• ଚିନି ଓ ପାମ ତେଲ ମହଙ୍ଗା ହେବା କାରଣରୁ ବିସ୍କୁଟ ପ୍ୟାକେଟ ଓଜନ ହ୍ରାସ  ହେବ
  • କମ୍ପାନୀ ବିକ୍ରି ପ୍ରଭାବିତ ନ କରି ସନ୍ତୁଳିତ ଉପାୟରେ ମୂଲ୍ୟ ବୃଦ୍ଧି କରିବେ 
  • ଏବେ ମାର୍ଜିନ ରକ୍ଷା କରିବାକୁ ପ୍ୟାକ୍ ଓଜନ ହ୍ରାସ ଅଥବା ସିଧା ମୂଲ୍ୟ ବୃଦ୍ଧି ହିଁ ଏକମାତ୍ର ବିକଳ୍ପ

ନୂଆଦିଲ୍ଲୀ: ଦେଶରେ ଖାଉଟିଙ୍କ ଉପରେ ପୁଣି ଏକ ମହଙ୍ଗା ମାଡ଼ ପଡ଼ିବାକୁ ଯାଉଛି। ବିସ୍କୁଟ, ସାବୁନ ଓ ତେଲ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ (ଏଫଏମସିଜି) ଉତ୍ପାଦନ କରୁଥିବା ଦିଗ୍ଗଜ କମ୍ପାନୀ ସପ୍ଟେମ୍ବର ତ୍ରୈମାସିକରେ ସେମାନଙ୍କ ବଛାବଛା ଉତ୍ପାଦର ମୂଲ୍ୟ ବୃଦ୍ଧି ଲାଗି ଯୋଜନା କରୁଛନ୍ତି। କଞ୍ଚାମାଲ ବାବଦ ବ୍ୟୟ ବୃଦ୍ଧି, ଚିନି ଓ ପାମ ତେଲ ଭଳି ସାମଗ୍ରୀ ମହଙ୍ଗା ହେବା ଏବଂ ବୈଶ୍ୱିକ ଭୂ-ରାଜନୈତିକ ଅନିଶ୍ଚିତତା କାରଣରୁ କମ୍ପାନୀମାନେ ଏହି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସୂଚନା ବିଭିନ୍ନ ଏଫଏମସିଜି କମ୍ପାନୀଙ୍କ ଦ୍ୱାରା ଜାରି ବିତ୍ତିୟ ବୟାନ ଓ ବିଶ୍ଲେଷକଙ୍କ ସହ ଶୀର୍ଷ ଅଧିକାରୀଙ୍କ କଥାବାର୍ତ୍ତରୁ ଜଣାପଡିଛି।

ବେକରୀ ଉତ୍ପାଦ ନିର୍ମାତା ବ୍ରିଟାନିୟା ଇଣ୍ଡଷ୍ଟ୍ରିଜ ସ୍ପଷ୍ଟ ଭାବେ କହିଛି ଯେ ଚିନି ଓ ପାମ ତେଲ ମହଙ୍ଗା ହେବା କାରଣରୁ ସେ ତାଙ୍କର ସବୁଠୁ ଲୋକପ୍ରିୟ ୫ ଓ ୧୦ ଟଙ୍କା ମୂଲ୍ୟର ବିସ୍କୁଟ ପ୍ୟାକେଟ ଓଜନ ହ୍ରାସ କରିବାକୁ ଯାଉଛନ୍ତି। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ରକ୍ଷିତ ହରଗାଭେ କହିଛନ୍ତି ଯେ ଏହା ଦ୍ୱାରା ମୂଲ୍ୟରେ ପାଖାପାଖି ୧.୫ରୁ ୨% ପର୍ଯ୍ୟନ୍ତ ପ୍ରଭାବୀ ବୃଦ୍ଧି ହୋଇପାରେ। ଏଥିରେ ଯଦି କଞ୍ଚାମାଲ ଦର ଉଚ୍ଚା ରହେ ତେବେ ଆଗକୁ ମଧ୍ୟ କମ୍ପାନୀ ଦର ବୃଦ୍ଧି ନିଷ୍ପତ୍ତି ନେଇପାରେ।

ଏଥିରେ ଡାବର ଇଣ୍ଡିଆ ସିଇଓ ମୋହିତ ମଲହୋତ୍ରା ଭବିଷ୍ୟତରେ କଞ୍ଚାମାଲ ବାବଦ ବ୍ୟୟ ଉଚ୍ଚ ରହିପାରେ ବୋଲି ସଂକେତ ଦେଇଛନ୍ତି। ଏଣୁ କମ୍ପାନୀ ବଛାବଛା ଉତ୍ପାଦର ଦାମ ବଢାଇ ନିଜର ଲାଭକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରିବ ବୋଲି ସେ କହିଛନ୍ତି। ହିନ୍ଦୁସ୍ତାନ ୟୁନିଲିଭର ଅନୁସାରେ ଏପ୍ରିଲ-ଜୁନ ତ୍ରୈମାସିକ ତୁଳନାରେ ସେପ୍ଟେମ୍ବର ତ୍ରୈମାସିକରେ ମୂଲ୍ୟବୃଦ୍ଧି ୨ରୁ୫% ପର୍ଯ୍ୟନ୍ତ ହୋଇ ପାରେ। ଏଣୁ କମ୍ପାନୀ ବିକ୍ରି ପ୍ରଭାବିତ ନ କରି ସନ୍ତୁଳିତ ଉପାୟରେ ମୂଲ୍ୟ ବୃଦ୍ଧି କରିବ ବୋଲି ସିଇଓ ପ୍ରିୟା ନାୟର କହିଛନ୍ତି।

କମ୍ପାନୀମାନଙ୍କ କହିବା କଥା ହେଉଛି ଜୁନ ତ୍ରୈମାସିକ ପୂର୍ବରୁ ମୂଲ୍ୟରେ ୨ରୁ୫% ବୃଦ୍ଧି କରାଯାଇସାରିଛି। ଏବେ ମାର୍ଜିନ ରକ୍ଷା କରିବାକୁ ପ୍ୟାକ୍ ଓଜନ ହ୍ରାସ ଅଥବା ସିଧା ମୂଲ୍ୟ ବୃଦ୍ଧି ହିଁ ଏକମାତ୍ର ବିକଳ୍ପ। ଏହା ଛଡା ଅନିଶ୍ଚିତ ମୌସୁମୀ ଓ ଏଲନିନୋ ଭଳି ରିସ୍କ ମଧ୍ୟ କମ୍ପାନୀଙ୍କ ଚିନ୍ତା ବଢାଉଛି।