ବ୍ୟାଙ୍ଗକକ୍,୧୩|୦୭: ଭୟଙ୍କର ଅଗ୍ନିକାଣ୍ଡ । ଜୀବନ ହାରିଲେ ୨୭ରୁ ଅଧିକ ପର୍ଯ୍ୟଟକ । ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍ଗକକରେ ଏକ ପବ୍ ରେ ଭୀଷଣ ନିଆଁ ଲାଗିଛି । ରବିବାର ବିଳମ୍ବିତ ରାତ୍ରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ରବିବାର ରାତିରେ ବ୍ୟାଙ୍ଗକକର ଉତ୍ତର ପ୍ରାନ୍ତରେ ଥିବା ଏକ ପବରେ ନିଆଁ ଲାଗିଥିବା ଖବର ଆସିଥିଲା । ଏହାପରେ ତୁରନ୍ତ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । କିନ୍ତୁ ସେତେବେଳକୁ ବିଳମ୍ବ ହୋଇ ସାରିଥିଲା । ନିଆଁରେ ୨୭ ଜଣ ପ୍ରାଣ ହରାଇ ସାରିଥିଲେ । ଏହାସହ ଅନେକ ଆହତ ହୋଇଛନ୍ତି । ସମସ୍ତ ମୃତାହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Also Read :- ଉଦ୍ଧାର ହେଲା ନିଖୋଜ ଥିବା ଟ୍ରଲର, ଜଣଙ୍କ ମୃତଦେହ ଉଦ୍ଧାର, ୧୫ ଏବେ ବି ନିଖୋଜ

ଦମକଳ ବାହିନୀର କହିବାନୁସାରେ, ରବିବାର ବିଳମ୍ବିତ ରାତ୍ରରେ ସେମାନଙ୍କୁ ଖବର ମିଳିଥିଲା । ନା ଲାଦପ୍ରାଓ ନାମକ ଏକ ପବ୍ କୌଣସି କାରଣରୁ ଜଳି ଯାଇଥିଲା । ଏଧିରେ ଅନେକ ପର୍ଯ୍ୟଟକ ଫସି ରହିଥିଲେ । ପବରୁ କଳା ଧୂଆଁ ବାହାରିଥିଲା । ଶହ ଶହ ପର୍ଯ୍ୟଟକ ଭିତରେ ଫସି ରହିଥିଲେ । କିଛି ବ୍ୟକ୍ତି ଜୀବନ ବଞ୍ଚାଇବାକୁ ପବ୍ ର ଏଗଜିଟ୍ ଦ୍ୱାରକୁ ଧାଇଁଥିଲେ । କିନ୍ତୁ ରାସ୍ତା ପାଇନଥିଲେ। ସେମାନେ ସେଠାରେ ହିଁ ପ୍ରାଣ ହରାଇଥିଲେ ।

ଅଘଟଣ ସମୟରେ ପବ୍ ରେ ଉପସ୍ଥିତ ଥିବା ଜଣେ ସଙ୍ଗୀତକାର କହିଛନ୍ତି ଯେ, ହଠାତ ଷ୍ଟେଜ୍ ପାଖରେ ଥିବା ଏକ ସର୍କିଟ୍ ବ୍ରେକରରୁ ଧୂଆଁ ବାହାରିଥିଲା । ଫଳରେ ଲାଇନ୍ କଟିଯାଇଥିଲା । କିଛି ସମୟରେ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଭିଥିଲା । ଯାହା ପରେ ଲୋକେ ଏଣେତେଣେ ଦଉଡିବାକୁ ଲାଗିଥିଲେ । ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଲୋକେ ଭୟରେ ଧାଉଁଥିବା ଦେଖିବାକୁ ମିଳିଛି ।

ଘଟଣାକୁ ନେଇ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଅନୁତିନ୍ ଚନୀବିରାକୁଲ କହିଛନ୍ତି ଯେ, ଅଗ୍ନିକାଣ୍ଡରେ ୨୭ ଜଣ ପ୍ରାଣ ହରାଇଛନ୍ତି । ଆହତଙ୍କ ଚିକିତ୍ସା ଜାରି ରହିଛି । କେଉଁ କାରଣରୁ ନିଆଁ ଲାଗିଛି ତାହାର ତଦନ୍ତ ଚାଲିଥିବା ସେ ପ୍ରକାଶ କରିଛନ୍ତି ।