ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦରେ ଏକ ବଡ଼ ଅଘଟଣ ଘଟିଛି। ସ୍ଥାନୀୟ ରାମୋଲ-ଗାତ୍ରଦ ରୋଡ୍‌ରେ ଅବସ୍ଥିତ ଏକ ବାଣ ତିଆରି କାରଖାନାରେ ଶନିବାର ସନ୍ଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୮  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ନିଆଁର ଭୟାବହତା ଏତେ ଅଧିକ ଥିଲା ଯେ, ଦେଖୁଦେଖୁ କାରଖାନାଟି ଜଳିପୋଡ଼ି ରଖାର ହୋଇଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ରାପିଡ୍ ଆକ୍ସନ୍ ଫୋର୍ସ (RAF) ର ଯବାନମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯବାନମାନେ ବିଲ୍ଡିଂ ମଧ୍ୟରୁ ୮ ଜଣଙ୍କର ମୃତଦେହ ଉଦ୍ଧାର କରିବା ସହ ଭିତରେ ଫସି ରହିଥିବା ଏବଂ ଆହତ ହୋଇଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଭାବରେ ବାହାରକୁ ଆଣିଥିଲେ।

ଏହା ସହିତ ଅଗ୍ନିଶମ ବାହିନୀର ଅନେକ ଗାଡ଼ି ଘଟଣାସ୍ଥଳକୁ ଆସି ବହୁ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ବର୍ତ୍ତମାନ କାରଖାନା ପରିସରକୁ ଥଣ୍ଡା କରିବା ପାଇଁ (Cooling operations) ପ୍ରକ୍ରିୟା ଜାରି ରହିଛି। ଅନ୍ୟପଟେ, ଆହତ ହୋଇଥିବା ଶ୍ରମିକମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା, ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।