ଭୁବନେଶ୍ବର ୧।୬: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଧାନସଭା ସଚ୍ଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା । ସୋମବାର ଠାରୁ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଏହା ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଜୁନ୍ ୯ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ସେହିଭଳି ଜୁନ୍ ୧୧ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ଜୁନ୍ ୧୮ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ ।

ରାଜ୍ୟସଭା ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର୍‌ ନିଯୁକ୍ତ ହୋଇଛନ୍ତି । ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର୍‌ ଦାୟିତ୍ୱ ଦିଆଯାଇଛି । ସେହିଭଳି ବିଦ୍ୟାଧର ମାଝୀ ଯୁଗ୍ମ ସଚିବଙ୍କୁ ସହାୟକ ରିଟର୍ଣ୍ଣିଂ ଅଫିସର୍‌ ଭାବେ ନିଯୁକ୍ତ କରାଯାଇଛି ।

Also Read:- ଜନ ଶୁଣାଣିରେ ବରିଷ୍ଠ ନାଗରିକ ତଥା ପୂର୍ବତନ ସାଂସଦଙ୍କୁ ଅସମ୍ମାନ, ଜିଲ୍ଲାପାଳଙ୍କୁ ଚୌକି ଉପହାର ଦେଲେ କିଛି ସଂଗଠନ

ଉଲ୍ଲେଖଯୋଗ୍ୟ ଯେ, ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବାପରେ ଖାଲି ପଡ଼ିଥିବା ଆସନ ପାଇଁ ହେବ ଉପ-ନିର୍ବାଚନ । ଗତ ମେ’ ୨୫ ତାରିଖରେ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ । ତାପର ଦିନ ଅର୍ଥାତ ମେ’ ୨୬ ତାରିଖରେ ଭାରତୀୟ ଜନତା ପାର୍ଟିରେ ମିଶିଥିଲେ। ଚର୍ଚ୍ଚା ହେଉଛି ଦେବାଶିଷଙ୍କୁ ବିଜେପି ରାଜ୍ୟସଭା ଉପନିର୍ବାଚନରେ ପ୍ରାର୍ଥୀ କରିପାରେ । ୧୧ଟି ରାଜ୍ୟର ୨୫ଟି ଆସନ ପାଇଁ ଆସନ୍ତା ୧୮ରେ ରାଜ୍ୟସଭା ଉପ-ନିର୍ବାଚନ ହେବାକୁ ଯାଉଛି ।