ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଅଭିଯୋଗ ପରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) କଡ଼ା ପଦକ୍ଷେପ ଗ୍ରହଣ କରି ନେସଲେ ସମେତ ଅନେକ ବଡ଼ କମ୍ପାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ନେସଲେର ସବୁଠାରୁ ଲୋକପ୍ରିୟ ପ୍ରଡକ୍ଟ 'ମ୍ୟାଗି' ପ୍ୟାକେଟରେ ପୋକ (ଲାର୍ଭା) ମିଳିବା ପରେ ଏହି ନୋଟିସ୍ ଦିଆଯାଇଛି। FSSAI ଏହି ମାମଲାରେ କମ୍ପାନୀକୁ ତୁରନ୍ତ 'ଆକ୍ସନ୍ ଟେକନ୍ ରିପୋର୍ଟ' ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି।

ସେହିପରି ସ୍ୱଚ୍ଛତା ଜନିତ ସମସ୍ୟାକୁ ନେଇ KFC କୁ ମଧ୍ୟ ନୋଟିସ୍ ମିଳିଛି। ଏହା ବ୍ୟତୀତ, ଖଜୁର (Dates) ପ୍ରଡକ୍ଟରେ ପୋକ ମିଳିବା ନେଇ ଆସିଥିବା ଅଭିଯୋଗ ପରେ ଫ୍ଲିପକାର୍ଟ ଇଣ୍ଡିଆ ଏବଂ ଓପନ୍ ସିକ୍ରେଟ୍ କମ୍ପାନୀକୁ ମଧ୍ୟ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ନେସଲେ ଠାରୁ ୩ଟି ମୁଖ୍ୟ ବିନ୍ଦୁରେ ଜବାବ ମାଗିଛି FSSAI:

ସୋର୍ସ ଏବଂ କ୍ୱାଲିଟି ଚେକ୍ ଲଗ୍: ନେସଲେକୁ ପ୍ରଥମେ ସେହି ନିର୍ଦ୍ଦିଷ୍ଟ ବ୍ୟାଚ୍ ଚିହ୍ନଟ କରିବାକୁ ହେବ ଯେଉଁଥିରେ ଗଡ଼ବଡ଼ ଦେଖିବାକୁ ମିଳିଛି। କମ୍ପାନୀକୁ ଜଣାଇବାକୁ ହେବ ଯେ, ଏହି ବ୍ୟାଚ୍ ପାଇଁ କଞ୍ଚାମାଲ କେଉଁ ଭେଣ୍ଡରଙ୍କଠାରୁ ଆସିଥିଲା ଏବଂ ଗ୍ରାହକଙ୍କ ପାଖରେ ପହଞ୍ଚିବା ପୂର୍ବରୁ କମ୍ପାନୀ ଭିତରେ ହୋଇଥିବା କ୍ୱାଲିଟି ଚେକ୍ର ସମସ୍ତ ରେକର୍ଡ ଦାଖଲ କରିବାକୁ ହେବ।
ସପ୍ଲାଇ ଚେନ୍ରୁ ଷ୍ଟକ୍ ହଟାଇବା: ଅଭିଯୋଗ ଆସିଥିବା ବ୍ୟାଚ୍ ବା ସମ୍ଭାବ୍ୟ ପ୍ରଭାବିତ ଷ୍ଟକ୍କୁ ବଜାର ଓ ସପ୍ଲାଇ ଚେନ୍ରୁ ହଟାଇବା ପାଇଁ କମ୍ପାନୀ କ’ଣ ତୁରନ୍ତ ପଦକ୍ଷେପ ନେଇଛି, ତାହା ପ୍ରମାଣ କରିବାକୁ ହେବ।
ଭବିଷ୍ୟତ ପାଇଁ ପଦକ୍ଷେପ: ନିୟାମକ ନେସଲେଠାରୁ ସେହି ସିଷ୍ଟମିକ ପରିବର୍ତ୍ତନଗୁଡ଼ିକର ବିବରଣୀ ମାଗିଛନ୍ତି, ଯାହା ଦ୍ୱାରା ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ।

ନେସଲେ ପାଇଁ ଏହା କାହିଁକି ସମ୍ବେଦନଶୀଳ? ମ୍ୟାଗି ନୁଡଲ୍ସ ନେସଲେ ଇଣ୍ଡିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ରାଣ୍ଡ। ୨୦୧୫ରେ ମଧ୍ୟ ନେସଲେ ଏକ ବଡ଼ ନିୟାମକ ସଙ୍କଟର ସମ୍ମୁଖୀନ ହୋଇଥିଲା, ଯେଉଁଥିରେ ସୀସା (Lead) ମାତ୍ରା ଅଧିକ ଥିବା ଅଭିଯୋଗରେ ମ୍ୟାଗିକୁ ପୁରା ମାର୍କେଟ୍ରୁ ହଟାଇ ଦେଇଥିଲା କମ୍ପାନୀ। ସେତେବେଳେ କମ୍ପାନୀର ବିକ୍ରି କମିବା ସହ ଗ୍ରାହକଙ୍କ ଭରସା ବି ଭାଙ୍ଗିଯାଇଥିଲା। ତେଣୁ ସୋସିଆଲ ମିଡିଆର ଏହି ନୂଆ ଅଭିଯୋଗ କମ୍ପାନୀର ସମ୍ମାନ ପାଇଁ ବେଶ୍ ଚିନ୍ତାର ବିଷୟ।