ଲକ୍ଷ୍ନୌ: ଅଲିଗଞ୍ଜ ସେକ୍ଟର ଡି ରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି। ମଧ୍ୟାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ଅଗ୍ନିକାଣ୍ଡ ସୂଚନା ପାଇ ଘଟଣାସ୍ଥଳକୁ ଦମକଳ ପହଞ୍ଚିଥିବା ବେଳେ ଏବେ ୩ଟି ଦମକଳ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଅଗ୍ନିକାଣ୍ଡ କିପରି ଘଟିଲା ତାହା ଜଣାପଡିନଥିଲେ ମଧ୍ୟ ଆଖପାଖର ଲୋକଙ୍କ ସୂଚନା ଅନୁସାରେ ନିଆଁ ଲାଗିଥିବା କୋଚିଂ ଭିତରେ କିଛି ଲୋକ ଫଶି ରହିଛନ୍ତି। ତେବେ ଏହି ଘଟଣାକୁ ନେଇ ଏ ପର୍ଯ୍ୟନ୍ତ ଅଧିକାରୀକ ବୟାନ ଆସି ନାହିଁ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଅଗ୍ନିକାଣ୍ଡ ସଂଜ୍ଞାନ ନେଇଥିବା ବେଳେ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାରୀମାନେ ତତ୍କାଳ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଆହତଙ୍କ ଉଚିତ ଉପଚାର ନିମନ୍ତେ ପଦକ୍ଷେପ ନେଇଛନ୍ତି। ପ୍ରଶାସନକୁ ସବୁ ସ୍ତରରେ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଘରୋଇ କୋଚିଂ ନିମନ୍ତେ ରାଜସ୍ଥାନର କୋଟା ଭଳି ଉତ୍ତର ପ୍ରଦେଶ ଲକ୍ଷ୍ନୌ ସହର ପ୍ରସିଦ୍ଧି ରହିଛି। ବିଭିନ୍ନ ରାଜ୍ୟରୁ ଛାତ୍ରଛାତ୍ରୀ ଲକ୍ଷ୍ନୌରେ ରହି କୋଚିଂ ଗ୍ରହଣ କରୁଥିବା ବେଳେ ସୁରକ୍ଷାର ସାମାନ୍ୟତମ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇ ଆସୁଛି।