ଭୁବନେଶ୍ୱର ୩୦।୦୯ : ଉଦ୍ଧାର ୫ ଓରାଙ୍ଗଉଟାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ।  ଖୁବଶୀଘ୍ର ସେମାନଙ୍କର DNA ଟେଷ୍ଟ କରାଯିବ । ଏନେଇ ସୂଚନା ଦେଇଛନ୍ତି  ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ଓରାଙ୍ଗଉଟାନ ସ୍ମଗଲିଂର ଚାଲିଛି ଛାନଭିନ । ସମୁଦ୍ର କୂଳରେ ଥିବା ସବୁ ହୋଟେଲକୁ ଯାଞ୍ଚ କରାଯାଉଛି । ଗୋଆଠାରୁ  ଆରମ୍ଭ କରି ଓଡ଼ିଶା ପର୍ଯ୍ଯନ୍ତ ସମସ୍ତ ସମୁଦ୍ର କୂଳ ହୋଟେଲକୁ ଯାଞ୍ଚ କରାଯାଉଛି । କେଉଁ କେଉଁ ହୋଟେଲ  ସ୍ମଗଲିଂ ରେ ସାମିଲ ଅଛନ୍ତି ତାହାର ତଦନ୍ତ ଚାଲିଛି । ଯେହେତୁ ଓରାଙ୍ଗଉଟାନ ସ୍ମଗଲିଂରେ  ଆସିଛନ୍ତି ତଦନ୍ତ ପରେ ପର୍ଯ୍ଯଟକଙ୍କୁ ଦେଖାଯିବ କି ନାହିଁ ପରେ ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ ଯେ, ଗତ ୭ ତାରିଖରେ ବାଲେଶ୍ୱର ଜିଲ୍ଲା ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଠାବ ହୋଇଥିଲା । ଏହାପରେ ସେମାନଙ୍କ ୮ ତାରିଖ ରାତିରେ ନନ୍ଦନକାନନକୁ ଅଣାଯାଇଥିଲା। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶିଶୁ ଲାଳନପାଳନ କେନ୍ଦ୍ର ସଙ୍ଗରୋଧ ଗୃହରେ ସେମାନଙ୍କୁ ରଖାଯାଇଛି। ପିସିସିଏଫଙ୍କ ଦ୍ୱାରା ଗଠିତ ବୈଷୟିକ କମିଟି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ତାଙ୍କ ପରାମର୍ଶରେ ପ୍ରାଣୀ ଚିକିତ୍ସକମାନେ ସେମାନଙ୍କ ଚିକିତ୍ସା କରୁଛନ୍ତି। ଘଟଣାରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ପୋଲିସ, ପ୍ରଶାସନ, ବନ ବିଭାଗ ଏବଂ ସ୍ପେଶାଲ ଟାସ୍କ ଫୋର୍ସ (STF) ମିଳିତ ଭାବେ ତଦନ୍ତ ଚଳାଇଛନ୍ତି। ଏଥିସହ ପଶ୍ଚିମବଙ୍ଗ ପୋଲିସ ଓ ପ୍ରଶାସନର ସହଯୋଗ ମଧ୍ୟ ନିଆଯାଉଛି।

Also Read:-ଶୁଭଶ୍ରୀ ଦାସ ମୃତ୍ୟୁ ରହସ୍ୟ : ଏଯାଏଁ ମିଳୁନି ଖିଅ, ୫ ଦିନ ପରେ ବି ପୋଲିସର ହାତ ଖାଲି