ଭୁବନେଶ୍ୱର,|୦୭:ନାବାଳିକା ଝିଆରୀ ଘରେ ରହି ପାଠ ପଢୁଥିଲା I ମଉସା ଜବରଦସ୍ତ ବଳାହାର କରିବା ସହ ଅଶ୍ଳୀଳ ଭିଡିଓ ରେକର୍ଡିଂ କରୁଥିଲା। ମଉସାକୁ ସହଯୋଗ କରିବାକୁ ଝିଆରୀକୁ ବାଧ୍ୟ କରୁଥିଲା ମାଉସୀ । ପରେ ଭିଡିଓ ଭାଇରାଲ୍ କରି ବ୍ଲାକ୍ ମେଲିଂ କରିଥିଲେ। ଏନେଇ ଅଭିଯୋଗରେ ନୟାପଲ୍ଲୀ ଥାନା ପୁଲିସ୍ ମଉସା ମାଉସୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ରାଇକିଆର ଜୟକୃଷ୍ଣ ବେହେରା(୫୪) ଓ ତାଙ୍କ ପତ୍ନୀ ଫୁଲ ନନ୍ଦୀନ ନାଏକ(୫୧)। ମଙ୍ଗଳବାର ରାତିରେ ପୋଲିସ୍ ଦୁହିଁଙ୍କୁ ଗିରଫ କରିଥିଲା। ବୁଧବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

କନ୍ଧମାଳ ରାଇକିଆର ଜୟକୃଷ୍ଣ ଦୀର୍ଘ ବର୍ଷ ହେବ ପରିବାର ସହ ନୟାପଲ୍ଲୀ ଅର୍ଣ୍ଣପୂର୍ଣ୍ଣା ଆପାର୍ଟମେଣ୍ଟ ରହୁଛନ୍ତି। କିଛି ବର୍ଷ ତଳେ ତାଙ୍କର ୧୬ ବର୍ଷର ଝିଆରୀ ଭୁବନେଶ୍ଵରରେ ଯୁକ୍ତ ଦୁଇ ପଢ଼ିବାକୁ ଆସିଥିଲେ। ମଉସା- ମାଉସୀଙ୍କ ପାଖରେ ରହି କଲେଜକୁ ଯାଉଥିଲେ। ଝିଆରୀ ତାଙ୍କ ଘରେ ରହିବା ୬ ମାସ ପରେ ମଉସା ଖରାପ ନଜର ପକାଇଥିଲେ। ଏମିତିକି ମଉକା ଦେକି ନାବାଳିକା ଝିଆରୀକୁ ବଳାତ୍କାର କରିଥିଲେ। ଯଦି ଏ ବିଷୟରେ କାହାକୁ ଜଣାଇବ ତା'ହେଲେ ତୋ ପାଠ ପଢ଼ା ବନ୍ଦ ହୋଇଯିବ ବୋଲି ମଉସା ଧମକ ଦେଇଥିଲେ। ଝିଆରୀ ଡରି ଯାଇ ଏ ବିଷୟରେ କାହାକୁ କିଛି ଜଣାଇ ନଥିଲା। ମଉସାଙ୍କ କାମୁକ ନଜର ଦିନକୁ ଦିନ ବଢ଼ି ଯାଇଥିଲା । ଶେଷରେ କିଛି ଉପାୟ ନ ପାଇ ଝିଆରୀ ଘଟଣା ବିଷୟରେ ମାଉସୀକୁ ଜଣାଇଥିଲା।

ମାଉସୀ ଝିଆରୀକୁ ସୁରକ୍ଷା ଦେବା ବଦଳରେ ମଉସାକୁ ସହଯୋଗ କରିବାକୁ କହିଥିଲେ। ନ ହେଲେ ଘରୁ ବାହାର କରି ଦେବେ ବୋଲି କହିଥିଲେ। ତେବେ ଏହା ପରେ ମଉସା ନାବାଳିକା ଝିଆରୀ ସହ ବାରମ୍ବାର ବଳାତ୍କାର କରି ଭିଡିଓ ରେକର୍ଡିଂ କରିଥିଲା। ସେ ସବୁ ଭିଡିଓ ମଉସା ନିଜ ଫୋନ୍ରେ ରଖିଥିଲେ। ୪ ବର୍ଷ ଧରି ମଉସା ଏମିତି କରି ଚାଲିଥିଲେ। ପାଠ ପଢ଼ାକୁ ଲକ୍ଷ୍ୟ ରଖି ଝିଆରୀ ସବୁ ସହିଥିଲେ। ଏହାରି ଭିତରେ ମାଉସୀ ଯୋଜନା କରିଥିଲେ ଝିଆରୀଙ୍କୁ ଖରାପ କାମରେ ଲଗାଇ ଟଙ୍କା କମାଇବା । ଅର୍ଣ୍ଣପୂଣ୍ଡା ଆପାର୍ଟମେଣ୍ଟ ପାଖରେ ରହୁଥିବା ରାଜସ୍ଥାନରେ ଜଣେ ଯୁବକଙ୍କୁ କହିଥିଲେ ତାଙ୍କ ଝିଆରୀ ଖରାପ କାମ କରୁଛି। ଘଣ୍ଟାକୁ ୫ ହଜାର ଟଙ୍କା ନେଉଛି। ଯୁବକ ରାଜି ହୋଇଥିଲେ। ମାଉସୀକୁ ୫ ହଜାର ଟଙ୍କା ଦେଇଥିଲେ। ଏପଟେ ମାଉସୀ ଘରକୁ ଆସି ଝିଆରୀଙ୍କୁ କହିଥିଲେ ତୋ ପାଇଁ ଏକ ଭଲ ପ୍ରସ୍ତାବ ଦେଖିଛି। ତାହା ସହ ବାହାଘର ହେବ। ଆଜି ଫୋନରେ କଥା ହୋଇଯା। ପରେ ଏକାନ୍ତରେ ଭେଟିବୁ।

ଝିଆରୀ ଖୁସି ହୋଇ ଉକ୍ତ ଯୁବକ ସହ କଥା ହୋଇଥିଲା। କିଛି ଦିନ ପରେ ଉଭୟ ଭେଟ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିଲା। ଏମିତି କିଛି ମାସ ଚାଲିଲା। ତେବେ ବାହାଘର କଥା ହେବା ସମୟରେ ଯୁବକ ଜଣଙ୍କ କହିଥିଲେ ତମ ମୋ ପାଖକୁ ଯେତେଥର ଆସିଛି ତମ ମାଉସୀ ମୋଠାରୁ ୫ ହଜାର ଟଙ୍କା ଲେଖାଏଁ ନିଅନ୍ତି। ତମ ସହ ମୋର କି ବାହାଘର । ଏହା ଶୁଣିବା ପରେ ଘଟଣା ବିଷୟରେ ମାଉସୀକୁ ପଚାରିଥିଲେ ଝିଆରୀ। ଘଟଣାର ସତ୍ୟତା ଜାଣିବା ପରେ ସେ ମାଉସୀ ଘର ଛାଡ଼ି ଗାଁକୁ ପଳାଇଥିଲେ । ଲୋକଲଜ୍ଜା ଭୟରେ ଘଟଣା ବିଷୟରେ କାହାକୁ କିଛି କହି ନଥିଲା।

ଏବେ ଯୁବତୀଙ୍କୁ ୨୫ ବର୍ଷ। ଗତ କିଛି ମାସ ତଳେ ପରିବାର ଲୋକ ବାହାଘର ଠିକ୍ କରିଥିଲେ । ୧୫ ଦିନ ପରେ ବାହାଘର ହୋଇଥାନ୍ତା । ତେବେ ସବୁ କଥାକୁ ଭୁଲି ଯୁବତୀ ଜଣଙ୍କ ତାଙ୍କ ମାଉସୀଙ୍କୁ ନିମନ୍ତ୍ରଣ ଦେଇଥିଲେ। ଏ କଥା ମଉସା ଜାଣିବା ପରେ ତାଙ୍କ ମୁଣ୍ଡକୁ ସଇତାନ ବୁଦ୍ଧି ଆସିଥିଲା। ଝିଆରୀକୁ ଫୋନ୍ କରି ମଉସା କହିଥିଲେ, ବାହାଘର ପୁର୍ବରୁ ଯଦି ମୋ ସହ ଶାରୀରିକ ସମ୍ପର୍କ ନ ରଖିବୁ ତା'ହେଲେ ତୋର ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ କରି ଦେବି। ଏମିତି ଧମକ ଶୁଣି ଝିଆରୀ ଡରି ନଥିଲା। କି ମଉସା କଥା ମାନି ନଥିଲା । ସଇତାନ ମଉସା ଅଶ୍ଳୀଳ ଫଟୋ ଓ ଭିଡିଓ ଝିଆରୀର ଭାଇ ଓ ଭାବି ସ୍ବାମୀଙ୍କୁ ପଠାଇ ଦେଇଥିଲେ। ଏହାପରେ ବାହାଘର ଭାଙ୍ଗି ଯାଇଥିଲା।

ତେବେ ଏନେଇ ଯୁବତୀ ଜଣଙ୍କ ନୟାପଲ୍ଲୀ ଥାନାକୁ ଆସି ଘଟଣା ବିଷୟରେ ଆଇଆଇସିଙ୍କୁ ଜଣାଇଥିଲେ। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ମଉସା ଜୟକୃଷ୍ଣ ଓ ମାଉସୀ ଫୁଲ ନନ୍ଦୀନ ବିରୋଧରେ ସବୁ ପ୍ରମାଣ ପାଇଥିଲା। ପୁଲିସ୍ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଯୁବତୀଙ୍କ ବୟାନ ରେକର୍ଡ କରିଛି। ତେବେ ଏହି ଘଟଣାର ଅନ୍ୟ ଅଭିଯୁକ୍ତ ରାଜସ୍ଥାନର ଯୁବକଙ୍କୁ ଧରିବାକୁ ପୁଲିସ୍ ରାଜ୍ୟ ବାହାରକୁ ଯାଇଛି।