ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧ ପରଠାରୁ ଭାରତ କ୍ରମାଗତ ଭାବେ ମସ୍କୋ ଠାରୁ ଅଶୋଧିତ ତୈଳ କିଣୁଛି। ଏହାକୁ ନେଇ ଅନେକ ସମୟରେ ପଶ୍ଚିମ ଦେଶଗୁଡ଼ିକ ସମାଲୋଚନା କରିଆସୁଥିଲେ ବି ଏବେ ଏହି ପ୍ରସଙ୍ଗରେ ଭାରତକୁ ଏକ ବଡ଼ ସମର୍ଥନ ମିଳିଛି। ଫିନଲାଣ୍ଡର ବୈଦେଶିକ ମନ୍ତ୍ରୀ ଏଲିନା ଭାଲଟୋନେନ୍ ସ୍ପଷ୍ଟ କରିଛନ୍ତି ଯେ, ଭାରତ ପଶ୍ଚିମ ଦେଶମାନଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା 'ତୈଳ ମୂଲ୍ୟ ସୀମା' (Oil Price Cap) ମଧ୍ୟରେ ରହି ହିଁ ରୁଷିଆରୁ ତେଲ କିଣୁଛି।

'ପ୍ରାଇସ୍ କ୍ୟାପ୍' ନିୟମ ଭିତରେ ଭାରତ

ଫିନ୍ଲାଣ୍ଡରେ ଅନୁଷ୍ଠିତ 'କୁଲତାରାନ୍ତା ଟକ୍ସ' (Kultaranta Talks) ପ୍ୟାନେଲ ଆଲୋଚନାରେ ଯୋଗଦେଇ ବୈଦେଶିକ ମନ୍ତ୍ରୀ ଏଲିନା ଭାଲଟୋନେନ୍ କହିଛନ୍ତି, "ପଶ୍ଚିମ ଦେଶମାନେ ଯେତେବେଳେ ତୈଳ ମୂଲ୍ୟ ସୀମା ଲାଗୁ କରିଥିଲେ, ସେତେବେଳେ ଏହାର ଉଦ୍ଦେଶ୍ୟ ରୁଷିଆ ତେଲ କିଣିବାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ନଥିଲା। ଏହାର ଲକ୍ଷ୍ୟ ଥିଲା ବିଶ୍ୱ ବଜାରରେ ତୈଳ ଯୋଗାଣ ସ୍ୱାଭାବିକ ରଖିବା ଏବଂ ରୁଷିଆକୁ ଅତ୍ୟଧିକ ଲାଭ କମାଇବାରୁ ରୋକିବା। ଭାରତ ଏହି ନିୟମ ଭିତରେ ରହି ହିଁ ତେଲ କିଣୁଛି, ଯାହା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ।" ଏହି ବୈଠକରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଓ ୟୁଏଇ ସହାୟକ ବୈଦେଶିକ ବ୍ୟାପାର ମନ୍ତ୍ରୀ ଲାନା ନୁସିବେ ମଧ୍ୟ ଯୋଗ ଦେଇଥିଲେ।

ଜୟଶଙ୍କରଙ୍କ ଦୃଢ଼ ଜବାବ

ଏହି ଆଲୋଚନାରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଭାରତର ଶକ୍ତି ନୀତିକୁ ନେଇ କୌଣସି ପ୍ରକାର ସାଲିସ ନକରି ଦୃଢ଼ ଜବାବ ଦେଇଛନ୍ତି। ଜୟଶଙ୍କର କହିଛନ୍ତି, "ମୁଁ ମୋ ଦେଶ ପାଇଁ ତେଲ କିଣିବା ବେଳେ ମୂଲ୍ୟ ଏବଂ ଉପଲବ୍ଧତାକୁ ଗୁରୁତ୍ୱ ଦିଏ, ରାଜନୈତିକ ସମୀକରଣକୁ ନୁହେଁ। ଯୁଦ୍ଧ ସମୟରେ ୟୁରୋପୀୟ ଦେଶମାନେ ମଧ୍ୟପ୍ରାଚ୍ୟରୁ ତେଲ କିଣିବା ଆରମ୍ଭ କରିଦେବାରୁ, ଭାରତ ପାଇଁ ରୁଷିଆ ଏକ ମୁଖ୍ୟ ବିକଳ୍ପ ପାଲଟିଥିଲା।"

Also Read- ଆମେରିକାର-ଇରାନର ଆକ୍ରମଣ ଭୟ: ହର୍ମୁଜ ଜଳପଥ ନିକଟରେ ଫସିଛନ୍ତି ୫୦୦ ଜାହାଜ ଓ ୧୧ ହଜାର ନାବିକ

ସେ ଅତୀତର ଘଟଣା ମନେ ପକାଇ କହିଛନ୍ତି ଯେ, ଯେତେବେଳେ ବିଶ୍ୱ ବଜାରରେ ଅସ୍ଥିରତା ଥିଲା, ସେତେବେଳେ ଆମେରିକା ନିଜେ ଭାରତକୁ ରୁଷିଆରୁ ତେଲ କିଣିବାକୁ ପରାମର୍ଶ ଦେଇଥିଲା। ତେଣୁ ଏଥିରେ କୌଣସି ମୂଲ୍ୟବୋଧ ବା ନୀତିର ପ୍ରଶ୍ନ ଉଠିବା ଅଯୌକ୍ତିକ।

ୟୁରୋପକୁ କଡ଼ା ଚେତାବନୀ

ୟୁରୋପର ସମାଲୋଚନାକୁ ନେଇ ଜୟଶଙ୍କର ଅତ୍ୟନ୍ତ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, "ୟୁରୋପୀୟ ଦେଶମାନେ ଦୀର୍ଘ ବର୍ଷ ଧରି ଏପରି ଅସ୍ତ୍ରଶସ୍ତ୍ର ବିକ୍ରି କରି ଆସୁଛନ୍ତି ଯାହା ଭାରତ ଉପରେ ଆକ୍ରମଣ ପାଇଁ ବ୍ୟବହୃତ ହୋଇଛି। ଆମେ କେବେବି ୟୁରୋପ ପାଇଁ ବିପଦ ସୃଷ୍ଟି କରି ନାହୁଁ, ତେଣୁ ଭାରତକୁ ଜ୍ଞାନ ଦେବା ପୂର୍ବରୁ ଏହି କଥା ମନେ ରଖିବା ଉଚିତ୍।"

ଶକ୍ତି କ୍ଷେତ୍ରରେ ଭାରତର ବିବିଧତା

ଭାରତର ଶକ୍ତି ବଜାର ସମ୍ପର୍କରେ ଜୟଶଙ୍କର କହିଛନ୍ତି, ଭାରତ ଏବେ ନିଜର ଶକ୍ତି ସ୍ୱାର୍ଥ ପାଇଁ କାହା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ନୁହେଁ। ବର୍ତ୍ତମାନ ରୁଷିଆ ଭାରତର ସବୁଠାରୁ ବଡ଼ ତୈଳ ଯୋଗାଣକାରୀ ହୋଇଥିବାବେଳେ, ପ୍ରାକୃତିକ ଗ୍ୟାସ ପାଇଁ ଭାରତ ଆମେରିକା ଉପରେ ନିର୍ଭର କରୁଛି। ମୋଟାମୋଟି ଭାବେ, ଫିନ୍ଲାଣ୍ଡ ମନ୍ତ୍ରୀଙ୍କ ଏହି ବୟାନ ଭାରତର ସ୍ୱାଧୀନ ବୈଦେଶିକ ନୀତିକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପ୍ରଦାନ କରିଥିବା କୁହାଯାଇପାରେ।