ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସବୁଠୁ ସୁରକ୍ଷିତ ତଥା ଅତି ସମ୍ବେଦନଶୀଳ ସ୍ଥାନ କୁହାଯାଉଥିବା ରାୟସୀନା ହିଲ୍ ଅଞ୍ଚଳରେ ସୋମବାର ପୂର୍ବାହ୍ଣ ଅଗ୍ନିକାଣ୍ଡ ଘଟିଛି। ନର୍ଥ ବ୍ଲକ ପରିସରରେ କଳା ଧୂଆଁ ଉଠୁଥିବା ଦେଖି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଦିଲ୍ଲୀର ଅଗ୍ନିଶମ ବିଭାଗକୁ ପୂର୍ବାହ୍ଣ ପ୍ରାୟ ୧୧ଟା ୧୦ଟାରେ ନର୍ଥ ବ୍ଲକ ଭିତରୁ ଧୂଆଁ ଉଠୁଥିବା କଲ୍ ଆସିଥିଲା। ସୂଚନା ମିଳିବା ମାତ୍ରେ ପ୍ରଶାସନ ଆଲର୍ଟ ମୋଡକୁ ଆସିଥିଲା ଏବଂ ଘଟଣାସ୍ଥଳକୁ ୬ ଦମକଳ ଗାଡ଼ି ପଠାଇଥିଲା।

ଦମକଳ ବିଭାଗ ଅନୁଯାୟୀ, ନର୍ଥ ବ୍ଲକରେ ଧୂଆଁ ଉଠୁଥିବାର ସୂଚନା ମିଳିଥିଲା। ଏହା ପରେ ତୁରନ୍ତ ଛଅ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି। ଏ ପର୍ଯ୍ୟନ୍ତ କୌଣସି ପ୍ରକାରର ମୃତାହତକୁ ନେଇ ସୂଚନା ନାହିଁ କି କୌଣସି କ୍ଷୟକ୍ଷତି ବି ଘଟିନି।

Also Read: ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ମାଡ଼ିଗଲା କାର୍, ୪ ମୃତ

ପୋଲିସ କହିଛି ଯେ, କୋଠାର ଛାତ ଉପରେ ମରାମତି କାମ ଚାଲିଥିଲା। ସେଠାରେ କିଛି ଶ୍ରମିକ କାମ କରୁଥିଲେ। ଛାତ ଉପରେ ଥିବା ଏକ ପୁରୁଣା ପ୍ଲାଷ୍ଟିକ ପାଣି ଟାଙ୍କିରେ ନିଆଁ ଲାଗିଥିଲା। ହେଲେ ଶ୍ରମିକମାନେ ହିଁ ନିଆଁକୁ ନିୟନ୍ତ୍ରଣ କରିଥିଲେ। ଅଗ୍ନିଶମ ବିଭାଗ କହିଛି ଯେ, ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ କାହାର କିଛି କ୍ଷତି ଘଟିନି।

ଏହି ଘଟଣାର ଖବର ସର୍ବପ୍ରଥମେ ସାଂସଦ ମିଲିନ୍ଦ ଦେଓଡ଼ା ଦେଇଥିଲେ। ସେ ପୂର୍ବାହ୍ଣରେ ସଂସଦ ଅଭିମୁଖେ ଯାଉଥିଲେ। ଏହି ସମୟରେ ସେ ନର୍ଥ ବ୍ଲକର ପଛ ପାର୍ଶ୍ଵରୁ ବହୁତ ଧୂଆଁ ଉଠୁଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଥିଲେ। ଫଟୋ ପୋଷ୍ଟ କରିବା ସହ ସେଠାରେ କାମ କରୁଥିବା ଶ୍ରମିକଙ୍କ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିଥିଲେ।