Sanjay Singh on Raghav Chadha: ଆମ ଆଦ୍‌ମୀ ପାର୍ଟିରୁ ୭ ସାଂସଦ ବାହାରିଯିବା ପରେ ଦଳ ଏବେ ରାଜ୍ୟସଭାରେ ଦୁର୍ବଳ ହୋଇଯାଇଛି। ଏବେ ଆପର କେବଳ ୩ ସାଂସଦ ସଞ୍ଜୟ ସିଂହ(ଦିଲ୍ଲୀ), ଏନଡି ଗୁପ୍ତା (ଦିଲ୍ଲୀ) ଏବଂ ଜଳ କର୍ମୀ ବଲବୀର ସିଂହ ସିଚେୱାଲ (ପଞ୍ଜାବ) ରହିଛନ୍ତି। ଆପରୁ ସାଂସଦ ଯାଇ ବିଜେପିରେ ମିଶିବା ପରେ ଦଳ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ବିଜେପି ଅପରେସନ ଲୋଟସ ମାଧ୍ୟମରେ ଦଳଗୁଡିକୁ ଭାଙ୍ଗୁଛି ବୋଲି ଅଭିଯୋଗ ଆଣିଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂହ। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗ ଲଗାଇଛନ୍ତି ସଞ୍ଜୟ। ସେ କହିଛନ୍ତି ଯେ ବିଜେପି ଆମର ୭ ସାଂସଦଙ୍କୁ ନିଜ ଆଡ଼କୁ ନେବା ପାଇଁ ଇଡି ଓ ସିବିଆଇକୁ ବ୍ୟବହାର କରୁଛି। ବିଜେପି ଭୟ ସୃଷ୍ଟି କରିବା ଏବଂ ଅପରେସନ ଲୋଟସ୍ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରୀ ଶକ୍ତିର ବ୍ୟବହାର କରିଥିଲା ବୋଲି ସଞ୍ଜୟ ସିଂହ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ପଞ୍ଜାବରେ ଭଗୱନ୍ତ ମାନଙ୍କ ସରକାର ଭାଙ୍ଗିବାକୁ ମଧ୍ୟ ଚେଷ୍ଟା କରୁଥିବା ସଞ୍ଜୟ ସିଂହ ଅଭିଯୋଗ ଆଣିଛନ୍ତି।

ଦଳ ଛାଡ଼ିଥିବା ୭ ସାଂସଦଙ୍କୁ ଟାର୍ଗେଟ୍ କରି ସଞ୍ଜୟ କହିଛନ୍ତି “ଆମ ଦଳ ଏହି ୭ ଜଣ ସାଂସଦଙ୍କ ପାଇଁ ବହୁତ କିଛି କରିଛି। ପଞ୍ଜାବର ଲୋକମାନେ ସେମାନଙ୍କୁ ବହୁତ ଭଲ ପାଇଥିଲେ। ସେମାନଙ୍କୁ ରାଜ୍ୟସଭାକୁ ପଠାଇଲେ। ତଥାପି, ଏମାନେ ବିଜେପିର କୋଳକୁ ଚାଲିଗଲେ। ପଞ୍ଜାବର ଲୋକମାନେ ଏହି ବିଶ୍ୱାସଘାତକମାନଙ୍କୁ କ୍ଷମା କରିବେ ନାହିଁ।”

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ସମାଲୋଚନା କରି ଶ୍ରୀ ସିଂହ ଆହୁରି କହିଛନ୍ତି ଯେ ପଞ୍ଜାବର ଲୋକମାନେ ମାନ ସରକାରଙ୍କ ବିରୁଦ୍ଧରେ "ଅପରେସନ୍ ଲୋଟସ୍" ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନିଶ୍ଚୟ ଦଣ୍ଡ ଦେବେ। ବିଜେପି ଭଗବନ୍ତ ମାନ ସରକାରଙ୍କ ଦ୍ୱାରା କରାଯାଇଥିବା ଭଲ କାମକୁ ଅଟକାଇବାକୁ ଚେଷ୍ଟା କରୁଛି। ଇଡି ଏବଂ ସିବିଆଇକୁ ପଞ୍ଜାବ ସରକାରଙ୍କ ବିରୁଦ୍ଧରେ ବ୍ୟବହାର କରାଯାଉଛି।"

Also Read- Raghav Chadha join BJP: ରାଘବ ଚଢା, ସ୍ୱାତୀ ମାଲିୱାଲ ଓ ହରଭଜନଙ୍କ ସହ ବିଜେପିରେ ମିଶିବେ ୭ ଆପ୍ ସାଂସଦ

ସାମ୍ବାଦିକ ସମ୍ମିଳନୀରେ କ'ଣ କହିଲେ ଚଢା ?

ଶୁକ୍ରବାର ରାଘବ ଚଢା, ଅଶୋକ ମିତ୍ତଲ ଓ ସନ୍ଦୀପ ପାଠକଙ୍କ ସମେତ ଆପ୍‌ର ୭ ସାଂସଦ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଏମାନେ ସମସ୍ତେ ବିଜେପିରେ ମିଶିବା ନେଇ ଘୋଷଣା କରି ସାରିଛନ୍ତି। ଆଉ କିଛି ସମୟ ପରେ ବିଜେପି ଅଧ୍ୟକ୍ଷ ନୀତିନ ନବୀନଙ୍କ ସହ ସାକ୍ଷାତକାର କରି ଏମାନେ ଔପଚାରିକ ଭାବେ ଦଳରେ ମିଶିବେ।    

ଏନେଇ ଆପ୍ ସାଂସଦ ଚଢା କହିଛନ୍ତି "ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ, ରାଜ୍ୟସଭାରେ ଥିବା ଆପ ସଦସ୍ୟଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଭାରତର ସମ୍ବିଧାନର ବ୍ୟବସ୍ଥା ବ୍ୟବହାର କରି ବିଜେପିରେ ମିଶିବୁ।"

ଚଢା ଆହୁରି କହିଥିଲେ ଯେ ଆପ, ଯାହାକୁ ମୁଁ ମୋର ରକ୍ତ ଏବଂ ଝାଳ ଦେଇ ପାଳି ଥିଲି ଏବଂ ମୋର ଯୌବନର ୧୫ ବର୍ଷ ଦେଇଥିଲି, ତାହା ଏବେ ଏହାର ନୀତି, ମୂଲ୍ୟବୋଧ ଏବଂ ମୂଳ ନୀତିଶାସ୍ତ୍ରରୁ ବିଚ୍ୟୁତ ହୋଇଛି। ଏହି ଦଳ ଆଉ ଦେଶର ସ୍ୱାର୍ଥରେ କାମ କରେ ନାହିଁ, ବରଂ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କାମ କରେ। ଗତ କିଛି ବର୍ଷ ଧରି, ମୁଁ ଅନୁଭବ କରୁଛି ଯେ ମୁଁ ଭୁଲ ଦଳରେ ଠିକ୍ ବ୍ୟକ୍ତି। ତେଣୁ, ଆଜି ମୁଁ ଘୋଷଣା କରୁଛି ଯେ ମୁଁ ଆପରୁ ନିଜକୁ ଅଲଗା କରୁଛି ଏବଂ ଲୋକଙ୍କ ନିକଟତର ହେଉଛି।