ମଦୁରାଇ: ସହରର ମିନାକ୍ଷୀ ଅମ୍ମନ ମନ୍ଦିର ନିକଟରେ ଥିବା ସେଣ୍ଟ୍ରାଲ ଥିଏଟରରେ ଶୁକ୍ରବାର ନିଆଁ ଲାଗିଯାଇଛି। ତେବେ ଥିଏଟରଟି ଚାଲୁ ନଥିଲା ଓ ତାହା ବନ୍ଦ ପଡିଥିଲା ବୋଲି ଜଣାପଡିଛି। ନିଆଁ ଲାଗିବା ସୂଚନା ପାଇ ଘଟଣାସ୍ଥଳକୁ ଦମକଳ ବାହିନୀ ପହଞ୍ଚିଥିବା ବେଳେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି। ଏହି ଅଗ୍ନିକାଣ୍ଡ ମିନାକ୍ଷୀ ଟେମ୍ପୁଲ ୱେଷ୍ଟ ଟାୱାର ନିକଟରେ ହୋଇଛି। ଏହି ଥିଏଟରଟି ଅନେକ ଦିନରୁ ବନ୍ଦ ହୋଇଯାଇଥିବା ବେଳେ ଗୋଦାମ ଭାବେ ଉପଯୋଗ ହେଉଥିଲା।

ମନ୍ଦିର ନିକଟରେ ନିଆଁ ଲାଗିବା ଯୋଗୁ ଭକ୍ତ ଓ ସାଧାରଣ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ୫ଟିରୁ ଅଧିକ ଦମକଳ ଗାଡି ପହଞ୍ଚିଥିବା ବେଳେ ନିଆଁ ଆୟତ୍ତ ହୋଇଥିବା ଜଣାପଡିଛି। ଥିଏଟରକୁ ପିଲାଙ୍କ ଖେଳାନା ଗୋଦାମ ଭାବେ ଉପଯୋଗ କରାଯାଉଥିଲା। ଏଣୁ ବ୍ୟାପକ କ୍ଷୟକ୍ଷତି ଆକଳନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଏହି ଅଗ୍ନିକାଣ୍ଡ ସ୍ଥଳ ନିକଟରେ ମିନାକ୍ଷୀ ସୁନ୍ଦରେଶ୍ୱର ମନ୍ଦିରର ହେବାକୁଥିବା କୁମ୍ଭାଭିଷେକ ନିମନ୍ତେ ଯଜ୍ଞଶାଳା ସ୍ଥାପନା ହୋଇଛି। ତେବେ ଅଗ୍ନିକାଣ୍ଡ ଯୋଗୁ ଏହି ଧାର୍ମିକ ଆୟୋଜନ ପ୍ରଭାବିତ ହୋଇ ନଥିବା ଜଣାପଡିଛି।