ରାଉରକେଲା ୫।୯: ରାଉରକେଲା ଗୋପବନ୍ଧୁପାଲି ଟିମ୍ବର କଲୋନୀରେ ବନ ବିଭାଗର ସଂରକ୍ଷିତ ଜଙ୍ଗଲ ଜମିରେ ବେଆଇନ ଭାବେ ନିର୍ମିତ କାର୍ଯ୍ୟାଳୟ ଉପରେ ବନ ବିଭାଗର ବଡ଼ ଆକ୍ସନ୍ । ମାଜିଷ୍ଟ୍ରେଟ୍ ଓ ପୋଲିସ ଉପସ୍ଥିତିରେ ବୁଲଡୋଜର ଚଢ଼ାଇ ନିର୍ମାଣକୁ ଭାଙ୍ଗି ଦିଆଯାଇଛି । ଏହି କାର୍ଯ୍ୟାଳୟଟି ପୂର୍ବତନ ଯୁବ ନେତା ପ୍ରକାଶ ପାଶୱାନଙ୍କ ସହ ସମ୍ପର୍କିତ ବୋଲି ଅଭିଯୋଗ ରହିଛି ।

ଗତ ୧୪ ତାରିଖ ବିଳମ୍ବିତ ରାତିରେ ରାଉରକେଲା ସର୍କିଟ୍ ହାଉସ୍ ରୁମ୍ ନମ୍ବର ୧୦୭ରେ ରଘୁନାଥପାଲି ପୋଲିସ ରେଡ୍ କରିଥିଲା । ରେଡ୍ ବେଳେ ୪ଟି ମାଉଜର, ୧୧ଟି ଜୀବନ୍ତ ଗୁଳି, ୩ଟି ମାଗାଜିନ୍ ଜବତ କରିବା ସହ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ରାଉରକେଲା ରଘୁନାଥପାଲି ପୋଲିସ । ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ମୁଖ୍ୟ ଅଭିଯୁକ୍ତ ତଥା ଯୁବ ନେତା ପ୍ରକାଶ ପାଶଓ୍ବାନ । ପରେ ଗତ ୨୭ ତାରିଖରେ ବିହାର ସମସ୍ତିପୁରରୁ ତାଙ୍କୁ ଗିରଫ କରିଥିଲା ରାଉରକେଲା ପୋଲିସର ସ୍ୱତନ୍ତ୍ର ଟିମ୍ ।

ପୂର୍ବତନ ଯୁବ ନେତା ପ୍ରକାଶ ପାଶୱାନ ଗୋପବନ୍ଧୁପାଲି ଟିମ୍ବର କଲୋନୀରେ ବନ ବିଭାଗର ସଂରକ୍ଷିତ ଜଙ୍ଗଲ ଜମି ଉପରେ ବେଆଇନ ଭାବରେ କାର୍ଯ୍ୟାଳୟ ନିର୍ମାଣ କରିଥିଲେ । ଆଉ ଆଜି ବନ ବିଭାଗ, ପୋଲିସ ସହାୟତାରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସେହି ବେଆଇନ କାର୍ଯ୍ୟାଳୟ ଉପରେ ବୁଲଡୋଜର ଚଢାଇ କାର୍ଯ୍ୟାଳୟକୁ ମାଟିରେ ମିଶାଇ ଦେଇଛି । କାର୍ଯ୍ୟାଳୟରେ ଥିବା କମ୍ପ୍ୟୁଟର, ହାର୍ଡଡିସ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଛି ପୋଲିସ ।