ନୂଆଦିଲ୍ଲୀ: ଅବସରପ୍ରାପ୍ତ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ୍) ଜେନେରାଲ ଅନିଲ ଚୌହାନ ‘ଅପରେସନ ସିନ୍ଦୂର’କୁ ନେଇ ବୁଧବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ୧୦ ମେ ୨୦୨୫ ପୂର୍ବାହ୍ନରେ ଯୁଦ୍ଧବିରାମ ଲାଗି ସମ୍ପର୍କ କରିଥିଲା। ତେବେ ଭାରତ ଜାଣିଶୁଣି ନିଜ ପ୍ରତିକ୍ରିୟାରେ ବିଳମ୍ବ କରିଥିଲା। ଅପରେସନ ସିନ୍ଦୂର ମଧ୍ୟରେ ପାକିସ୍ତାନ ତତ୍କାଳ ଯୁଦ୍ଧବିରାମ ଲାଗି ଡିଜିଏମଓଙ୍କ ହଟଲାଇନ ମାଧ୍ୟମରେ ଭାରତ ପହଞ୍ଚିଥିଲା। ତେବେ ଏଥି ପାଇଁ ଭାରତ ମଧ୍ୟାହ୍ନ ପର୍ଯ୍ୟନ୍ତ ପାକିସ୍ତାନକୁ ଅପେକ୍ଷା କରାଇବା ପାଇଁ ବୁଝି ବିଚାରି ନିଷ୍ପତ୍ତି ନେଇଥିଲା ବୋଲି ପୂର୍ବତନ ସିଡିଏସ୍ କହିଛନ୍ତି।

ଅବସର ପ୍ରାପ୍ତ ସିଡିଏସ୍ କହିଛନ୍ତି ଯେ ଏହାର କାରଣ ହେଉଛି ପାକିସ୍ତାନ ଉପରେ ଭାରତର ସୁନିୟୋଜିତ ଆକ୍ରମଣ ଅଧା ବାକିଥିଲା। ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ ପୂର୍ବତନ ସିଡିଏସ୍ ଅନିଲ ଚୌହାନ କହିଛନ୍ତି ଯେ ଭାରତ ଅପରେସନ ରୋକିବା ପାଇଁ ରାଜି ହେବା ପୂର୍ବରୁ ନିଜର ପୂର୍ଣ୍ଣ ସାମରିକ ଉଦ୍ଦେଶ୍ୟ ପ୍ରାପ୍ତ କରିବାକୁ ଚାହୁଁଥିଲା। ଏଣୁ ଜାଣିଶୁଣି ପ୍ରତିକ୍ରିୟା ଦେବାରେ ବିଳମ୍ବ କରିଥିଲା। ଅପରେସନ ସିନ୍ଦୂରର ଯୋଜନା ଓ ରୂପାୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଜେନେରାଲ ଅନିଲ ଚୌହାନ କହିଛନ୍ତି ଯେ ପାକିସ୍ତାନ ଏହି ଯୁଦ୍ଧବିରାମ ଏଥି ପାଇଁ ଚାହୁଁଥିଲା ଯେ ଭାରତୀୟ ଟାର୍ଗେଟ୍ ଉପରେ ସେ ଆଶା କରୁଥିବା ସଫଳତା ହାସଲ କରିଛି ବୋଲି ଭାବୁଥିଲା। ଏଣୁ ଦିଲ୍ଲୀ ଦ୍ୱାରା ଉତ୍ତେଜନା ଅଧିକ ବଢିଯିବ ବୋଲି ଡରୁଥିଲା ।

ଜେନେରାଲ ଚୌହାନ କହିଛନ୍ତି ଯେ ମୋ ଲାଗି ସବୁଠୁ ବଡ଼ ଆଶ୍ଚର୍ଯ୍ୟ ସେତେବେଳେ ଥିଲା ଯେତେବେଳେ କଥାବାର୍ତ୍ତା ପାଇଁ ପାକିସ୍ତାନ ମେ ୧୦ ତାରିଖରେ ଭାରତକୁ ଫୋନ କଲା। ସେ କହିଛନ୍ତି ଯେ ଏହା ଆଶ୍ଚର୍ଯ୍ୟଜନକ ସେଥି ପାଇଁ ଥିଲା କାରଣ ପାକିସ୍ତାନ ମେ ୯ ତାରିଖରେ ଯେଉଁ ଭଳି ବୟାନବାଜୀ କରୁଥିଲା। ଏଥିରୁ ଲାଗୁଥିଲା ସେ ୪୮ ଘଣ୍ଟା ମଧ୍ୟରେ ଭାରତକୁ ସାଧି ଦେବ। ତେବେ ୯ ମେ ରାତି ଓ ୧୦ ମେ ସକାଳ ପର୍ଯ୍ୟନ୍ତ ଭାରତ ୧୧ ପାକିସ୍ତାନୀ ସୈନ୍ୟ ସ୍ଥଳ ଓ ବାୟୁସେନା ଘାଟି ଉପରେ ଆକ୍ରମଣର ପର୍ଯ୍ୟାୟ ରଚିଥିଲା। ଏଥିରେ ହ୍ୟାଙ୍ଗର, ରାଡାର ସାଇଟ୍ ଓ ଅନେକ ଯୁଦ୍ଧବିମାନ କ୍ଷତିଗ୍ରସ୍ତ ହୋଇଥିଲା।

ଜେନେରାଲ ଚୌହାନ ରେଖାଙ୍କିତ କରିଛନ୍ତି ଯେ ଏହା ଦ୍ୱାରା ପାକିସ୍ତାନକୁ ଏକ ସ୍ପଷ୍ଟ ସନ୍ଦେଶ ଦିଆଯାଇଥିଲା ଯେ ତାର କୌଣସି ସୈନ୍ୟ ପ୍ରତିଷ୍ଠାନ ଭାରତୀୟ ସଶସ୍ତ୍ର ବଳଙ୍କ ପହଞ୍ଚ ବାହାରେ ନାହିଁ। ସେ କହିଛନ୍ତି ଯେ ଯୁଦ୍ଧ ଭୂମିରେ ଯଥାର୍ଥବାଦୀ କ୍ଷମତାର ସ୍ପଷ୍ଟ ଛବି ଛାଡିବା ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଥିଲା। ଭାରତ ସୀମା ପାର ନ କରି ପାକିସ୍ତାନ ଉପରେ ବଡ଼ ଧରଣର ଆକ୍ରମଣ କଲା ଓ ପାକିସ୍ତାନୀ ସାମରିକ ଘାଟିକୁ ଧୂଳିସାତ କରିଦେଲା।