ଭୁବନେଶ୍ବର ୭।୭: ରଥଯାତ୍ରାକୁ ରହିଲା ମାତ୍ର ଆଉ ଦିନ କେଇଟା । ସେପଟେ କିନ୍ତୁ ଇସ୍କନ ସବୁ ଦିନ ରଥଯାତ୍ରା ପାଳନ କରିବାରେ ଲାଗିଛି । ଦେଶ ବିଦେଶରେ ଅଦିନିଆ ଅତିଥିରେ ରଥଯାତ୍ରା ଆୟୋଜନ କରି ମୂଳ ରଥଯାତ୍ରାର ଭାବ ଭକ୍ତିର ତତ୍ତ୍ବକୁ ପାଣିଚିଆ କରିବାରେ ଲାଗିଛି । ବଡ଼କଥା ହେଉଛି ଇସ୍କନକୁ ଏହା ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଗଜପତି ମହାରାଜ ବାରମ୍ବାର ଚିଠି ଲେଖିଛନ୍ତି । କିନ୍ତୁ ଏହାକୁ ବେଖାତିର କରୁଛି ଇସ୍କନ ।

ଏ ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି । ଇସ୍କନର ମନମାନୀ ପ୍ରସଙ୍ଗରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଚିଠି ଲେଖିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ବିଦେଶରେ ଇସ୍କନ ପକ୍ଷରୁ ଆୟୋଜିତ ଅଦିନ ରଥଯାତ୍ରା ଓ ସ୍ନାନଯାତ୍ରାକୁ ନେଇ ଚିଠି ଲେଖିଛନ୍ତି ଗଜପତି । ଏ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସମୟ ଲୋଡ଼ିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି । ପରମ୍ପରାକୁ ଭାଙ୍ଗି ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରାଯାଉଛି । ଏହା ଜଗନ୍ନାଥପ୍ରେମୀଙ୍କ ଧର୍ମୀୟ ଭାବାବେଗକୁ ଆଘାତ ଦେଉଛି । ମହାପ୍ରଭୁଙ୍କ ପବିତ୍ରତା ବଜାୟ ରଖିବା ପାଇଁ ତୁରନ୍ତ ଏହାକୁ ବନ୍ଦ କରାନ୍ତୁ ବୋଲି ଗଜପତି ଚିଠିରେ ଉଲ୍ଲେଖ କରିଛନ୍ତି ।

Also Read:- ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ଘଟଣା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଜଣାପଡିଲା ସତ...

ଗତ ୪ ତାରିଖରେ ଇସ୍କନକୁ ୧୨୫ ପୃଷ୍ଠାର ଚିଠି ଲେଖିଥିଲେ ଗଜପତି । ବାରମ୍ବାର ଜଣାଇବା ପରେ ପୁଣିଥରେ କରିଥିଲେ ଅପିଲ । ପୂର୍ବରୁ ହୋଇଥିବା ଆଲୋଚନା ଓ କଥୋପକଥନର ମନେ ପକାଇଥିଲେ । ଏଥିସହିତ ତିଥିରେ ରଥଯାତ୍ରା କରିବାକୁ ନିବେଦନ କରିଥିଲେ । ଏ ହେଉଛି ଗଜପତି ମହାରାଜ ଦିବ୍ୟସିଂହ ଦେବ ଇସ୍କନର ଅଧ୍ୟକ୍ଷଙ୍କ ନିକଟକୁ ଲେଖିଥିବା ଚିଠିର କପି । ଗଜପତି ଲେଖିଥିବା ଚିଠିରେ ଦର୍ଶାଇଥିଲେ, ପୂର୍ବରୁ ଇସ୍କନ ଦେଶ ଓ ଦେଶ ବାହାରେ ଅତିଥି ଏବଂ ଅଦିନରେ ଶ୍ରୀଜୀଉଙ୍କର ସ୍ନାନଯାତ୍ରା ରଥଯାତ୍ରା ପାଳନ କରିଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଇସ୍କର ଦୃଷ୍ଟି ଆକର୍ଷଣ କରିଥିଲା । ସେହି ଅନୁସାରେ ଇସ୍କନ ଏବଂ ଶ୍ରୀମନ୍ଦିର ପ୍ରଶାସନ ସହିତ ବିଦ୍ବାନ ପଣ୍ଡିତ ମାନଙ୍କର ଏକ ବୈଠକ ଗତବର୍ଷ  ମାର୍ଚ୍ଚ ୨୦ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏହାପରେ ୬ ସେପ୍ଟେମ୍ବର ୨୦୨୫ରେ ଇସ୍କନ ନିଜର ପକ୍ଷ ରଖିଥିଲା ଯେଉଁଥିରେ କୁହାଯାଇଥିଲା ବିଭିନ୍ନ ପରିସ୍ଥିତି ପାଇଁ ଇସ୍କନ ଅ-ତଥିରେ ରଥଯାତ୍ରା କରୁଛି । ତେବେ ଏଣିତି ସମସ୍ତ ମନ୍ଦିରରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ସେହିପରି ବିଦେଶର ୨୪୭ ସ୍ଥାନରେ ଆଷାଢ଼ ଶୁକ୍ଲପକ୍ଷ ଦ୍ବିତୀୟା ରୁ ୯ ଦିନ ଭିତରେ ରଥଯାତ୍ରା ଆୟୋଜନର ଭରସା ଦେଇଥିଲା । ତେବେ ଅନ୍ୟ ୩୪୫ ସ୍ଥାନରେ ସମ୍ଭବପର ନୁହେଁ ବୋଲି ଜଣାଇଥିଲା । ସେଦିନର ପ୍ରତିଶ୍ରୁତିକୁ ମନେ ପକାଇଦେଇଥିଲେ ଗଜପତି ।

ଏବେ କିନ୍ତୁ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଇସ୍କନ ଅତିଥିରେ ସ୍ନାନଯାତ୍ରା ଆୟୋଜନ କରିଥିବା ବେଳେ ସେହିପରି ଅଦିନିଆ ରଥଯାତ୍ରା ଆୟୋଜନ କରିଚାଲିଛି । ସେହିପରି ଉଜ୍ଜୟିନି ମଧ୍ୟପ୍ରଦେଶର ୬୬ଟି ସ୍ଥାନରେ ଇସ୍କନ ୧୬ରୁ ୨୫ ତାରିଖ ଯାଏଁ ରଥଯାତ୍ରା ଆୟୋଜନ କରିବାକୁ ଘୋଷଣା କରିଛି । ତେବେ ନବଦିନାତ୍ମକ ବାଦ ବା ୯ ଦିନ ପରେ ରଥଯାତ୍ରା ଆୟୋଜନ ମଧ୍ୟ ବିଧି ସଙ୍ଗତ ନୁହେଁ । ତେଣୁ ଗଜପତି ମହାରାଜ ଆଉ ଥରେ ଇସ୍କନକୁ ଅବଗତ କରିଛନ୍ତି ୧୬ରୁ ୨୪ ତାରିଖରେ ଦେଶ ବିଦେଶରେ ରଥଯାତ୍ରା ଆୟୋଜନ କରିବାକୁ ।