କୋଲକାତା: ପଶ୍ଚିମବଙ୍ଗର ବାରୁଇପୁରଠାରେ ଜଣେ ୧୨ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ସମୟରେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବିଦ୍ରୋହୀ ସାଂସଦ ସାୟୋନୀ ଘୋଷଙ୍କୁ ତୀବ୍ର ଜନଅସନ୍ତୋଷ ଏବଂ ବିରୋଧର ସାମ୍ନା କରିବାକୁ ପଡ଼ିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓରେ ଦେଖିବାକୁ ମିଳିଛି ଯେ, ସାୟୋନୀ ଅଞ୍ଚଳରେ ପହଞ୍ଚିବା ମାତ୍ରେ ଲୋକେ ତାଙ୍କୁ "ଗଦ୍ଦାର" (ବିଶ୍ୱାସଘାତକ) ଏବଂ "ବେଇମାନ" ବୋଲି ଚିତ୍କାର କରୁଛନ୍ତି। ଏପରିକି କିଛି ଲୋକ ତାଙ୍କୁ ଉପହାସ କରି "ତୁମେ କେତେ ଟଙ୍କାରେ ବିକ୍ରି ହୋଇଛ?" ବୋଲି ମଧ୍ୟ ପଚାରୁଥିବା ଶୁଣିବାକୁ ମିଳିଛି।

ସାୟୋନୀ  ଘୋଷ ନିକଟରେ ମଦନ ମିତ୍ରଙ୍କ ନେତୃତ୍ୱରେ ଟିଏମସି ଛାଡ଼ି ଏନସିପିଆଇ (NCPI) ରେ ଯୋଗ ଦେଇଥିବା ୧୯ ଜଣ ସାଂସଦଙ୍କ ମଧ୍ୟରେ ସାମିଲ ହୋଇଥିଲେ। ବିଶେଷ କରି ଟିଏମସିର ଗଡ଼ରେ ଏହି ଦଳବଦଳକୁ ନେଇ ପ୍ରବଳ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ସାୟୋନୀ ବାରୁଇପୁରରେ ପହଞ୍ଚିବା ପରେ ଜନସାଧାରଣଙ୍କ ଆଭିମୁଖ୍ୟରୁ ସ୍ପଷ୍ଟ ଜଣାପଡ଼ିଥିଲା ଯେ, ତାଙ୍କର ନୂଆ ରାଜନୈତିକ ପରିଚୟକୁ ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି। ଲୋକେ ତାଙ୍କୁ 'ପ୍ରତାରକ' କହିବା ସହ କେବଳ ରାଜନୈତିକ ସ୍ୱାର୍ଥ ପାଇଁ ସେ ଟିଏମସି ଛାଡ଼ିଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ପ୍ରାରମ୍ଭିକ ପର୍ଯ୍ୟାୟରେ ପୋଲିସ ଏହି ଏନସିପିଆଇ ପ୍ରତିନିଧି ଦଳକୁ ସେହି ଅଞ୍ଚଳକୁ ପ୍ରବେଶ କରିବାକୁ ବାରଣ କରିଥିଲା। ମାତ୍ର ପରବର୍ତ୍ତୀ ସମୟରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କୁ ପୀଡ଼ିତାଙ୍କ ଘରକୁ ଯିବାକୁ ଅନୁମତି ଦିଆଯାଇଥିଲା। ପ୍ରବଳ ବିରୋଧ ସତ୍ତ୍ୱେସାୟୋନୀ ଘୋଷ କହିଛନ୍ତି ଯେ, ଏଭଳି ଜଘନ୍ୟ ଅପରାଧ ବିରୋଧରେ ସରକାର ପଦକ୍ଷେପ ନେବା ଜରୁରୀ। ସମସ୍ତେ ଅପରାଧୀଙ୍କ ପାଇଁ କଠୋରରୁ କଠୋର ଦଣ୍ଡ ଚାହୁଁଛନ୍ତି। କିନ୍ତୁ ଏଭଳି ଘଟଣା ପରେ ପୀଡ଼ିତାଙ୍କୁ କେତେ ଶୀଘ୍ର ନ୍ୟାୟ ମିଳୁଛି, ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ଏହି ଅପରାଧ ଅତ୍ୟନ୍ତ ସ୍ପର୍ଶକାତର ଓ ଦୁଃଖଦାୟକ ବୋଲି କହିଛନ୍ତି ସାୟୋନୀ । ସେ କହିଛନ୍ତି, ଏହା ଯେପରି ମୋର ନିଜ ଝିଅ ସହ ଘଟିଛି, ମୋତେ ସେମିତି ଅନୁଭବ ହେଉଛି। ଆମେ ପୀଡ଼ିତାଙ୍କ ପରିବାର ସହ ସବୁ ସମୟରେ ଠିଆ ହେବୁ ବୋଲି ପ୍ରତିଶ୍ରୁତି ଦେଇଛୁ। ଏଥିସହ ସେ ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି।