ଚେନ୍ନାଇ: ଚେନ୍ନାଇ ମେଟ୍ରୋ ଟ୍ରେନ୍ ଭିତରେ ଲଗାଯାଇଥିବା ଏକ ବିଜ୍ଞାପନକୁ ନେଇ ତାମିଲନାଡୁରେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଏହି ବିଜ୍ଞାପନରେ ମହିଳାମାନଙ୍କୁ ଅବମାନନା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ତାମିଲନାଡୁର ବିରୋଧୀ ଦଳ  'ଡିଏମ୍‌କେ' (DMK) ଏହାକୁ କଡ଼ା ସମାଲୋଚନା କରିଛି।

'THECOS' ନାମକ ଏକ କୋ-ଅପରେଟିଭ୍ କ୍ରେଡିଟ୍ ସୋସାଇଟି ନିଜର ଫିକ୍ସଡ୍ ଡିପୋଜିଟ୍ (FD) ସ୍କିମ୍‌ର ପ୍ରଚାର ପାଇଁ ଏକ ପୋଷ୍ଟର ଲଗାଇଥିଲା। ସେଥିରେ ଲେଖାଅଛି, ‘Girlfriend may give 0% interest, but our FD gives 14.40%3 (ଅର୍ଥାତ୍‌ ପ୍ରେମିକା  ୦% ସୁଧ/ଆଗ୍ରହ ଦିଇପା, କିନ୍ତୁ ଆମ ଏଫ୍‌ଡି ୧୪.୪୦% ସୁଧ ଦେଇଥାଏ )।

ଡିଏମ୍‌କେ ସାଂସଦ ତମିଝାଚି ଥଙ୍ଗପାଣ୍ଡିଆନ୍ ଏହି ପୋଷ୍ଟରକୁ ନେଇ କଡ଼ା ଆପତ୍ତି ଜଣାଇଛନ୍ତି। ସୋସିଆଲ୍ ମିଡିଆ 'X' ରେ ପୋଷ୍ଟ କରି ସେ କହିଛନ୍ତି ଯେ, ସାଧାରଣ ପରିବହନ ସେବାରେ ମହିଳାଙ୍କୁ ଏଭଳି ବସ୍ତୁ ସହ ତୁଳନା କରିବା ଏବଂ ଅପମାନିତ କରିବା ଅତ୍ୟନ୍ତ ଚିନ୍ତାଜନକ।

ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମେଟ୍ରୋରେ ଯାତ୍ରା କରୁଥିବାରୁ ଏହି ବିଜ୍ଞାପନ ସମାଜ ଉପରେ କୁପ୍ରଭାବ ପକାଇବ। ତେଣୁ ସାର୍ବଜନୀନ ସ୍ଥାନରେ ମହିଳାଙ୍କ ଗ୍ରହଣୀୟତା ଓ ସମ୍ମାନକୁ ଧ୍ୟାନରେ ରଖି ଚେନ୍ନାଇ ମେଟ୍ରୋ କର୍ତ୍ତୃପକ୍ଷ ତୁରନ୍ତ ଏହି ବିଜ୍ଞାପନକୁ ହଟାଇବାକୁ ସେ ଦାବି କରିଛନ୍ତି। ସେପଟେ ମେଟ୍ରୋରେ କାର୍ଯ୍ୟରତ ପ୍ରତିନିଧିମାନେ ଏଭଳି ବିଜ୍ଞାପନ ଲଗାଇବାକୁ ଅନୁମତି କିଭଳି ଦେଲେ ବୋଲି ମଧ୍ୟ ପ୍ରଶ୍ନ ଉଠିଛି ।

ଅନ୍ୟପଟେ ଚେନ୍ନାଇ ମେଟ୍ରୋ ରେଲ୍ ଲିମିଟେଡ୍ (CMRL), ଯାହାକି କେନ୍ଦ୍ର ଓ ତାମିଲନାଡୁ ସରକାରଙ୍କ ଏକ ମିଳିତ ଉଦ୍ୟୋଗ, ଏହି ବିବାଦ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ଦେଇନାହିଁ। ଏଭଳି ବିଜ୍ଞାପନ ମାଧ୍ୟମରେ କେତେକଙ୍କୁ ଆକର୍ଷିତ କରିଯାଇପାରେ, କିନ୍ତୁ ମହିଳାଙ୍କୁ ଅସମ୍ମାନ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଲୋକେ ପ୍ରତିକ୍ରିୟା ଦେଇଛନ୍ତି ।