ଭୁବନେଶ୍ୱର, ୨୨।୧୧ : କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ରାଜ୍ୟରେ ଚର୍ଚ୍ଚାରେ ଥିବାବେଳେ ଏବେ ଗଞ୍ଜାମ ପୁରୁଷୋତ୍ତମପୁର ଥାନା ମହିଳା ଏସଆଇ ପ୍ରଭାସିନୀ ସାହୁ(ମିନି)ଙ୍କ ଆତ୍ମହତ୍ୟା। ଥାନା ପରିସରରେ ସରକାରୀ କ୍ୱାର୍ଟରରୁ ଶନିବାର ସକାଳୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ଅନ୍ୟପଟେ ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

Also Read :- Lady SI body found: ସରକାରୀ କ୍ବାର୍ଟର୍ସରୁ ମିଳିଲା SIଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ମୃତା ପ୍ରଭାସିନୀଙ୍କ ବଡ଼ବାପା ଯୁଧୁଷ୍ଠିର ସାହୁ କହିଛନ୍ତି, ପ୍ରଭାସିନୀ ନିୟମିତ ପରିବାର ଲୋକଙ୍କ ସହ କଥା ହେଉଥିଲେ । ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟାରେ ସାନଭାଇ ଭୀମସେନଙ୍କ ସହ କଥା ହୋଇଥିଲେ। ଝିଅ ସେଭଳି ଦୁର୍ବଳ ମାନସିକ ସ୍ଥିତିରେ ଥିବା ଜଣାପଡୁନଥିଲା । ସକାଳେ ଝିଅ ଆତ୍ମହତ୍ୟା କରିଥିବା ଫୋନ୍ ଆସିଥିଲା। ଏହି ଖବର ପାଇ ସାନଭାଇ ଭୀମସେନ, ତାଙ୍କ ପତ୍ନୀ ବାରମ୍ବାର ମୂର୍ଚ୍ଛା ଯାଇଥିଲେ। ଶାଶୂଘର ଲୋକଙ୍କୁ ଫୋନ୍ କରି ପଚାରିବା ପରେ ସମାନ ଉତ୍ତର ମିଳିଥିଲା। ଝିଅ ମାନସିକ ସ୍ତରରେ ଭାରି ସୁଦୃଢ଼ । ସେ ଆତ୍ମହତ୍ୟା କରିବା ଅସମ୍ଭବ। ତାଙ୍କୁ ହତ୍ୟା କରାଯାଇଛି I ପାରିପାର୍ଶ୍ଵକ ସ୍ଥିତିକୁ ଦେଖିବା ପରେ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି। ତେଣୁ ଝିଅକୁ ହତ୍ୟା କରାଯାଇଥିବା ପୁରୁଷୋତ୍ତମପୁର ଥାନାରେ ଏତଲା ଦିଆଯାଇଛି। ଏକମାତ୍ର ଝିଅକୁ ହରାଇ ପରିବାର ଲୋକ ସ୍ତଳ୍ପ ହୋଇପଡ଼ିଛନ୍ତି।

ଗଞ୍ଜାମ ଏସପି ହରିଶ ବିଶି ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମହିଳା ଏସଆଇ କାହିଁକି ଏଭଳି ଚରମ ନିଷ୍ପଭି ନେଲେ ତାହା ଅସ୍ପଷ୍ଟ ରହିଛି । ଅତ୍ୟଧିକ କାମ ଚାପରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଭୀମସେନ, ତାଙ୍କ ପତ୍ନୀ ଓ କିଛି ଗ୍ରାମବାସୀଙ୍କ ସହ ପୁରୁଷୋତ୍ତମପୁର ଯାଇଛନ୍ତି। ପରିବାରଲୋକଙ୍କ ଉପସ୍ଥିତିରେ ମୃତଦେହର ପଞ୍ଚନାମା କରାଯାଇଛି।

ପ୍ରଭାସିନୀଙ୍କ ବାପାଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦଶରଥପୁର ବ୍ଳକ୍ ମଲ୍ଲିକାପୁର ପଞ୍ଚାୟତ ମହାଡିପାଟଣା ଗାଁରେ। ପ୍ରଭାସିନୀଙ୍କ ବାପା ଭୀମସେନ ସାହୁ ଜଣେ ଚାଷୀ । ବଡ଼ଭାଇ ସେନାବାହିନୀରେ ଜଣେ ଅଧିକାରୀ ଭାବେ କାର୍ଯ୍ୟରତ। ପ୍ରଭାସିନୀ ମହାଡିପାଟଣା ହାଇସ୍କୁଲରୁ ଦଶମ ପାସ୍ କରିବା ପରେ ସାଧୁ ଗୌରେଶ୍ଵର ମହାବିଦ୍ୟାଳୟରେ କଲେଜ ଜୀବନ ଶେଷ କରିଥିଲେ। ଯୁକ୍ତ ଦୁଇ ବିଜ୍ଞାନରେ ସେ କଲେଜ ଟପ୍ପର ହୋଇଥିଲେ। ଏହି ଖବରପାଇ ତତ୍କାଳୀନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଏକ ଲାପଟପ୍ ଉପହାର ଦେଇଥିଲେ। କଲେକ ଶେଷ ପରେ ପ୍ରଭାସିନୀ ବିଏଡ୍ କରି ବାଲେଶ୍ଵର କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। କିଛିମାସର ଶିକ୍ଷକତା ଚାକିରି ପରେ ପ୍ରଭାସିନୀ ପୁଲିସ ବିଭାଗରେ ଚାକିରି ପାଇଥିଲେ। ଶିକ୍ଷକତାରୁ ଅବସର ନେଇ ସେ ପୁଲିସ ବିଭାଗରେ ଯୋଗଦେଇଥିଲେ । ପ୍ରଥମେ ଭୁବନେଶ୍ଵରର ବିଭିନ୍ନ ଥାନାରେ ପ୍ରଶିକ୍ଷଣ ନେବା ପରେ ୬-୭ ମାସ ହେବ ପୁରୁଷୋତ୍ତମପୁର ଥାନାରେ ଏସଆଇ ଭାବେ ନିଯୁକ୍ତି ପାଇଥିଲେ।

୨୦୨୪ ମସିହା ବ୍ୟାଚର ସବ୍ ଇନ୍ସପେକ୍ଟର ପ୍ରଭାସିନୀ ଟ୍ରେନିଂ ସରିବା ପରେ ୨୦୨୬ ସେପ୍ଟେମ୍ବର ୧୩ରେ ପୁରୁଷୋତ୍ତମପୁର ଥାନାରେ କାର୍ଯ୍ୟରେ ଯୋଗ ଦେଇଥିଲେ। ପ୍ରଭାସିନୀଙ୍କ ସ୍ବାମୀ ସୁନିଲ କୁମାର ବେହେରା ରେଳବାଇରେ ଲୋକପାଇଲଟ୍ । ଚଳିତ ବର୍ଷ ଏପ୍ରିଲ ମାସରେ ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ସୁନୀଲଙ୍କ ସହ ବିବାହ ହୋଇଥିଲା। ପ୍ରଭାସିନୀ ପୁରୁଷୋତ୍ତମପୁରରେ ଏକାକୀ ସରକାରୀ ବାସଭବନରେ ରହୁଥିଲେ। ଚାକିରିର ୨ ମାସରେ ତାଙ୍କୁ ୪୫ଟି ଏସଆର୍ (ସ୍ପେଶାଲ ରିପୋଟେଡ୍) କେସର ତଦନ୍ତ ଭାର ହସ୍ତାନ୍ତର କରାଯାଇଥିଲା। ଯେଉଁଥିପାଇଁ ସେ ଚାପଗ୍ରସ୍ତ ହୋଇ ରହୁଥିଲେ। ଏମିତିକି ଭାରାକ୍ରାନ୍ତ ହେବା ପରେ ଇସ୍ତଫା ଦେଇଥିବା ମଧ୍ୟ ଆଲୋଚନା ହେଉଛି। ସେ ଇସ୍ତଫା ଦେଇଥିଲେ କି ନାହିଁ ତାହା ତଦନ୍ତ ପରେ ହିଁ ଜଣାପଡ଼ିବ। ଗଞ୍ଜାମ ପୁଲିସ ଜିଲ୍ଲାରେ ପୂର୍ବରୁ ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗ ୨୦୨୨ରେ ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିଲେ ।

କ୍ଷୀର ବିକାଳୀ ଦେଖିଲେ ମୃତଦେହ

ଶନିବାର ସକାଳେ କ୍ଷୀରବାଲା କ୍ୱାର୍ଟରକୁ ଆସିଥିଲେ। ସେ ଝରକା ଫାଙ୍କରେ ଏସଆଇ ପ୍ରଭାସିନୀଙ୍କ ଝୁଲନ୍ତା ମୃତଦେହ ଦେଖି ଥାନାରେ ଜଣାଇଥିଲେ। ଆଇଆଇସି କୁଳମଣି ସେଠୀ ସଙ୍ଗେ ସଙ୍ଗେ ଗଞ୍ଜାମ ଏସପି ହରିଶ ବି ଶି ଏବଂ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ୍ ନାୟକଙ୍କୁ ଜଣାଇବା ପରେ ଏସପି, ଅନ୍ୟ ଅଧିକାରୀ ଆସି ଅନୁଧ୍ୟାନ କରିଥିଲେ । ସନ୍ଧ୍ୟାରେ ବାପାଘର ଓ ଶ୍ୱଶୁର ଘରଲୋକଙ୍କ ଉପସ୍ଥିତିରେ ପୁଲିସ କ୍ୱାର୍ଟର୍ସରୁ ମୃତଦେହ ଉଦ୍ଧାର କରିଥିଲା।

ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନ୍ଭିନ୍ କରିଛି। ଶବ ପଞ୍ଚନାମା ପରେ ବ୍ୟବଚ୍ଛେଦ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ। ସବ୍ ଇନ୍ସପେକ୍ଟର ପ୍ରଭାସିନୀ ଦୁଇମାସର ଗର୍ଭବତୀ। କାର୍ଯ୍ୟଭାର ଯୋଗୁଁ ଚାପଗ୍ରସ୍ତ ହୋଇ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଥିବାବେଳେ ମୃତ୍ୟୁର କାରଣ ସ୍ପଷ୍ଟ କରିନାହାନ୍ତି ଗଞ୍ଜାମ ଏସପି । ଏହାର ତଦନ୍ତ ପରେ ସତ୍ୟତା ଜଣାପଡ଼ିବ ବୋଲି ସେ କହିଛନ୍ତି। ଅତ୍ୟଧିକ କାର୍ଯ୍ୟ ଭାର ଚୂଲାଇ ନପାରି, ଶେଷରେ ପୁଲିସ ଅଧିକାରୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଥିବା ଓଡ଼ିଶା ପୁଲିସ ଅଫିସର ସଂଘର ସଭାପତି ଅସିତ ରଞ୍ଜନ ଜେନା କହିଛନ୍ତି।