ଭୁବନେଶ୍ୱର: ତେଲ ପାଇଁ ସାରା ରାଜ୍ୟରେ ହାହାକାର। ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ। ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଟାର୍ଗେଟ୍ କରିଛି। ବିଜେଡି ନେତା ସଂଜୟ ଦାସ ବର୍ମା କହିଛନ୍ତି- ସରକାର ୨ ବର୍ଷ ପୂର୍ତ୍ତି ପାଇଁ ବୈଠକ ପରେ ବୈଠକ କରୁଛନ୍ତି। ହେଲେ ଲୋକ ହନ୍ତସନ୍ତ ହେଉଛନ୍ତି।

ସେ ଆହୁରି କହିଛନ୍ତି- ଆଜି ପେଟ୍ରୋଲ ଡିଜେଲ ୩ ଟଙ୍କା ବୃଦ୍ଧି ହୋଇଛି। ମନ୍ତ୍ରୀ ଓ ସଚିବ କହୁଛନ୍ତି ପର୍ଯ୍ୟାପ୍ତ ଡିଜେଲ ପେଟ୍ରୋଲ ଅଛି। ଲୋକ ପ୍ୟାନିକ ହୁଅନ୍ତୁ ନାହିଁ ୧୩ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଅଛି। ଡବଲ ଇଞ୍ଜିନ ସରକାର କେମିତି ଅମୃତକାଳ କଥା କହୁଥିଲେ ବୋଲି ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ ଆଜି ଅଘୋଷିତ ଏମରଜେନ୍ସି ଲାଗିଛି। ଏହାର ମୁକାବିଲା ବଦଳରେ ବର୍ଷ ପୂର୍ତ୍ତି ପାଇଁ ବୈଠକ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଦେଶ ଓ ରାଜ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ୫ ରାଜ୍ୟର ନିର୍ବାଚନ ପରେ ଗ୍ୟାସ ଦର ବଢ଼ିଲା। ଟ୍ରକ ସବୁ ତେଲ ପାଇଁ ଲାଇନରେ ଲାଗିଛନ୍ତି। ରବି ଧାନ କିପରି ଉଠିବ। ଏବେ ଢ଼ିଙ୍କିଶାଳ ଠାରୁ ହାଂଡିଶାଳ ପର୍ଯ୍ୟନ୍ତ ମହଙ୍ଗା ମାଡ଼ ଦେଖା ଦେଇଛି ବୋଲି କହିଛନ୍ତି।

ଡବଲ ଇଞ୍ଜିନ ସରକାର କୌଣସି ଉତ୍ସବରେ ନମାତି ଉଚ୍ଚସ୍ତରୀୟ ବୈଠକ ଡାକି ଏହାର ସମାଧାନ କରିବାକୁ ଦାବି କରିଛନ୍ତି। ନ ହେଲେ ଜଣ ଆକ୍ରୋଶର ଶିକାର ହେବେ। ବିଜେଡି ଖୁବଶୀଘ୍ର ଦର ବୃଦ୍ଧି ଉପରେ ଆଗାମୀ ଦିନରେ ଆନ୍ଦୋଳନ କରିବେ ସେ ଚେତାବନୀ ଦେଇଛନ୍ତି।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କୁ ସିଧା ନିଶାନା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ୧୩ ଶହରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ହୋଇଗଲାଣି। ୨ ହଜାରରୁ ଅଧିକ ବସ ଅଚଳ ହେବାକୁ ବସିଲାଣି। ତେଲ ପାଇଁ ସାରା ରାଜ୍ୟରେ ହାହାକାର ପରିସ୍ଥିତି ଉପୁଜିଲାଣି। ଶହେ ଟଙ୍କାର ତେଲ ଦେଉଛନ୍ତି ଗାଡ଼ିର କଣ୍ଟା ଉପରକୁ ଉଠୁନି। କିନ୍ତୁ ରାଜ୍ୟରେ ତେଲ ମହଜୁଦ୍ ଅଛି ବୋଲି ସରକାର ବାହା ବାହାବା ମାରୁଛନ୍ତି। ବେହିଆଙ୍କ ପଛରେ ବଥ ହେବ ଯାହା ରାଜ୍ୟ ସରକାରଙ୍କ ଅବସ୍ଥା ତାହା ବୋଲି ତାରା କଟାକ୍ଷ କରିଛନ୍ତି। ରାଜ୍ୟ ସରକାର ନିଜ ରାଜ୍ୟବାସୀଙ୍କୁ ତେଲ ଯୋଗାଇ ଦିଅନ୍ତୁ ସେ କହିଛନ୍ତି।