West Bengal fish-and-rice meals: ଓଡ଼ିଶାରେ ୫ଟଙ୍କିଆ ଡାଲମା ଭାତ ପରି ପଶ୍ଚିମବଙ୍ଗରେ ବି ୫  ଟଙ୍କିଆ ମିଲ୍ ମିଳୁଥିଲା। ହେଲେ ଏବେ ସେଥିରେ ମାଛ ବି ମିଳିବ। ପଶ୍ଚିମବଙ୍ଗର ନୂଆ ଶୁଭେନ୍ଦୁ ସରକାର ଏବେ ୫ ଟଙ୍କାର ମାଛ ଭାତ ତେବେ ବୋଲି ଘୋଷଣା କରିଛନ୍ତି। ରାଜ୍ୟର ଥିବା ୪୦୦ଟି ସ୍ୱତନ୍ତ୍ର କ୍ୟାଣ୍ଟିନରେ ୫ ଟଙ୍କାରେ ମାଛ-ଭାତ ଯୋଗାଇ ଦିଆଯିବ ବୋଲି ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି।

କଲ୍ୟାଣୀରେ ଆୟୋଜିତ ଏକ ପ୍ରଶାସନିକ ବୈଠକରେ ଲୋକଙ୍କୁ ସମ୍ବୋଧନ କରି ଅଧିକାରୀ କହିଛନ୍ତି ଯେ ସବସିଡିଯୁକ୍ତ ଖାଦ୍ୟ ସମଗ୍ର ପଶ୍ଚିମବଙ୍ଗରେ ସ୍ଥାପିତ ସ୍ୱତନ୍ତ୍ର ଭାବରେ ନିର୍ଦ୍ଦିଷ୍ଟ କ୍ୟାଣ୍ଟିନ ମାଧ୍ୟମରେ ଯୋଗାଇ ଦିଆଯିବ। ଶୁଭେନ୍ଦୁଙ୍କ ଏହି ଘୋଷଣା ଟିଏମ୍‌ସିର ଅଭିଯୋଗରେ ଉତ୍ତର ଦେବାକୁ କରାଯାଇଥିବା କୁହାଯାଉଛି। କାରଣ ନିର୍ବାଚନ ସମୟରେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସମେତ ଦଳୀୟ ନେତାମାନେ ପ୍ରଚାର କରିଥିଲେ ଯେ ବିଜେପି ଆସିଲେ ମାଛ, ମାଂସ ଏବଂ ଅଣ୍ଡା ଉପରେ ସମ୍ପୂର୍ଣ୍ଣ ନିଷେଧ କରିବ। ଫଳରେ ବଙ୍ଗାଳୀମାନେ ତାଙ୍କର ପ୍ରିୟ କାଦ୍ୟ ଖାଇବାରେ ବଞ୍ଚିତ ହେବେ।

ତେବେ ବିଜେପି ଏହି ଅଭିଯୋଗଗୁଡ଼ିକୁ ଅସ୍ୱୀକାର କରିଥିଲା ​​ଏବଂ ପ୍ରତିଶ୍ରୁତି ଦେଇଥିଲା ଯେ ଦଳ କ୍ଷମତାକୁ ଆସିଲେ ଏପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। ପ୍ରକୃତରେ, ଅନୁରାଗ ଠାକୁରଙ୍କ ସମେତ ଅନେକ ବିଜେପି ନେତା ବଙ୍ଗାଳୀ ସଂସ୍କୃତି ସହିତ ନିଜର ସମ୍ପର୍କ ପ୍ରଦର୍ଶନ କରିବା ପାଇଁ ସାଧାରଣରେ ମାଛ-ଭାତ (ମାଛ ଏବଂ ଭାତ) ଭୋଜିରେ ଅଂଶଗ୍ରହଣ କରିଥିଲେ ଏବଂ ନାମାଙ୍କନ ରାଲି ସମୟରେ ମାଛ ମଧ୍ୟ ଧରିଥିଲେ। ଆଉ ଆଜି ବିଜେପି କ୍ଷମତାକୁ ଆସିବା ପରେ ଶୁଭେନ୍ଦୁ ଯାହା ଘୋଷଣା କରିଛଛନ୍ତି, ସେଥିରେ ଟିଏମସିର ପ୍ରଚାର କେବଳ ଅପପ୍ରଚାର ଥିଲା ବୋଲି ପ୍ରମାଣିତ ହୋଇଛି।

ପଶ୍ଚିମବଙ୍ଗରେ ୫ ଟଙ୍କିଆ ମିଲ୍ ଆରମ୍ଭ କରିଥିଲେ ମମତା

ପଶ୍ଚିମବଙ୍ଗରେ ୫ ଟଙ୍କିଆ ମିଲ୍ ଖୁବ୍ ଲୋକପ୍ରିୟ ଥିଲା। ଏହାକୁ ୨୦୨୧ ଫେବ୍ରୁଆରୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆରମ୍ଭ କରିଥିଲେ। ଏହାର ନାଁ ଥିଲା ମା କ୍ୟାଣ୍ଟିନ, ଏହି କ୍ୟାଣ୍ଟିନ ଦିନ ୧୨.୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲୁଥିଲା। ଏଥିରେ ଭାତ, ଡାଲି, ପନିପରିବା, ଏବଂ ଅଣ୍ଡା ଦିଆଯାଉଥିଲା। ୨୦୨୧ ବଜେଟ୍‌ରେ ମମତା ସରକାର ଏଥିପାଇଁ ୧୦୦ କୋଟି ଆବଣ୍ଟନ କରିଥିଲେ।

Also Read- ତୃଣମୂଳ ସ୍ତରରେ ଭୁଶୁଡୁଛି ଟିଏମ୍‌ସି; ଇସ୍ତଫା ଦେଲେ ୧୦୦ କାଉନସିଲର, ବିଜେପିରେ ଯୋଗ ଦେଇପାରନ୍ତି ୧୨ ସାଂସଦ!

ସେହି ସମୟରେ ବିଜେପି ନେତା ଦିଲ୍ଲୀପ ଘୋଷ ଏହାକୁ ନିନ୍ଦା କରିଥିଲେ। ବିଧାନସଭା ନିର୍ବାଚନ ଆସୁଥିବାରୁ ଲୋକଙ୍କୁ ଲୋଭ ଦେଖାଇବା ପାଇଁ ଏହା କରାଯାଇଛି ବୋଲି ସେ କହିଥିଲେ। ଆଉ ୫ ବର୍ଷ ବିତିଯିବା ପରେ ବର୍ତ୍ତମାନ ବିଜେପି ରାଜ୍ୟରେ କ୍ଷମତା ଦଖଲ କରିଛି। ଆଉ ସରକାର ଆସିବା ପରେ ମମତାଙ୍କ ଯୋଜନାର ପରିସରକୁ ଆଉ ଟିକେ ଆଗକୁ ବଢ଼ାଇ କ୍ୟାଣ୍ଟିନରେ ମାଛ ଭାତ ଦେବାକୁ ଘୋଷଣା କରିଛି।

ଓଡ଼ିଶାରେ ଏହି ୫ ଟଙ୍କିଆ ମିଲ ବ୍ୟବସ୍ଥା ଆହାର ଯୋଜନା ନାଁରେ ଚାଲୁଛି। ୨୦୧୫ରେ ତତ୍କାଳୀନ ବିଜେଡି ସରକାର ଏହାକୁ ଆରମ୍ଭ କରିଥିଲେ। ଦିନ ୧୧ ଟାରୁ ଅପରାହ୍ନ ୩ଟା ଓ ରାତ୍ରୀ ଭୋଜନରେ ସନ୍ଧ୍ୟା ୭ରୁ ରାତି ୯ଟା ପର୍ଯ୍ୟନ୍ତ ଲୋକଙ୍କୁ ଖାଇଦ୍ୟ ବଣ୍ଟା ଯାଉଛି। ଏଥିରେ ଭାତ, ଡାଲମା ଓ ଆଚାର ଦିଆଯାଉଛି। ତେବେ ଭାରତରେ ଏହି ୫ ଟଙ୍କିଆ ମିଲ୍ ଯୋଜନାରେ ପ୍ରଥମେ ତାମିଲନାଡୁ ସରକାର ୨୦୧୩ରେ ଆରମ୍ଭ କରିଥିଲେ। ଏହାପରେ ଓଡିଶା ସରକାର ଏହାକୁ ଲାଗୁ ରାଜ୍ୟରେ ଲାଗୁ କରିଥିଲେ। ପରେ ଅନ୍ୟ ସରକାରମାନେ କ୍ରମାନ୍ୱୟରେ ନିଜ ନିଜ ରାଜ୍ୟରେ ଆରମ୍ଭ କରିଥିଲେ। ତାମିଲନାଡୁରେ ଏହା ଆମ୍ମା ଉନାଭାଗମ୍ କ୍ୟାଣ୍ଟିନରେ ନାଁରେ ଚାଲିଛି। 

 

​​​​​​​