ପ୍ୟାରିସ୍: ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ ରେ ଦେଶର ପ୍ରଥମ ପାରମ୍ପରିକ ହିନ୍ଦୁ ମନ୍ଦିରର ପ୍ରାଣ ପ୍ରତିଷ୍ଠା ରବିବାର ସଫଳତା ପୂର୍ବକ ସମ୍ପନ୍ନ ହୋଇଛି। ଏଣୁ ମନ୍ଦିର ସବୁ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥିଙ୍କ ଲାଗି ଉନ୍ମୁକ୍ତ ହୋଇଛି। ପ୍ରାଣ ପ୍ରତିଷ୍ଠା ଉତ୍ସବରେ ୟୁରୋପ, ଅଷ୍ଟ୍ରେଲିୟା, ଆମେରିକା, ଆଫ୍ରିକା ଓ ଏସିୟା ଆଦି ୪୦ ଦେଶରୁ ଆସିଥିବା ସନ୍ଥ ଓ ଭକ୍ତଙ୍କ ସହିତ ମୁଖ୍ୟ ଅତିଥିମାନେ ମଧ୍ୟ ଯୋଗ ଦେଇଛନ୍ତି। ଏହି ମନ୍ଦିର ପ୍ରାଚୀନ ଭାରତୀୟ ବାସ୍ତୁକଳା ଓ ବୈଦିକ ଶିଳ୍ପଶାସ୍ତ୍ର ଆଧାରରେ ନିର୍ମାଣ ହୋଇଛି, ଯେଉଁଥିରେ ଫରାସୀ ଓ ଆଧୁନିକ ନିର୍ମାଣ ଶୈଳୀର ସୁନ୍ଦର ସମାବେଶ ଦେଖିବାକୁ ମିଳୁଛି।

ମନ୍ଦିର ପ୍ରତିଷ୍ଠା ବିଧି ପୂର୍ବରୁ ପ୍ୟାରିସ ସହରରେ ଏକ ଭବ୍ୟ ନଗରଯାତ୍ରା ଆୟୋଜନ ହୋଇଥିଲା, ଏଥିରେ ସଙ୍ଗୀତ, କଳା ଓ ଭକ୍ତିମୟ ପ୍ରଦର୍ଶନ କରାଯାଇଛି। ପାରମ୍ପରିକ ବେଶଭୂଷାରେ ସଜିତ ନୃତ୍ୟକଳାକାର ୧୪ଟି ସୁନ୍ଦର ରଥ ଭାରତର ସାଂସ୍କୃତିକ ପରମ୍ପରାକୁ ଉଜ୍ଜୀବିତ କରିଥିଲା। ଏହି ଯାତ୍ରା ବିଶ୍ୱବିକ୍ଷାତ ଏଫିଲ ଟାୱାରରୁ ଆରମ୍ଭ ହୋଇ ଏକୋଲ ମିଲିଟେର ହୋଇ ପ୍ଲସ ଦି ଲ କନକର୍ଡରେ ସମାପ୍ତ ହୋଇଥିଲା। ଏହାପରେ ମହନ୍ତ ସ୍ୱାମୀ ମହାରାଜ ସବୁ ଧର୍ମ ମଧ୍ୟରେ ପ୍ରେମ ଓ ସଦଭାବ ଅତୁଟ ରଖି ବୈଶ୍ୱିକ ଶାନ୍ତି ଓ ସମସ୍ତଙ୍କ କଲ୍ୟାଣ ପାଇଁ ମନ୍ଦିରରେ ପ୍ରାର୍ଥନା କରିଛନ୍ତି।

ପ୍ୟାରିସ୍ ରେ ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ବିଏପିଏସ୍ ର ଗୁରୁ ଯୋଗିଜୀ ମହାରାଜ ୧୯୭୦ ମସିହାରେ ସଂକଳ୍ପ କରିଥିଲେ। ଏହା ପରେ ପ୍ରମୁଖ ସ୍ୱାମୀ ମହାରାଜ ତାଙ୍କ ଆଧ୍ୟାତ୍ମିକ ଯାତ୍ରାରେ ଅନେକବାର ଆସି ତାଙ୍କ ଗୁରୁଙ୍କ ସଂକଳ୍ପକୁ ସାକାର କରିଛନ୍ତି। ୨୦୨୧ ମସିହାରେ ଏହି ମନ୍ଦିରର ଭୂମିପୂଜନ ଅନୁଷ୍ଠିତ ହୋଇଥିଲା। ୨୦୨୨ ମସିହାରେ ଶିଳାନ୍ୟାସ ପରେ ମନ୍ଦିର ନିର୍ମାଣ କାମ ଆଗକୁ ବଢିଥିଲା। ୨୦୨୬ରେ ମନ୍ଦିରର ନିର୍ମାଣ କାମ ଶେଷ ହେବା ସହ ପ୍ରାଣ ପ୍ରତିଷ୍ଠା ହୋଇଛି।

ଏହି ମନ୍ଦିରଟି ୫ହଜାର ବର୍ଗ ମିଟର କ୍ଷେତ୍ର ଉପରେ ନିର୍ମିତ ହୋଇଛି। ଏହାର ଉପର ଓ ତଳେ ପାରମ୍ପରିକ ମନ୍ଦିର ନିର୍ମିତ ହୋଇଥିବା ବେଳେ ଆଧାରରେ ଏକ ସାଂସ୍କୃତିକ କେନ୍ଦ୍ର ରୂପେ ଭବ୍ୟ ସାଭାଗାର ରହିଛି। ଏଥିରେ ୫ଟି ଶିଖର, ୧୦ଟି ଗମ୍ବୁଜ, ୨୦ଟି କମକୋଟି କରା ଖମ୍ବ, ୧୨୦ଟି ଗବାକ୍ଷ, ୪୯ଟି ଚରିତ୍ର ଶିଳ୍ପ ପ୍ରତିମା ଓ ୪ଟି ସୁସଜ୍ଜିତ ଛତା ରହିଛି। ଏହି ମନ୍ଦିର ନିର୍ମାଣରେ ଭାରତ, ଇଟାଲୀ, ଗ୍ରୀସ୍ ଓ ଭିଏତନାମରୁ ଶଙ୍ଖମଲମଲ ସହ ଗ୍ୱାଲିୟରର ବଲୁଆ ପଥର ଉପଯୋଗ ହୋଇଛି। ମନ୍ଦିର ପରିସରରେ ସଭାଗୃହ, କକ୍ଷ୍ୟ, ଖେଳ କକ୍ଷ୍ୟ, ପ୍ରଦର୍ଶନୀ ସ୍ଥଳ ଓ କାର୍ଯ୍ୟାଳୟ ସୁବିଧା ଉପଲବ୍ଧ ରହିଛି।

ଫ୍ରାନ୍ସରେ ସ୍ଥାପିତ ଏହି ପ୍ରଥମ ପାରମ୍ପରିକ ହିନ୍ଦୁ ମନ୍ଦିର ସାରା ବିଶ୍ୱରେ ଲୋକଙ୍କୁ ଭାରତୀୟ ସଂସ୍କୃତି ସହ ପରିଚୟ କରାଇବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବ। ଏହା ଉପାସନା, ପ୍ରେମ, ସଦଭାବ ଓ ଏକତାର ପ୍ରତୀକ ହେବା ସହ ସମ୍ପୂର୍ଣ୍ଣ ବିଶ୍ୱକୁ କଲ୍ୟାଣ ବାର୍ତ୍ତା ଦେବାକୁ ସହାୟକ ହେବ।