ଭୋପାଲ: ଚର୍ଚ୍ଚିତ ତ୍ୱିଷା ଶର୍ମା ମୃତ୍ୟୁ ମାମଲାର ଏବେ ଜୋରଦାର ଯାଞ୍ଚ ଆରମ୍ଭ ହୋଇଛି। କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ଶୁକ୍ରବାର ରିଟାୟାର୍ଡ ଜିଲ୍ଲା ଜଜ୍ ଗିରିବାଳା ସିଂହ ଓ ତାଙ୍କ ଓକିଲ ପୁଅ ସମର୍ଥ ସିଂହଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରାଇଥିଲା। ମାମଲାର ଗୁରୁତ୍ୱକୁ ଦେଖି କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ୫ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଛି। ଏଥି ପାଇଁ ସିବିଆଇ ଟିମ୍ ପୂର୍ବାହ୍ନରେ ଉଭୟ ଅଭିଯୁକ୍ତଙ୍କୁ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ ଶୋଭନା ଭାଲଭେଙ୍କ କୋର୍ଟରେ ହାଜର କରିଥିଲା। ତଦନ୍ତକାରୀ ଏଜେନ୍ସୀ ମାମଲାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଏବେବି ପଚରା ଉଚରା ଓ ବୈଷୟିକ ସାକ୍ଷ ସଂଗ୍ରହ ବାକି ଥିବା କହିଥିଲା। ସିବିଆଇର ତର୍କକୁ କୋର୍ଟ ସ୍ୱୀକାର କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡ ମଞ୍ଜୁର କରିଛନ୍ତି।

ଦ୍ୱିତୀୟବାର ରିମାଣ୍ଡରେ ଗଲେ ସମର୍ଥ ସିଂହ
ଉଲ୍ଲେଖଯୋଗ୍ୟଯେ ତ୍ୱିଷା ଶର୍ମାଙ୍କ ସ୍ୱାମୀ ସମର୍ଥ ସିଂହ ପୂର୍ବରୁ ସିବିଆଇ ରିମାଣ୍ଡରେ ଥିଲେ। ଶୁକ୍ରବାର ତାଙ୍କର ପୂର୍ବ ରିମାଣ୍ଡ ସମାପ୍ତ ହେବା ପରେ ତାଙ୍କୁ ଦ୍ୱିତୀୟବାର କୋର୍ଟରେ ହାଜର କରାଯାଇଥିଲା। ସୂତ୍ର ଅନୁସାରେ ଆଗାମୀ ପଚରା ଉଚରାରେ ସିବିଆଇ ଉଭୟ ଅଭିଯୁକ୍ତଙ୍କୁ ମୁହାଁମୁହିଁ ବସାଇ ପଚରା ଉଚରା କରିବ। ଯାଞ୍ଚ ଏଜେନ୍ସୀ ସମର୍ଥ ସିଂହ ଫେରାର ଥିବା ସମୟରେ ତାଙ୍କ ଲୋକେସନ, ସମ୍ପର୍କ ଓ ସହାୟତାକାରୀଙ୍କ ସମ୍ପର୍କରେ ଏବେ ଗହନ ଯାଞ୍ଚ ଜାରି ରହିଛି।

ଗୁରୁବାର ଗିରଫ ହୋଇଥିଲେ ଗିରିବାଳା
ଉଲ୍ଲେଖଯୋଗ୍ୟ ଯେ ମଧ୍ୟପ୍ରଦେଶ ହାଇକୋର୍ଟ ଦ୍ୱାରା ଗିରିବାଳାଙ୍କ ଅଗ୍ରୀମ ଜାମିନ ରଦ୍ଦ କରାଯିବା ପରେ ସିବିଆଇ ଗୁରୁବାର ଅପରାହ୍ନରେ ତାଙ୍କୁ ଗିରଫ କରିଥିଲା। ଏଥି ପାଇଁ ଟିମ୍ ଗୁରୁବାର ସକାଳେ ଗିରିବାଳାଙ୍କ ଘରେ ପହଞ୍ଚିବା ସହ ପଚରା ଉଚରା କରିଥିଲା। ପାଖାପାଖି ୮ ଘଣ୍ଟା ଧରି ପଚରା ଉଚରା ପରେ ତାଙ୍କୁ ଗିରଫ କରି ମ୍ୟାନିଟ୍ ସ୍ଥିତ କ୍ୟାମ୍ପକୁ ନେଇ ଯାଇଥିଲା। ଗୁରୁବାର ପଚରା ଉଚରା କାଳରେ ଅଧିକାରୀମାନେ ଗିରିବାଳା, ତ୍ୱିଷା ଓ ସମର୍ଥଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ କରିଥିଲେ। ମାମଲା ସମ୍ପର୍କିତ କେତେକ ବୈଷୟିକ ଓ ପରିସ୍ଥିତିକ ସାକ୍ଷ ଆଧାରରେ ମଧ୍ୟ ଗିରିବାଳାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହି ମାମଲାରେ ଯାଞ୍ଚ ଏଜେନ୍ସୀ ପୂର୍ବରୁ କେତେକ ଇଲୋକ୍ଟ୍ରୋନିକ୍ ଡିଭାଇସ୍, ଡକ୍ୟୁମେଣ୍ଟ ଓ ଅନ୍ୟ ସାକ୍ଷ ଜବତ କରିଛି।

ଟନେଲ ଭ୍ୟୁ ଟେକନିକ୍ ରେ ଯାଞ୍ଚ
ସୂଚନା ଅନୁସାରେ ମାମଲାର ତଦନ୍ତକୁ ନୂଆ ଦିଗ ଦେଇ ସିବିଆଇ ‘ଟନେଲ ଭ୍ୟୁ ଇନଭେଷ୍ଟିଗେସନ’ ଟେକନିକ୍ ରେ ଯାଞ୍ଚ କରୁଛି। ଏଜେନ୍ସୀ ତ୍ୱିଷା ଶର୍ମାଙ୍କ ଶେଷ ଘଣ୍ଟାର ଭର୍ଚୁଆଲ ରିକ୍ରିଏସନ ପ୍ରସ୍ତୁତ କରୁଛି। ଏହା ଦ୍ୱାରା ଘଟଣା ପୂର୍ବ ଓ ପରବର୍ତ୍ତି ଗତିବିଦ୍ଧିର ପ୍ରତି ମିନିଟ୍ କୁ ବୁଝା ଯାଇ ପାରିବ। ତଦନ୍ତକାରୀ ଅଧିକାରୀଙ୍କ ଅନୁସାରେ ଏହା ଦ୍ୱାରା ମାମଲାର ଅସମାହିତ ଶୃଙ୍ଖଳାକୁ ଯୋଡିବାକୁ ସହାୟତା ମିଳିବ।