କୋଲକାତା: ପଶ୍ଚିମବଙ୍ଗରେ ତୃଣ ମୂଳ କଂଗ୍ରେସ (ଟିଏମସି) ନେତ୍ରୀ ମମତା ବାନାର୍ଜୀଙ୍କ ସମସ୍ୟା ଥମିବାର ନାଁ ନେଉନି। ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଟିଏମସିର ଦାଗି ନେତାଙ୍କ ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ ହେଉଛି। ଏହା ଛଡା ଟିଏମସି ନେତାଙ୍କୁ ଜନତାଙ୍କ ରୋଷର ମଧ୍ୟ ଶିକାର ହେବାକୁ ପଡୁଛି। ଏଣୁ ଅନେକ ନେତା ଟିଏମସିରୁ ଇସ୍ତଫା ଦେଇସାରିଲେଣି। ବିଧାନସଭା ନିର୍ବାଚନରେ ପରାଜୟ ପରେ ଟିଏମସିରେ ଫାଟ ସୃଷ୍ଟି ହେବାର ଆଶଙ୍କା କରାଯାଉଥିଲା। ଏହି ଆଶଙ୍କା ବୁଧବାର ସତ୍ୟରେ ପରିଣତ ହୋଇଛି। ରିପୋର୍ଟ ଅନୁସାରେ ବେଙ୍ଗଲରେ ୬୦ ଜଣ ଟିଏମସି ବିଧାୟକ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ବିଦ୍ରୋହୀ ହୋଇଯାଇଛନ୍ତି। ଏହା ଛଡା ମମତାଙ୍କ ନିକଟତମ ସହଯୋଗୀ ତଥା ବିଧାୟକ ଫରହାଦ ହକିମ ଏବେ କୋଲକାତା ମେୟର ପଦବୀରୁ ଇସ୍ତଫା ଦେଇଛନ୍ତି।

ଫିରହାଦ ହକିମ ମେୟର ପଦବୀରୁ ଇସ୍ତଫା ଦେଇଥିବା ନେଇ ଟିଏମସି ନେତା କୁଣାଳ ଘୋଷ ପୁଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ହକିମଙ୍କୁ ପଦବୀରୁ ଇସ୍ତଫା ଦେବା ପାଇଁ ମମତା ପୂର୍ବରୁ ଅନୁମତି ଦେଇଥିଲେ। ହକିମ ପଶ୍ଚିମବଙ୍ଗ ରାଜନୀତିରେ ଟିଏମସିର ଜଣେ ସଂଖ୍ୟାଲଘୁ ନେତା ଭାବେ ବେଶ୍ ଜଣାଶୁଣା । ସେ ୨୦୧୮ ମସିହାରୁ କୋଲକାତା ମେୟର ଭାବେ କାର୍ଯ୍ୟକରି ଆସୁଥିଲେ। କୋଲକାତା ନଗର ନିଗମ ୨୦୧୦ରୁ ଟିଏମସି ନିୟନ୍ତ୍ରଣରେ ରହି ଆସିଛି।

ଫିରହାଦ ହକିମଙ୍କ ଇସ୍ତଫା ଉପରେ ଟିପ୍ପଣୀ କରି ଟିଏମସି ନେତା କୁଣାଳ ଘୋଷ କହିଛନ୍ତି ଯେ କୋଲକାତା ନଗରନିଗମ ମେୟର ଇସ୍ତଫା ଦେବା ପାଇଁ ମମତା ବାନାର୍ଜୀଙ୍କୁ ଅନୁମତି ମାଗିଥିଲେ। ସେ ସମ୍ମାନର ସହ ଇସ୍ତଫା ଦେବାକୁ ଚାହୁଁଥିଲେ କାରଣ ରାଜ୍ୟ ସରକାର ନିଗମକୁ ନିଷ୍କ୍ରିୟ କରୁଛନ୍ତି। ଏଥି ପାଇଁ ମମତା ତାଙ୍କୁ ଅନୁମତି ଦେଉ ନଥିଲେ, ତେବେ ବୁଧବାର ଅନୁଷ୍ଠିତ ପ୍ରଶାସନିକ ବୈଠକରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ବାସ୍ତବରେ ନିଗମ ନିଷ୍କ୍ରିୟ ହୋଇଯାଇଛି। ଏଣୁ ମମତା ତାଙ୍କୁ ଆଜି ଇସ୍ତଫା ଦେବା ପାଇଁ ଅନୁମତି ଦେବା ପରେ ହକିମ ପଦରୁ ଇସ୍ତଫା ଦେଇଛନ୍ତି।

ସେପଟେ ନିଷ୍କାସିତ ଟିଏମସି ନେତା ଋତବ୍ରତ ବାନାର୍ଜୀ ଘୋଷଣା କରିଛନ୍ତି ଯେ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ତୃଣମୂଳ କଂଗ୍ରେସର ବିଦ୍ରୋହୀ ସମୂହ ଦ୍ୱାରା ଉପସ୍ଥାପିତ ଦାବିକୁ ସ୍ୱୀକାର କରିନେଇଛନ୍ତି। ଋତବ୍ରତ କହିଛନ୍ତି ଯେ ତୃଣମୂଳର ୫୮ ବିଧାୟକ ତାଙ୍କୁ ବିରୋଧୀ ବିଧାୟକ ଦଳ ନେତା ଭାବେ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ପାର୍ଟିର ସଂଖ୍ୟାଗରିଷ୍ଠତା ଏବେ ତାଙ୍କ ପାଖରେ ଅଛି ଓ ବିଧାୟକଙ୍କ ଏହି ସମୂହ ବିଧାନସଭାରେ ଆଇନଗତ ବିରୋଧୀ ଦଳ ହୋଇ ପାରିବ।

Also Read..ମମତାଙ୍କ ହାତରୁ ଗଲା ଟିଏମସି ! ବିଦ୍ରୋହୀ ଗୋଷ୍ଠୀର ରୀତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ସ୍ୱୀକାର କଲେ ବାଚସ୍ପତି