Iran war: ଇରାନ ସହ ଆମେରିକା ଓ ଇସ୍ରାଏଲ ମଧ୍ୟରେ ଜାରି ଯୁଦ୍ଧକୁ ମାସେ ବିତିଲାଣି। ହେଲେ ଯୁଦ୍ଧ ଥମିବା ନେଇ କୌଣସି ସକରାତ୍ମକ ସଙ୍କେତ ଦେଖିବାକୁ ମିଳୁନି। ଏହି ଯୁଦ୍ଧରେ ଇରାନକୁ ଯେତିକି ଝଟକା ଲାଗିନି, ତାଠୁ ଅଧିକ ଝଟକା ଆମେରିକାକୁ ଲାଗିଛି। ଫେବୃଆରୀ ୨୮ରେ ଆରମ୍ଭ ହୋଇଥିବା ଯୁଦ୍ଧରେ ସାମିଲ ହେବାକୁ ସିଧାସଳଖ ଆମେରିକାକୁ ମନା କରି ଦେଇଛନ୍ତି ସହଯୋଗୀ ଦେଶ। ଅନେକ ଦେଶ ଆମେରିକାକୁ ଇରାନ ବିପକ୍ଷରେ ନିଜ ମାଟି ବ୍ୟବହାର କରିବାକୁ ଦେଇ ନାହାନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ଇଟାଲୀ ଓ ତୁର୍କୀ ମଧ୍ୟ ସାମିଲ୍। ଅର୍ଥାତ ସହଯୋଗୀ ହୋଇ ବି ଇରାନ ଯୁଦ୍ଧରେ ଅନେକ ଦେଶ ଆମେରିକାକୁ ସାହାଯ୍ୟ କରୁ ନାହାନ୍ତି। ଆସନ୍ତୁ ଜାଣିବା ଏହି ଦେଶ ବିଷୟରେ…

୧ – ଇଟାଲୀ

ଇଟାଲୀ ସରକାର ମଧ୍ୟପ୍ରାଚ୍ୟ ଅଭିମୁଖେ ଯାଉଥିବା ଏକ ଆମେରିକା ବିମାନକୁ ସିସଲୀରେ ଓହ୍ଲାଇବାକୁ ଦେଇ ନାହିଁ। ବିମାନି ସିଗୋନେଲ ଏୟାର ବେସରେ ଲ୍ୟାଣ୍ଡିଂ ପାଇଁ ଅନୁମତି ମାଗିଥିଲା। ଇଟାଲୀ ପ୍ରତିରକ୍ଷା ମନ୍ତ୍ରୀ ଗୁଇଡୋ କ୍ରୋସେଟୋ କହିଛନ୍ତି, ଲ୍ୟାଣ୍ଡିଂ ପୂର୍ବରୁ କୌଣସି ଔପଚାରିକ ଅନୁମତି ମଗାଯାଇଥିଲା। ଏପରିକି ଇଟାଲୀର ମିଲିଟାରୀ କମାଣ୍ଡ ସହ କୌଣସି ପରାମର୍ଶ ନିଆଯାଇ ନ ଥିଲା। ବିମାନ ଆକାଶରେ ଉଡ଼ିବା ସମୟରେ ଉଡ଼ାଣର କୌଣସି ସୂଚନା ଦିଆଯାଇ ନ ଥିଲା। ଏହି ଉଡ଼ାଣ ଇଟାଲୀ ଓ ଆମେରିକା ମଧ୍ୟରେ ଥିବା ସନ୍ଧି ଅନୁସାରେ ନ ଥିଲା।ଇଟାଲୀର ମାମଲା ଏଥିପାଇଁ ଗୁରୁତ୍ଵ, କାରଣ ଇଟାଲୀ ନାଟୋର ସଦସ୍ୟ।

୨ – ତୁର୍କୀ

ନାଟୋର ସଦସ୍ୟ ହେବା ସତ୍ତ୍ଵେ ତୁର୍କୀ ଏହି ଯୁଦ୍ଧରେ ସିଧାସଳଖ ଆମେରିକାକୁ ସମର୍ଥନ କରିବା ପରିବର୍ତ୍ତେ ମଧ୍ୟସ୍ଥ ଭୂମିକା ନିର୍ବାହ କରିଛନ୍ତି। ତୁର୍କୀ ଉଭୟ ଦେଶ ମଧ୍ୟରେ ସନ୍ଦେଶ ପହଞ୍ଚାଇବାର କାମ କରିଛି। ବାରମ୍ବାର ଦୁଇ ଦେଶକୁ ଯୁଦ୍ଧ ବିରତିର ଅପିଲ୍ କରିଛି। ତୁର୍କୀର ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଦେଶ ଇରାନରେ ସୈନ୍ୟ ଦଖଲ ବିରୋଧରେ ରହିଛି। ତୁର୍କୀ ରାଷ୍ଟ୍ରପତି ରେସେପ ତୈୟର ଏର୍ଦୋଗାନ କହିଛନ୍ତି, ଏହି ଯୁଦ୍ଧ ଇସ୍ରାଏଲର, ମାତ୍ର ଏହାର ମୂଲ୍ୟ ସର୍ବପ୍ରଥମେ ମୁସଲମାନ ଓ ପୂରା ମାନବତାକୁ ଦେବାକୁ ପଡ଼ୁଛି।

୩ - ସ୍ପେନ୍

ଇରାନ ଯୁଦ୍ଧରେ ସାମିଲ ଥିବା ଆମେରିକୀୟ ବିମାନ ପାଇଁ ସ୍ପେନ୍ ତାର ଆକାଶ ସୀମା ମଧ୍ୟ ବନ୍ଦ କରିଦେଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ମାର୍ଗାରିଟା ରୋବଲ୍ସ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଆରମ୍ଭରୁ ଆମେରିକୀୟ ସେନା ଏବଂ ସାମରିକ କର୍ମଚାରୀମାନଙ୍କୁ ସମ୍ପୂର୍ଣ୍ଣ ସ୍ପଷ୍ଟ ଭାବରେ ଜଣାଇ ଦିଆଯାଇଥିଲା। ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଇରାନ ଯୁଦ୍ଧ ଆରମ୍ଭ ହେବା ପରେ ଏହାକୁ କଡ଼ା ନିନ୍ଦା କରିଥିଲେ। ସେ କହିଥିଲେ ଯେ ଆମେରିକା ସଂଘର୍ଷରେ ମିଳିତ ଭାବରେ ବ୍ୟବହୃତ ସ୍ପେନିସ୍ ସାମରିକ ଘାଟି ବ୍ୟବହାର କରିପାରିବ ନାହିଁ।

୪ - ବ୍ରିଟେନ୍

ବ୍ରିଟେନ୍ କହିଛି ଯେ ତାଙ୍କ ଦେଶ କେବଳ ପ୍ରତିରକ୍ଷା ଆକ୍ରମଣ ପାଇଁ ଆମେରିକାକୁ ନିଜର ସାମରିକ ଘାଟି ବ୍ୟବହାର କରିବାକୁ ଅନୁମତି ଦେବ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମର୍ କହିଛନ୍ତି ଯେ ତାଙ୍କ ଦେଶ ଇରାକ ଯୁଦ୍ଧରେ କରିଥିବା ଭୁଲର ପୁନରାବୃତ୍ତି କରିବାକୁ ଚାହୁଁନାହିଁ ଏବଂ ତାଙ୍କ ଦେଶ ଇରାନ ଉପରେ ପ୍ରାରମ୍ଭିକ ଆକ୍ରମଣରେ ସାମିଲ ନଥିଲା। ତଥାପି, ଆମେରିକାର B-52 ବୋମାବର୍ଷୀ ବିମାନଗୁଡ଼ିକୁ ମଧ୍ୟ ବ୍ରିଟେନର RAF ଫେୟାରଫୋର୍ଡ ଏୟାରବେସରୁ ଉଡ଼ାଣ ଭରୁଥିବା ଦେଖାଯାଇଥିଲା।

୫ - ଫ୍ରାନ୍ସ ଏବଂ ଜର୍ମାନୀ

ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ କହିଛନ୍ତି ଯେ ଯୁଦ୍ଧ ସମାପ୍ତ ନକରି କୌଣସି ପଦକ୍ଷେପ ନେବା ଉଚିତ ହେବନି। ଏହି ସମୟରେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କହିଛନ୍ତି ଯେ ବର୍ତ୍ତମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଉତ୍ତେଜନା ହ୍ରାସ କରିବା ଏବଂ ଅନ୍ତର୍ଜାତୀୟ ଆଇନର ପାଳନ କରିବା। ସେ ଏହା ମଧ୍ୟ କହିଛନ୍ତି ଯେ ୟୁରୋପୀୟ ଦେଶଗୁଡ଼ିକ ଏହି ଯୁଦ୍ଧରେ ସାମିଲ ହେବାକୁ ଚାହାନ୍ତି ନାହିଁ। ସାତଟି ଦେଶ ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ, ଇଟାଲୀ, ନେଦରଲ୍ୟାଣ୍ଡ, ଜାପାନ ଏବଂ କାନାଡା ଏକ ମିଳିତ ବିବୃତ୍ତିରେ କହିଛନ୍ତି ଯେ ସେମାନେ ସମୁଦ୍ର ପଥ ସୁରକ୍ଷିତ କରିବା ପାଇଁ ଉପଯୁକ୍ତ ପ୍ରୟାସରେ ଅଂଶଗ୍ରହଣ କରିପାରିବେ। ତଥାପି, ଏସବୁ ଦେଶ ସ୍ପଷ୍ଟ କରିଛନ୍ତି ଯେ ଯୁଦ୍ଧ ପ୍ରଥମେ ଶେଷ ହେବା ଦରକାର।

୬ - ଉପସାଗରୀୟ ଦେଶ

ଉପସାଗରୀୟ ଦେଶଗୁଡ଼ିକ (ସାଉଦି ଆରବ ଏବଂ ୟୁଏଇ) ଯୁଦ୍ଧରେ ସିଧାସଳଖ ସମ୍ପୃକ୍ତିକୁ ଏଡ଼ାଇଥିଲେ ହେଁ ନିଜ ଅଞ୍ଚଳରେ ଆମେରିକୀୟ ଘାଟି ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। କତାର ଏବଂ ଓମାନ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଏହି ଯୁଦ୍ଧର ଗମ୍ଭୀର ପରିଣାମ ହେବ। ଉପସାଗରୀୟ ଦେଶଗୁଡ଼ିକ ଆମେରିକୀୟ ସାମରିକ ଅଭିଯାନରେ ସିଧାସଳଖ ସାମିଲ୍ ହେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି।