ନୂଆଦିଲ୍ଲୀ: ଆପଣ କେବେ ନା କେବେ ରାସ୍ତା କଡ଼ରେ ଛିଡ଼ା ହୋଇ ଖବରକାଗଜରେ ବରା, ସିଙ୍ଗଡ଼ା ନହେଲେ ଜିଲାପି ଖାଇଥିବେ। ହେଲେ ଆଉ ଖାଇବେ ନାହିଁ। କାରଣ ଭାରତୀୟ ଖାଦ୍ୟ ସୁରକ୍ଷା ତଥା ମାନକ ପ୍ରାଧିକରଣ (FSSAI) ଏନେଇ ଚେତାବନୀ ଜାରି କରିଛି। ଖବରକାଗଜରେ ଖାଦ୍ୟ ପରଷିବା, ଗୁଡ଼ାଇବା କିମ୍ବା ରଖିବା ଉପରେ କଡ଼ା ଚେତାବନୀ ଜାରି କରିଛି ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ। ସାଧାରଣତଃ ରାସ୍ତାକଡ଼ ଦୋକାନରେ ସିଙ୍ଗଡ଼ା, ପକୋଡ଼ା ବା ବଡ଼ା ପାଉ ଭଳି ଖାଦ୍ୟକୁ ଖବରକାଗଜରେ ଦେବାର ପରମ୍ପରା ରହିଛି, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ପ୍ରାଧିକରଣ ସତର୍କ କରାଇ ଦେଇଛି।

ବର୍ତ୍ତମାନ ଏହି ଘଟଣା ଏଥିପାଇଁ ଚର୍ଚ୍ଚାକୁ ଆସିଛି, କାରଣ ମୁମ୍ବାଇର ଜଣେ ଲୋକପ୍ରିୟ ବଡ଼ାପାଓ ଭେଣ୍ଡର ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୋଗ ଅନୁସାରେ ଏହି ଦୋକାନୀ ଜଣଙ୍କ ଖାଦ୍ୟୟ ପରଷିବା ବେଳେ ଖବରକାଗଜର ବ୍ୟବହାର କରୁଥିଲେ। ମାମଲା ସାମ୍ନାକୁ ଆସିବା ପରେ ଏଫଏସଏସଆଇ ପକ୍ଷରୁ ପୁଣିଥରେ ନୂଆ ଉପଦେଷନାମା ଜାରି କରାଯାଇଛି।

କାହିଁକି ବିପଜ୍ଜନକ ଖବରକାଗଜରେ ଖାଦ୍ୟ?

ବିଷାକ୍ତ କାଳି ଓ ଧାତୁ: ଖବରକାଗଜ ଛାପିବାରେ ବ୍ୟବହୃତ କାଳିରେ ଅନେକ କ୍ଷତିକାରକ ରାସାୟନିକ ପଦାର୍ଥ ଓ ସୀସା (Lead) ଭଳି ଭାରୀ ଧାତୁ ରହିଥାଏ। ଯେତେବେଳେ ଗରମ ବା ତେଲିଆ ଖାଦ୍ୟ ଖବରକାଗଜ ସଂସ୍ପର୍ଶରେ ଆସେ, ସେହି ବିଷାକ୍ତ ଉପାଦାନଗୁଡ଼ିକ ଖାଦ୍ୟ ସଂସ୍ପର୍ଶରେ ଆସିଥାନ୍ତି।

ଅସ୍ୱାସ୍ଥ୍ୟକର ପରିବେଶ: ଖବରକାଗଜ ପ୍ରିଣ୍ଟିଂ ପ୍ରେସରୁ ଗ୍ରାହକଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ବିଭିନ୍ନ ସ୍ତର ଦେଇ ଗତି କରେ। ଏହି ସମୟରେ ସେଥିରେ ଧୂଳି, ମଇଳା ଓ ବ୍ୟାକ୍ଟେରିଆ ଜମିଯାଇଥାଏ, ଯାହା ସିଧାସଳଖ ଖାଦ୍ୟକୁ ଦୂଷିତ କରେ।

ତେଲ ଶୋଷିବା ପାଇଁ ବ୍ୟବହାର: ଅନେକ ବ୍ୟବସାୟୀ ଭଜା ଜିନିଷରୁ ଅତ୍ୟଧିକ ତେଲ ଶୋଷିବା ପାଇଁ ଖବରକାଗଜର ବ୍ୟବହାର କରନ୍ତି। FSSAI ଅନୁଯାୟୀ, ଏହି ପ୍ରଥା ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବା ଉଚିତ। ଏହା ସାଂଘାତିକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ।

ନିୟମ କଣ କହୁଛି?

'ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ (ପ୍ୟାକେଜିଂ) ରେଗୁଲେସନ୍ସ, ୨୦୧୮' ଅନୁଯାୟୀ, ଖାଦ୍ୟ ରଖିବା ପାଇଁ ଖବରକାଗଜ ବ୍ୟବହାର କରିବା ଆଇନତଃ ନିଷିଦ୍ଧ। ରାସ୍ତାକଡ଼ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ବଡ଼ ରେସ୍ତୋରାଁ ଓ ହୋଟେଲ, ସମସ୍ତଙ୍କ ପାଇଁ କେବଳ 'ଫୁଡ୍ ଗ୍ରେଡ୍' (ଖାଦ୍ୟ ପାଇଁ ସୁରକ୍ଷିତ) ପ୍ୟାକେଜିଂ ସାମଗ୍ରୀ ବ୍ୟବହାର କରିବା ବାଧ୍ୟତାମୂଳକ।

ତେବେ କେବଳ ପ୍ରଶାସନ ନୁହେଁ, ଗ୍ରାହକମାନେ ମଧ୍ୟ ସଚେତନ ହୋଇ ଖବରକାଗଜରେ ପରଷା ଯାଉଥିବା ଖାଦ୍ୟକୁ ଏଡ଼ାଇବା ଉଚିତ। ଖାଦ୍ୟର ସୁରକ୍ଷା ପାଇଁ ସର୍ବଦା ନିରାପଦ ଓ ସ୍ୱଚ୍ଛ ପ୍ୟାକେଜିଂ ବ୍ୟବହାର କରିବାକୁ ପ୍ରାଧିକରଣ ପରାମର୍ଶ ଦେଇଛି।