• ଲୋକଙ୍କ ଜୀବନ ସହ ଖେଳୁଥିବା ୫ ନକଲୀ ଡାକ୍ତରଙ୍କ ବିରୋଧରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ ବଡ଼ ଆକ୍ସନ ନେଇଛି
  • ସହରର କିଛି ଅଞ୍ଚଳରେ ଝୋଲାଛାପ ଓ ନକଲୀ ଡାକ୍ତର ନିୟମକୁ ଜଳାଞ୍ଜଳି ଦେଇ ଏଲୋପ୍ୟାଥିକ ଚିକିତ୍ସା କରୁଥିଲେ
  • ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୫ଟି କ୍ଲିନିକ୍ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି

ମୁମ୍ବାଇ: ଆର୍ଥିକ ରାଜଧାନୀ ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲୋକଙ୍କ ଜୀବନ ସହ ଖେଳୁଥିବା ୫ ନକଲୀ ଡାକ୍ତରଙ୍କ ବିରୋଧରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ ବଡ଼ ଆକ୍ସନ ନେଇଛି। ପୋଲିସ ଗୋଭଣ୍ଡି, ଦେବନାର ଓ ବାନ୍ଦ୍ରା ଅଞ୍ଚଳରେ ଚଢଉ କରି ଏହି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି ଯେଉଁମାନେ ବିନା ବୈଦ୍ଧ ଲାଇସେନ୍ସ ଓ ଡାକ୍ତରୀ ଡିଗ୍ରିରେ ରୋଗୀ ଚିକିତ୍ସା କରିଆସୁଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏମାନଙ୍କ ମଧ୍ୟରୁ ଜଣେ ଡାକ୍ତର ମାତ୍ର ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ୟୁନିଟ୍ ୬ ଓ ୮ ବୃହନମୁମ୍ବାଇ ମହାନଗର ପାଳିକା (ବିଏମସି)ର ଚିକିତ୍ସା ଅଧିକାରୀଙ୍କ ସହ ମିଶି ଏହି ମିଳିତ କାର୍ଯ୍ୟାନୁଷ୍ଠାନ କରିଛି। ପୋଲିସକୁ ମିଳିଥିବା ଗୁପ୍ତ ସୂଚନା ଅନୁସାରେ ସହରର କିଛି ଅଞ୍ଚଳରେ ଝୋଲାଛାପ ଓ ନକଲୀ ଡାକ୍ତର ନିୟମକୁ ଜଳାଞ୍ଜଳି ଦେଇ ଏଲୋପ୍ୟାଥିକ ଚିକିତ୍ସା କରୁଥିଲେ। ମାମଲାର ତଦନ୍ତ କାଳରେ ଜଣାପଡିଥିଲା ଯେ କେତେକଙ୍କ ହୋମିଓପ୍ୟାଥିକ ଚିକିତ୍ସା ଲାଗି ଅନୁମତି ଥିଲା, ହେଲେ ସେମାନେ ନିୟମ ଉଲ୍ଲଂଘନ କରି ଏଲୋପ୍ୟାଥିକ ଔଷଧରେ ରୋଗୀ ଚିକିତ୍ସା କରୁଥିଲେ। ଏପରି ବି ଡାକ୍ତର ଚିକିତ୍ସା କରୁଥିଲେ ଯାହାଙ୍କର କୌଣସି ଡାକ୍ତରୀ ଯୋଗ୍ୟତା ହିଁ ନଥିଲା।

ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୫ଟି କ୍ଲିନିକ୍ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏଥିରୁ ୪ଟି କ୍ଲନିକ୍ ଦେବନାରର ଜାକିର ହୁସେନ ନଗର ଓ ଗୋଭଣ୍ଡିରେ ଥିବା ବେଳେ ଗୋଟିଏ ଇଷ୍ଟ ବାନ୍ଦ୍ରାର ନୌପଡା ଅଞ୍ଚଳରେ ରହିଛି। ପୋଲିସ ଚଢଉ କାଳରେ କ୍ଲିନିକ୍ ମାନଙ୍କରୁ ୧,୧୯,୩୨୪ ଟଙ୍କାର ଔଷଧ ଓ ମେଡିକାଲ ସାମଗ୍ରୀ ଜବତ ହୋଇଛି। ଜବତ ହୋଇଥିବା ସାମଗ୍ରୀରେ ଇଞ୍ଜେକ୍ସନ, ସିରିଞ୍ଜ, ଆଣ୍ଟିବୋୟାଟିକ୍ ଔଷଧ, ବିପି ମନିଟର, ଷ୍ଟେଥୋସ୍କୋପ, ସୁଗାର ଯାଞ୍ଚ ମେସିନ ଓ ନେବୁଲାଇଜର ଆଦି ରହିଛି। ଏହି ଡାକ୍ତରଙ୍କ ମଧ୍ୟରୁ ୩ ଜଣ ଗିରଫ ହୋଇଥିବା ବେଳେ ୨ ଜଣଙ୍କୁ ନୋଟିସ୍ ଦେଇ ଛଡା ଯାଇଛି।

ଏଥିରେ ସଗୀର କ୍ଲିନିକର ଡାକ୍ତର ସଗୀର ଅହମଦ ଅବଦୁଲ ମାଜିଦ୍ ହାସମୀ (୩୯)କୁ ବିନା ଲାଇସେନ୍ସରେ କ୍ଲିନିକ୍ ଚଳାଉଥିବା ଅଭିଯୋଗରେ ଗିରଫ କରାଯାଇଛି। ସେହିପରି ପଟେଲ କ୍ଲିନିକ୍ ମାଲିକ କେଶବ ପ୍ରସାଦ କୁଦ୍ଦୁର ପଟେଲ (୫୬)ଙ୍କୁ ବିନା ବୈଧ ଲାଇସେନ୍ସରେ ପ୍ରାକ୍ଟିସ୍ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି। ପୂର୍ବ ବାନ୍ଦ୍ରାରେ ଥିବା ଅଫତାବ ଖାନ କ୍ଲିନିକ ମାଲିକ ମୋହମଦ ଅଫତାବ ସୌକତ ଖାନ (୫୬)ଙ୍କୁ ଗିରଫ କରାଯାଇଛି।

ଏହାଛଡା ଗୋଭଣ୍ଡିରେ ଥିବା ଗାୟତ୍ରୀ କ୍ଲିନିକ୍ ମାଲିକ ଅଖିଳେଶ କୁମାର ଦେବେନ୍ଦ୍ର କୁମାର ଦୁବେ (୪୭)ଙ୍କୁ ନୋଟିସ୍ ଦେଇ ଛଡା ଯାଇଛି। ଦୁବେ ବିଏଚଏମଏସ ଡାକ୍ତର ହୋଇ ଏଲୋପ୍ୟାଥିକ ଚିକିତ୍ସା କରୁଥିଲେ। ଏଥି ପାଇଁ ପୋଲିସକୁ କ୍ଷମା ମାଗିଛନ୍ତି। ଏହାଛଡା ବିଏଚଏମଏସ ଡାକ୍ତର ମହମଦ ଆଲାମ ମହମଦ ସରିଫ ଶେଖ(୩୬)ଙ୍କର ମଧ୍ୟ ବିଏଚଏମଏସ ସାର୍ଟିଫିକେଟ ରହିଛି। ଏଣୁ ତାଙ୍କୁ ନୋଟିସ୍ ଦେଇ ଛାଡି ଦିଆଯାଇଛି। ତେବେ ପୂର୍ବ ବାନ୍ଦ୍ରାରେ ଥିବା ମହମ୍ମଦ ଅଫତାବ ସୌକତ ଖାନଙ୍କ ଦ୍ୱାରା ଚଳାଯାଇଥିବା କ୍ଲିନିକ୍ ମାମଲା ସବୁଠୁ ଗୁରୁତର ବୋଲି ଜଣାପଡିଛି।

ଯେତେବେଳେ ପୋଲିସ ତାଙ୍କ କ୍ଲିନିକ୍ ଉପରେ ଚଢଉ କଲା ସେତେବେଳେ ସେଠାରେ ୪ ଜଣ ରୋଗୀ ସେମାନଙ୍କ ଲାଇନକୁ ଅପେକ୍ଷା କରିଥିଲେ। ପଚରାଉଚରା ଅଫତାବ କେବଳ ଦ୍ୱାଦଶ ଯାଏଁ ପାଠ ପଢିଥିବା କହିଛନ୍ତି। ସେ ଡାକ୍ତର ବୋଲି ତାଙ୍କ ପାଖରେ କୌଣସି ଡିଗ୍ରି ନାହିଁ। ତେବେ ଅଭିଯୁକ୍ତ ପୋଲିସକୁ କିଛି ଏପରି ପ୍ରମାଣପତ୍ର ଦେଖାଇଥିଲେ ଯାହା ମାହାରାଷ୍ଟ୍ର କାଉନସିଲ ଅଫ ଇଣ୍ଡିଆନ ମେଡିସିନ ଓ ଇଣ୍ଡିଆ ଆୟୁର୍ବେଦ ବିଦ୍ୟାପୀଠ ଦ୍ୱାରା ଜାରି ସାର୍ଟିଫିକେଟ ଥିଲା। ତେବେ ତାହା ଅସଲି କି ନକଲୀ ତଦନ୍ତରେ ଜଣାପଡିବ ବୋଲି ପୋଲିସ କହିଛି।

ଏହି ନକଲୀ ଡାକ୍ତରମାନେ ଆଜିକାଲି ନୁହେଁ ଗତ ୨୮ ବର୍ଷ ହେଲା ମୁମ୍ବାଇରେ ଚିକିତ୍ସା ସେବା ଯୋଗାଇ ଦେଇ ଆସୁଥିଲେ। ହେଲେ ସେମାନଙ୍କ ପ୍ରତି କାହାର ନଜର ପଡିନଥିଲା। ହୋମିଓପ୍ୟାଥି ଓ ଆୟୁର୍ବେଦିକ ଚିକିତ୍ସା ପ୍ରମାଣପତ୍ର ରଖିଥିବା ଏହି ନକଲୀ ଡାକ୍ତର ମାନେ ଦୀର୍ଘ ବର୍ଷରୁ ଲୋକଙ୍କୁ ଏଲୋପ୍ୟାଥିକ ଚିକିତ୍ସା ସେବା ଦେଇ ଆସୁଥିଲେ। ସେମାନେ ଔଷଧ ଲେଖୁଥିଲେ ଓ ନିଜେ ବିକ୍ରି କରୁଥିଲେ। ସାଲାଇନ ଲଗାଉଥିଲେ ଓ ଆଣ୍ଟିବୋୟାଟିକ୍ ମଧ୍ୟ ଦେଉଥିଲେ। ହେଲେ ସେମାନେ ଡାକ୍ତର ନୁହନ୍ତି ବୋଲି କେହି ଜାଣି ପାରି ନଥିଲେ।