜାରି ଯୁଦ୍ଧ ଓ ବଢୁଥିବା ଭୂ-ରାଜନୈତିକ ଉତ୍ତେଜନା ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ଏବେ ଦୋହଲାଇ ଦେଇଛି। ଏଥିରେ ଏବେ ପ୍ରସିଦ୍ଧ ଅର୍ଥ ଶାସ୍ତ୍ରୀ ଗୀତା ଗୋପିନାଥ ଭାରତକୁ ନେଇ ବଡ଼ ଚେତାବନୀ ଦେଇଛନ୍ତି। ତାଙ୍କ କହିବା କଥା ହେଉଛି ଯଦି ଏହି ସଂଘର୍ଷ ଜୁନ ପର୍ଯ୍ୟନ୍ତ ଜାରି ରହିଲା ତେବେ ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରଲ ୧୪୦ ଡଲାର ପର୍ଯ୍ୟନ୍ତ ପହଞ୍ଚି ପାରେ। ଯଦି ଏପରି ହେଲା ଭାରତରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି , ମୁଦ୍ରାସ୍ଫୀତି ବୃଦ୍ଧି ଓ ଆର୍ଥିକ ଚାପ ଦ୍ରୁତି ବୃଦ୍ଧି ହେବ।

ଭାରତ ନିଜର ଇନ୍ଧନ ଆବଶ୍ୟକତା ପାଇଁ ଅନେକାଂଶରେ ମଧ୍ୟପ୍ରାଚ୍ୟ ଉପରେ ନିର୍ଭରଶୀଳ। ଏଣୁ ଇରାନ ଯୁଦ୍ଧ ଓ ହର୍ମୁଜ ଷ୍ଟ୍ରେଟ୍ ରେ ଯୋଗାଣ ବାଧାପ୍ରାପ୍ତ ହେବାର ସିଧା ପ୍ରଭାବ ଭାରତ ଉପରେ ପଡୁଛି। ଗୀତା ଗୋପିନାଥ କହିଛନ୍ତି ଯେ ଏହା କେବଳ ମହଙ୍ଗା ତେଲର ମାମଲା ନୁହେଁ ବରଂ ଏବେ ସପ୍ଲାଇ ସକ୍ ର ସ୍ଥିତି ଉପୁଜିଛି। ଅର୍ଥାତ ତୈଳ, ଏଲପିଜି, ଏଲଏନଜି ଓ ସାର ଉପଲବ୍ଧତା ଉପରେ ମଧ୍ୟ ପ୍ରଭାବ ପଡିପାରେ। ଏଥିରେ ଯଦି ଯୋଗାଣ ଶୃଙ୍ଖଳା ବିଛିନ୍ନ ହୁଏ ତାହା ସ୍ୱଭାବିକ ହେବାକୁ ୨-୩ ମାସ ସମୟ ଲାଗିପାରେ।

ସେ ଚେତାବନୀ ଦେଇଛନ୍ତି ଯେ ଏଭଳି ପରିସ୍ଥିତିରେ ଅଶୋଧିତ ତୈଳ ବ୍ୟାରଲ ପିଛା ଦର ୧୧୦ ଡଲାର ରୁ ବଢି ୧୪୦ ଡଲାକୁ ପହଞ୍ଚି ପାରେ। ଯଦି ଏପରି ହୁଏ ଭାରତରେ ଟ୍ରାନ୍ସପୋର୍ଟ, ମେନୁଫେକ୍ଚରିଂ ଓ ଚାଷ ବାବଦ ବ୍ୟୟ ଦ୍ରୁତ ବୃଦ୍ଧି ହେବ। ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେଲେ ଟ୍ରକ୍ ଭଡା ବଢିବ, ଫଳରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ବଢିଯିବ। ଗୀତା ଗୋପିନାଥଙ୍କ କହିବା କଥା ହେଉଛି ସରକାର ସର୍ବଦା ଲୋକଙ୍କୁ ସମ୍ପୂର୍ଣ୍ଣ ଆଶ୍ୱସ୍ତି ଦେଇ ପାରିବେ ନାହିଁ। ସେ କହିଛନ୍ତି କିଛି ବୋଝ ସରକାର ବହନ କରିବେ, ତେବେ କିଛି ମୂଲ୍ୟ ବୃଦ୍ଧିର ପ୍ରଭାବ ଜନତା ଓ କମ୍ପାନୀଙ୍କୁ ସହିବାକୁ ପଡିବ। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆମେ ଏବେ ଏପରି ସମୟରେ ପ୍ରବେଶ କରିବାକୁ ଯାଉଛେ ଯେଉଁଠି ମୁଦ୍ରାସ୍ଫୀତି ଲଗାତାର ବଢିବ।

ଗୀତା ଗୋପିନାଥ ଟଙ୍କା ଦୁର୍ବଳ ହେବା ନେଇ ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ ଗତ ମାସମାନଙ୍କରେ ଡଲାର ତୁଳନାରେ ଟଙ୍କା ୯୧ ଟଙ୍କାରୁ ହ୍ରାସ ହୋଇ ୯୭ ଟଙ୍କା ପାଖାପାଖି ପହଞ୍ଚିଗଲାଣି ଓ ଏବେ ବଜାରରେ ଚର୍ଚ୍ଚା ହେଉଛି ଯେ ଏହା ୧୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ପାରେ। ତେବେ ଗୀତା ଗୋପିନାଥ କହିଛନ୍ତି ଯେ ଅସଲ ଚିନ୍ତା କେବଳ ଟଙ୍କାର ସାମର୍ଥ୍ୟ ନୁହେଁ, ତାଙ୍କ କହିବା କଥା ହେଉଛି ଦୁର୍ବଳ ଟଙ୍କା ଆମଦାନୀ ହ୍ରାସ କରିବାରେ ସହାୟତା କରିବ ଓ ଆର୍ଥିକ ସନ୍ତୁଳନ ରକ୍ଷା କରିବାର ଏକ ଉପାୟ ମଧ୍ୟ। ସେ କହିଛନ୍ତି ଯେ ଏଥିରେ ଯଦି ସରକାର ଓ ଆରବିଆଇ ଆବଶ୍ୟକତାରୁ ଅଧିକ ହସ୍ତକ୍ଷେପ କରିବେ ତେବେ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ପଡିବ।

ତେବେ ଏଥିରେ ଲୋକେ ବ୍ୟତିବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। କାରଣ ଭାରତର ଘରୋଇ ଚାହିଦା ମଜଭୁତ, ଇନଫ୍ରାଷ୍ଟ୍ରକ୍ଚର ଖର୍ଚ୍ଚ ବଢୁଛି ଓ ବୈଦେଶିକ ମୁଦ୍ରାଭଣ୍ଡାର ସ୍ଥିତି ଏବେ ବେଶ୍ ସୁଦୃଢ ଅଛି। ଏଥିରେ ଯଦି ଇରାନ ଯୁଦ୍ଧ ଦୀର୍ଘ ହୁଏ ଓ ଅଶୋଧିତ ତୈଳ ବ୍ୟାରଲ ପିଛା ଦର ୧୪୦ ଡଲାରକୁ ପହଞ୍ଚେ ଏହା କେବଳ ଭାରତ ନୁହେଁ ସାରା ବିଶ୍ୱ ପାଇଁ ଗୁରୁତର ଆର୍ଥିକ ସଂକଟର କାରଣ ହେବ। ଏଥିରେ ଏକ୍ସପର୍ଟଙ୍କ କହିବା କଥା ହେଉଛି ସରକାର ଆଗକୁ ଗରିବ ପରିବାର ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ରିଲିଫ ପ୍ୟାକେଜ୍, କ୍ୟାସ୍ ଟ୍ରାନ୍ସଫର ଓ ଲୋନ ସପୋର୍ଟ ଭଳି ପଦକ୍ଷେପ ନେଇ ପାରନ୍ତି। ହେଲେ ଏବେ ସମୟର ସବୁଠୁ ବଡ଼ ପ୍ରଶ୍ନ ହେଉଛି ପଶ୍ଚିମ ଏସିୟା ସଂକଟ ଦୂର ହେବ ନା ବିଶ୍ୱକୁ ଏକ ନୂଆ ଆର୍ଥିକ ଝଟକାର ସମ୍ମୁଖୀନ କରାଇବ?

Also Read..ମାତ୍ର ୩ ମାସରେ Gold Loanରେ ୫୦% ବୃଦ୍ଧି: ସୁନା ଋଣ ନେବାକୁ କାହିଁକି ଆଗ୍ରହୀ ଭାରତୀୟ ?