ନୂଆଦିଲ୍ଲୀ,୧୮|୦୬ପୂର୍ବତନ ପ୍ରଧାନମନ୍ତ୍ରୀ ଆଇକେ ଗୁଜରାଲଙ୍କ ପୁଅଙ୍କଠୁ ଲୁଟ୍ । କୋଟି କୋଟି ଟଙ୍କା ନେଇଗଲେ ସାଇବର ଲୁଟେରା । ଗୁଜୁରାଲଙ୍କ ପୁତ୍ର ତଥା ପୂର୍ବତନ ରାଜ୍ୟସଭା ସାଂସଦ ନରେଶ ଗୁଜରାଲଙ୍କଠୁ ଲୁଟେରା ୭ କୋଟି ୮୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଯାହାର ତଦନ୍ତ ଆରମ୍ଭ ହୋଇଛି ।

ପୋଲିସର କହିବାନୁସାରେ, କିଛି ଦିନ ତଳେ ନରେଶଙ୍କ ହ୍ୱାଟସଆପ୍ ନମ୍ବର ବ୍ୟବହାର କରି ସାଇବର ଠକ ତାଙ୍କ କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ । ଏହାସହ ଠକଜଣଙ୍କ କମ୍ପାନୀର ଫାଇନାନ୍ସ ଟିମରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ନିଜେ ନରେଶ ବୋଲି ବିଶ୍ୱାସ ଜନ୍ମାଇଥିଲେ । ଏପରିକି କର୍ମଚାରୀଙ୍କୁ ୭ କୋଟି ୮୦ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ କରିବାକୁ କହିଥିଲେ । ଏସବୁ ଲୁଟେରାଙ୍କ କାରନାମା ବୋଲି କର୍ମଚଚାରୀ ବୁଝିପାରିନଥିଲେ । ଫଳରେ ସେ ଦାବି ମୁତାବକ ଟଙ୍କା ଦେଇଦେଇଥିଲେ ।

ଘଟଣାର ସତ ଜଣା ପଡିବା ପରେ ଦିଲ୍ଲୀ ପୋଲିସର ଆଇଏଫଏସଓ ୟୁନିଟରେ ଏଫଆଇଆର ରୁଜୁ ହୋଇଛି । ତଦନ୍ତରୁ ଜଣାପଡିଛି ଯେ, ଠକମାନେ ନରେଶଙ୍କ ହ୍ୱାଟସଆପ୍ ହ୍ୟାକ୍ କରିନେଇଥିଲେ । ଏହାପରେ ନରେଶଙ୍କ କର୍ମଚାରୀ ଟଙ୍କା ପଠାଇଥିଲେ । ଟଙ୍କା ପ୍ରାୟ ତିନିରୁ ଚାରୋଟି ଆକାଉଣ୍ଟକୁ ପଠାଯାଇଛି । ପ୍ରାୟ ୬୦ ପ୍ରତିଶତ ଟଙ୍କାକୁ ଫ୍ରିଜ୍ କରାଯାଇଛି । ଏହାକୁ ଲୁଟେରା ଉଠାଇପାରିବେ ନାହିଁ କିମ୍ବା କୌଣସି ଟ୍ରାଞ୍ଜାକ୍ସନ କରିପାରିବେ ନାହିଁ ।

ଠକାମୀ ବିରୋଧରେ ଦିଲ୍ଲୀ ପୋଲିସ ଜୁନ ୧୨ରୁ ଜୁନ ୧୬ ତାରିଖ ମଧ୍ୟରେ ବଡ ଧରଣର ଚଢଉ କରିଥିଲା । ତଦନ୍ତକୁ ଜୋରଦାର କରାଯାଇଥିଲା । ପ୍ରାୟ ୪ କୋଟି ଟଙ୍କା ଫ୍ରିଜ୍ କରାଯାଇଛି । ଯାହା ନରେଶଙ୍କ ଆକାଉଣ୍ଟକୁ ଫେରି ଆସିବ । ସୂଚନାଯୋଗ୍ୟ, ନରେଶଙ୍କ ଦକ୍ଷିଣ ଦିଲ୍ଲୀରେ ଏକ କମ୍ପାନୀ ରହିଛି । ଏହା ପୋଷାକ ଏବଂ ଚମଡାରୁ ଅନେକ ବସ୍ତୁ ତିଆରି କରିଥାଏ ।